କୋରାପୁଟ: ଭବିଷ୍ୟତରେ ସଫଳତା ହାସଲ ପାଇଁ ୩‘ଏସ୍’ ସ୍କିଲ ବା ଦକ୍ଷତା, ସ୍କେଲ୍ ବା ମାପଚିହ୍ନ ଏବଂ ସ୍ପିଡ୍ ବା ବେଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାର୍ଥୀମାନେ ଦକ୍ଷତା ହାସଲ କରିବା, ନୂତନ ସ୍ତରରେ ପହଞ୍ଚିବା ଏବଂ ବିଶ୍ୱ ସହିତ ଦ୍ରୁତ ଗତିରେ ଯିବା ଉଚିତ ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ସଫଳତା ହାସଲ କରିପାରିବେ ବୋଲି କୋରାପୁଟ ସ୍ଥିତ ଲାଣ୍ଡିଗୁଡା କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସରେ ସରସ୍ବତ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ମାଣ୍ଡିଆ, ହଳଦୀ, ଅଦା ବାଜରା, ପନିପରିବା ଏବଂ ବିଶେଷ କରି କୋରାପୁଟ କଫିର ଚାହିଦା ବିଶ୍ବ ବଜାରରେ କାହିଁକିରେ କଣ ଗୁରୁତ୍ଵ ରହିଛି। ତେଣୁ ଆମକୁ ଏ ଦିଗରେ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି କହିଥିଲେ। କୋରାପୁଟର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ୍କୁ ବିଶ୍ୱ ବଜାରକୁ ନେବାକୁ ପଡିବ। କୁଇ ଏବଂ ଦେଶୀଆ ଭାଷାରେ ଦୁଇଟି ବର୍ଣମାଳା ପ୍ରାଇମର ଆଣିବା ପାଇଁ ସେ ସିୟୁଓ ଏବଂ ଏନସିଇଆରଟିର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। କୋରାପୁଟର ସହିଦ ଭୂମି ବିଶେଷ କରି ସହିଦ ଲକ୍ଷ୍ମଣ ନାୟକଙ୍କ ଭୂମି ଏବଂ ପାପଡାହାଣ୍ଡିର ସହିଦ ଭୂମିରୁ ମାଟି ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଯୋଜନା ମୋ ମାଟି, ମୋ ଦେଶ ସହ ସାମିଲ ହେବାକୁ ସେ ବିଶ୍ୱବିଦ୍ୟାଳୟକୁ ଆହ୍ଵାନ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏଏମବି ଭାଗଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା ପ୍ରତିଷ୍ଠା ଦିବସର ଅଭିଭାଷଣ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍ ସି ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ମେଶ୍ରାମ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ସଭାକୁ ସମ୍ବୋଧିତ କରିବା ସହ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସଭାପତିତ୍ବ ଭାଷଣ ଦେଇ ୧୪ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମୀ ତଥା ଭୂମିପୁତ୍ର ସହିଦ ଲକ୍ଷ୍ମଣ ନାୟକଙ୍କୁ ସ୍ମରଣ କରି ସେ ଭାଷଣ ଆରମ୍ଭ କରିଥିଲେ। ସେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୧୪ ବର୍ଷ ର ସଫଳତା ବର୍ଣ୍ଣନା କରିଥିଲେ।
ଚଳିତବର୍ଷ ବିଶ୍ୱବିଦ୍ୟାଳୟରେ କୃଷି, ଜଙ୍ଗଲ ପରିଚାଳନା, ପଶୁପାଳନ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ୩ଟି ନୂତନ ବିଜ୍ଞାନରେ ସ୍ନାତକ ଏବଂ ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ସମେତ ବିଶ୍ୱବିଦ୍ୟାଳୟର ବିକାଶ ଉପରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଜାତୀୟ ଶିକ୍ଷା ୨୦୨୦ ଅଧୀନରେ ବିଶ୍ୱବିଦ୍ୟାଳୟ ସଫଳତାର ନୂଆ ମାର୍ଗ ଅନୁସରଣ କରିବ। ଏନଇପି ୨୦୨୦ ଅନୁଯାୟୀ ସେ ଛାତ୍ରମାନଙ୍କୁ ଚାକିରି ଖୋଜିବା ନୁହେଁ, ବରଂ ଚାକିରି ପ୍ରଦାନକାରୀ ହେବାକୁ ଅନୁରୋଧ କରିଥିଲେ ଏବଂ ଆଶା କରିଥିଲେ ଯେ ପ୍ରତ୍ୟେକ ଛାତ୍ର ଦେଶର ଏକାଡେମିକ ଲିଡର ହେବେ ବୋଲି ସେ କହିଥିଲେ। ଭାଗଲପୁର ସ୍ଥିତ ଟିଏମବି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା 'ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସିୟୁଓର ଭୂମିକା' ଶୀର୍ଷକ ପ୍ରତିଷ୍ଠା ଦିବସର ଅଭିଭାଷଣ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ସେ ଲୋକାଲ ଟୁ ଗ୍ଲୋବାଲ ଏବଂ ଭୋକାଲ ଫର ଲୋକାଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍ ସି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଆସୋସିଏଟ୍ ପ୍ରଫେସର ଡଃ. ରୁଦ୍ରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆସୋସିଏଟ୍ ପ୍ରଫେସର ଡଃ. ନିର୍ଝରିନି ତ୍ରିପାଠୀ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ 'ବିଜ୍ଞାନ ଓ ସଂସ୍କୃତି' ପତ୍ରିକାର ଦୁଇଟି ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଯାହାର ସମ୍ପାଦନା କରିଥିଲେ ସିୟୁଓର ଏକାଡେମିକ୍ ପରାମର୍ଶଦାତା ପ୍ରଫେସର ସୁଧେନ୍ଦୁ ମଣ୍ଡଳ। ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ସିୟୁଓର ବରିଷ୍ଠ ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଗବେଷକ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।