ସୁନ୍ଦରଗଡ଼ଠାରେ ଜିଲ୍ଲା ସଂସ୍କୃତି ଭବନ ଉଦଘାଟିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦରମହକୁମାଠାରେ ଖୋଲିଛି ‘ଜିଲ୍ଲା ସଂସ୍କୃତି ଭବନ’। ସୋମବାର ଦିନ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ କୁନ୍ତୀ ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି। ଏହା ପରେ ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସହଯୋଗରେ ନିର୍ମାଣ କରାଯାଇଥିବା ଜିଲ୍ଲା ସଂସ୍କୃତି ଭବନରେ ସ୍ଥାନୀୟ କଳାକାରମାନେ ସେମାନଙ୍କର କଳା ପରିବେଷଣ କରିବାର ସୁଯୋଗ ପାଇବେ। ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ଆୟୋଜନ କରାଯିବ।

ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟିକା ଶ୍ରୀମତୀ ଟେଟେ କହିଥିଲେ, ସୁନ୍ଦରଗଡ଼ ଜିଲ୍ଲାର କଳାକାରମାନଙ୍କ ଅନେକ ଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ଏହି ଜିଲ୍ଲାର ସମୃଦ୍ଧ ଆଦିବାସୀ ନୃତ୍ୟ, ଗୀତକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟ କରାଇବାରେ ଏହି ସଂସ୍କୃତି ଭବନ ସହାୟକ ହୋଇପାରିବ’। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ, ସୁନ୍ଦରଗଡ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ଅନନ୍ତ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉତ୍ସବର କିଛି ବ୍ୟତିକ୍ରମ

ସଂସ୍କୃତି ଭବନ ଉଦଘାଟନ ପାଇଁ ଛପା ଯାଇଥିବା ନିମନ୍ତ୍ରଣ ପତ୍ରରୁ ଦେଖା ଦେଇଥିଲା ବ୍ୟତିକ୍ରମ । ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନଙ୍କୁ ଉଦଘାଟକ ଭାବେ ଡକାଯାଇଥିଲା। ତେବେ ସେ ଅବିବାହିତା ହୋଇଥିଲେ ମଧ୍ୟ ପତ୍ରରେ ତାଙ୍କ ନାମ ଆଗରେ ଶ୍ରୀମତୀ ଉଲ୍ଲେଖ ଥିଲା। ସଂଶୋଧନ ପାଇଁ କୁହାଯାଇଥିଲେ ମଧ୍ୟ ଆୟୋଜକ ସେଥିପ୍ରତି ଧ୍ୟାନ ଦେଇ ନଥିଲେ। ସେହିପରି ମଞ୍ଚରେ ସଂଯୋଜକ କୁନ୍ତୀଙ୍କୁ ସମ୍ବୋଧନ କଲା ବେଳେ ତାଙ୍କ ଉପନାମ ନାଏକ ବୋଲି କହିଥିଲେ। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋଙ୍କ ଉତ୍ସବକୁ ଡକା ଯାଇ ନଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ସବୁଠାରୁ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଅତିଥିଙ୍କୁ ସମ୍ବର୍ଦ୍ଧନା ସଭାରେ । ସଭାର ସଭାପତି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାଏକ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ତେବେ ଅତିରିକ୍ତ ଜିଲ୍ଲାପାଳ ତାଙ୍କ ପାଖକୁ ଯାଇ ଠିଆ ହେବା ପରେ ମଧ୍ୟ ସଂସ୍କୃତି ଅଧିକାରୀ କିଛି ସମୟ ଚୌକି ଛାଡ଼ି ନଥିଲେ। ପରେ ଉତ୍ତରୀୟ ଗ୍ରହଣ କରିଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର