ଭିରୁଡ଼ା ଡବଲ୍‌ ମର୍ଡର୍‌ ଘଟଣା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଶୁକୁଟା

ଖଣ୍ଡାରେ ହାଣିବା ପରେ ଚଢ଼ାଇ ଦେଇଥିଲେ ଟ୍ରକ୍‌; ତାଳଚେରରୁ ଜବତ କଲା ପୁଲିସ

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତରେ ପୂର୍ବଶତ୍ରୁତାରୁ ଗତ ଗୁରୁବାର ସନ୍ଧ୍ୟାରେ ଦୁଇଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ଖଣ୍ଡାରେ ହାଣିବା ପରେ ସେମାନଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଅମାନୁଷିକ ଭାବେ ହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜୀବନାନନ୍ଦ ମଲ୍ଲିକ ଓରଫ ଶୁକୁଟା ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଟ୍ରକ୍‌କୁ ତିଗିରିଆ ପୁଲିସ ତାଳଚେରରୁ ଜବତ କରିଛି। ଏହି ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶଥାଉ କି, ଭିରୁଡ଼ା ପଞ୍ଚାୟତ ଗରପଡ଼ା ଶବରସାହିର ଅଶୋକ ବେହେରା ଗତ ଗୁରୁବାର ସନ୍ଧ୍ୟାରେ ସେହି ଗ୍ରାମର ଶରତ ଦେହୁରୀ ଓ ଲକ୍ଷ୍ମଣ ଦେହୁରୀଙ୍କ ସହ ଗୋଡ଼ିଝରିଆ ବଜାରକୁ ଯାଇଥିଲେ। ଶରତଙ୍କ ଝିଅ ବାହାଘର ପାଇଁ ଜିନିଷପତ୍ର କିଣିବା ପରେ ସେଠାରୁ ସେମାନେ ଘରକୁ ଫେରୁଥିଲେ। ଏହି ସମୟରେ ଭିରୁଡ଼ା ଛକ ନିକଟ ଏଟିଏମ୍‌ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗ୍ରାମର ଜୀବନାନନ୍ଦ ମଲ୍ଲିକ (ଶୁକୁଟା), ମିହିର ମଲ୍ଲିକ, ଜିତୁ ମଲ୍ଲିକ, ରାଜୁ ମଲ୍ଲିକ, ରସାନନ୍ଦ ସାହୁଙ୍କ ସମେତ ଅନ୍ୟ ସହଯୋଗୀମାନେ ଅଶୋକ, ଶରତ ଓ ଲକ୍ଷ୍ମଣଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଶୁକୁଟା ଓ ମିହିର ଖଣ୍ଡାରେ ଶରତ ଓ ଲକ୍ଷ୍ମଣଙ୍କ ଉପରେ ଚୋଟ ପରେ ଚୋଟ ପକାଇଥିଲେ। ଖଣ୍ଡା ଚୋଟରେ ଗୁରୁତର ଆହତ ଶରତ ଓ ଲକ୍ଷ୍ମଣ ରାସ୍ତାରେ ଟଳି ପଡ଼ିଥିଲେ। ଏହାପରେ ଅଶୋକଙ୍କୁ ମିହିର ଖଣ୍ଡାରେ ଆକ୍ରମଣ କରିଥିଲା। ଖଣ୍ଡା ଚୋଟରେ ଅଶୋକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଜୀବନ ବଞ୍ଚାଇବା ପାଇଁ ଅଶୋକ ଦୌଡ଼ି ପଳାଉଥିଲା ବେଳେ ଏକ ଡ୍ରେନ୍‌ରେ ଖସି ପଡ଼ିଥିଲେ।

ଏହି ସମୟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଟଳି ପଡ଼ିଥିବା ଶରତ ଓ ଲକ୍ଷ୍ମଣଙ୍କ ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେବା ସହ ମୃତ୍ୟୁକୁ ସୁନିଶ୍ଚିତ କରିବା ପାଇଁ ଅଭିଯୁକ୍ତ ଜିତୁ ଓ ରାଜୁ ସାଙ୍ଗରେ ଆଣିଥିବା ଟ୍ରକ୍‌ ସେମାନଙ୍କ ଉପରେ ବାରମ୍ବାର ଚଢ଼ାଇ ଫେରାର ହୋଇଯାଇଥିଲେ। ସେଠାରୁ ଜୀବନ ବଞ୍ଚାଇ ଅଶୋକ ତିଗିରିଆ ଡାକ୍ତରଖାନାରେ ପହଞ୍ଚି ଥିଲେ। ସେହିପରି ତିଗିରିଆ ଥାନା ଆଇଆଇସି ଶ୍ରୀମତୀ ଜେନା ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣାସ୍ଥଳରୁ ପୁଲିସ ଏକ ଲୁହା ଛଡ଼ ଓ ଠେଙ୍ଗା ଜବତ କରିଥିଲା। ସେହିପରି ସ୍ଥାନୀୟ ତହସିଲଦାର ଅଭିଯୁକ୍ତ ଶୁକୁଟାର ହୋଟେଲ୍‌କୁ ସିଲ କରିଥିଲେ। ଏ ନେଇ ଅଶୋକଙ୍କ ଅଭିଯୋଗ ପରେ ତିଗିରିଆ ଥାନାରେ ଏକ ମାମଲା (କେସ ନମ୍ବର-୧୩୮; ଦଫା-୩୪୧, ୨୯୪, ୩୨୩, ୩୨୪, ୩୨୫, ୩୨୬, ୩୦୭, ୫୦୬, ୩୦୨, ୩୪ ଆଇପିସି, ୨୫/୨୭ ଆର୍ମସ୍‌ ଆକ୍ଟର ସେକ୍ସନ ୩(୧)(ଆର)(ଏସ ) /୩(୨)(ଭି)(ଭିଏ), ଏସ୍‌ସି ଓ ଏସ୍‌ଟି (ପିଓଏ) ଆକ୍ଟ) ରୁଜୁ କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ୧୦ ଚକିଆ ଟ୍ରକ୍‌କୁ ତାଳଚେରରୁ ଜବତ କରିଥିଲା। ସେହିପରି ଆଜି ସନ୍ଧ୍ୟାରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶୁକୁଟା ଆଠଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଆତ୍ମସମର୍ପଣ କରିଥିଲା। ପରେ ତାକୁ ତିଗିରିଆ ଥାନାକୁ ଅଣାଯାଇଥିଲା। ଅଭିଯୁକ୍ତ ଶୁକୁଟାକୁ ପଚରାଉଚରା ପରେ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର