ଜୟପୁର: ସହରର ବହୁ ସାହି ଓ କଲୋନୀର ରାସ୍ତା ନିର୍ମାଣ, ସ୍ବେରେଜ୍ ବ୍ୟବସ୍ଥା ସଜାଡ଼ିବା ପାଇଁ ସାହି ବାସିନ୍ଦାମାନେ ବାରମ୍ବାର ପୌରପାଳିକାକୁ ଲିଖିତ ଓ ମୌଖିକ ଅଭିଯୋଗ କରିବା ପରେ ବି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ସଂପ୍ରତି ଲାଗି ରହିଥିବା ଲଘୁଚାପ ବର୍ଷା ଫଳରେ ବହୁ ସାହିର ରାସ୍ତାରେ ପାଣି ଜମା ହେବା ସହ ଗାଁ ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଗତ ୨ବର୍ଷ ତଳେ ନିର୍ମାଣ କରାଯାଇଥିବା କଲଭର୍ଟ ବି ଭାଙ୍ଗିଯାଇଛି। ସହରର ସର୍ବପୁରାତନ କଲୋନୀ ମଧ୍ୟରେ ପାରାବେଡ଼ା ସନ୍ତୋଷୀ ମା ନଗର ଅନ୍ୟତମ। ଏହି କଲୋନୀର ପ୍ରଥମ ଓ ଦ୍ବିତୀୟ ଲାଇନର ରାସ୍ତା ଅବସ୍ଥା ଏବେ ଶୋଚନୀୟ। ପିଲାଙ୍କ ମନୋରଂଜନ ପାଇଁ ପ୍ରଥମ ଲାଇନରେ କରାଯାଇଥିବା ଶିଶୁ ଉଦ୍ୟାନ ସମ୍ମୁଖ ଓ ୨ୟ ଲାଇନର ମୋଡ଼ରେ ପୋଖରୀ ଭଳି ପାଣି ଜମା ହୋଇ ରହୁଛି। ପ୍ରଥମ ଲାଇନରୁ ଦ୍ବିତୀୟ ଲାଇନକୁ ସଂଯୋଗ କରୁଥିବା କଲଭର୍ଟର ଗୋଟିଏ ପାର୍ଶ୍ବ ଦୀର୍ଘ ଦିନ ହେବ ଭାଙ୍ଗିଯାଇଛି।

Advertisment

ଏହି ରାସ୍ତା ଓ କଲଭର୍ଟର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଭଳିକି ସ୍କୁଲ ଓ କଲେଜରୁ ଆସୁଥିବା ଛାତ୍ରଛାତ୍ରୀମାନେ ପାଣି ମଧ୍ୟରେ ଯିବା ଆସିବା କରିବାକୁ ବି ଭୟ ପ୍ରକାଶ କରୁଛନ୍ତି। ଉଭୟ ଲାଇନରେ ପାଣି ଜମା ନ ହେବା ପାଇଁ ରାସ୍ତାକୁ ଉଚ୍ଚା କରିବାକୁ ପଡ଼ିବ ବୋଲି ଅବସରପ୍ରାପ୍ତ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ରାମ ନାଥ ସାହୁ , ରଘୁନାଥ ପଟ୍ଟନାୟକ ପ୍ରମୁଖ କହିଛନ୍ତି। ସେପରି ପାୱାରହାଉସ କଲୋନୀ ପ୍ରକାଶ ବିଦ୍ୟାଳୟ ନିକଟ ସପ୍ତମ ଲାଇନ, ଶାନ୍ତି ନଗର, ମା’ଦକ୍ଷିଣ କାଳି ମନ୍ଦିର ପଛପଟ କଲୋନୀରେ ବି ଏଭଳି ଅବସ୍ଥା ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏହି ରାସ୍ତା ଓ କଲଭର୍ଟର ତଦାରଖ କରାଯାଇଛି ବୋଲି କହିଛନ୍ତି ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର । ପ୍ରାରମ୍ଭିକ ସମସ୍ୟା ଦୁର କରିବା ପାଇଁ ପୌରପାଳିକା ପକ୍ଷରୁ ପାଣି ଜମା ହେଉଥିବା ସ୍ଥାନରେ ପେଭରବ୍ଲକ ପକାଯାଇ ଉଚ୍ଚା କରାଯିବ। ରାସ୍ତା ପ୍ରଶସ୍ତିକରଣ ଓ କଲଭର୍ଟର ପୁନଃରୁଦ୍ଧାର ପାଇଁ ଆଗାମୀ ଦିନରେ ଯୋଜନା କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ପାର୍କ ନିକଟରେ କିଛି ମାତ୍ରାରେ ମେଟାଲ ଓ କ୍ରସରଗୁଣ୍ଡ ପକାଯାଇଛି, ଏବଂ ପେଭରବ୍ଲକ ପକାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।