ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ସମୟରେ ପଥରମାଡ଼ ଘଟଣାକୁ ନେଇ ସମ୍ବଲପୁରରେ ଲାଗୁ ହୋଇଥିବା କର୍ଫ୍ୟୁ କୋହଳ ହୋଇଛି। ଏବେ ପରିସ୍ଥିତିରେ ସୁଧୁରି ଥିବାରୁ ପୂର୍ବରୁ ଏପ୍ରିଲ ୧୭ ତାରିଖ ଠାରୁ କର୍ଫ୍ୟୁ କୋହଳ ଅବଧି ବଢ଼ାଇ ଦିଆଯାଇଛି। ସୋମବାର ଦିନ ଠାରୁ ଦିନକୁ ସାଢ଼େ ୬ ଘଣ୍ଟା କର୍ଫ୍ୟୁ କୋହଳ କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଏପ୍ରିଲ ୧୭ ତାରିଖ ସକାଳ ସାଢ଼େ ୭ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍‌ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। କର୍ଫ୍ୟୁ ବେଳେ ଅନ୍ୟ ସମସ୍ତ କଟକଣା ପୂର୍ବ ପରି ବଳବତ୍ତର ରହିବ ବୋଲି ସମ୍ବଲପୁର ଉପଜିଲ୍ଲାପାଳ ପ୍ରଭାସ ଡନସେନା ନିର୍ଦ୍ଦେଶାବଳ ଜାରି କରିଛନ୍ତି।

Advertisment

ସୂଚନାଯୋଗ୍ୟ ଶନିବାର ଦିନ ସମ୍ବଲପୁରରେ ୪ ଘଣ୍ଟା (ସକାଳ ୮ଟାରୁ ୧୦ଟା ଏବଂ ସନ୍ଧ୍ୟାରେ ୩ଟାରୁ  ସାଢ଼େ ୫ଟା) କର୍ଫ୍ୟୁ କୋହଳ ଥିଲା। ରବିବାର ଦିନ ପ୍ରତିଯୋଗିତାମୂଳକ ପରୀକ୍ଷା ଥିବାରୁ ଏହା ସକାଳ ସାଢ଼େ ୭ରୁ ସାଢ଼େ ୧୦ ଓ ସନ୍ଧ୍ୟାରେ ୪ରୁ ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରଖାଯାଇଥିଲା।

ଆଜି ସନ୍ଧ୍ୟାରେ ରାଜସ୍ୱ ବିଭାଗ ଏସିଏସ୍‌ ସତ୍ୟବ୍ରତ ସାହୁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଥିଲେ। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏସିଏସ୍‌ ଶ୍ରୀ ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବିଗତ ୪୮ ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ। ଖୁବ ଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ। ଏଥିପାଇଁ ବିଚାରବିମର୍ଶ କରୁଛୁ। କର୍ଫ୍ୟୁ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତାକାଲି ମଧ୍ୟ ଆଲୋଚନା ଜାରି ରହିବ। ସମସ୍ତେ ଭାଇଚାରା ବଜାୟ ରଖନ୍ତୁ, କାରଣ ସମ୍ବଲପୁର ସଂସ୍କୃତି ସମ୍ପନ୍ନ ଓ ଉନ୍ନତ ସହର। ଆଜି ସମ୍ବଲପୁରରେ ୩୦୦୦ ପିଲା ସୁରୁଖୁରୁରେ ପରୀକ୍ଷା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଉପଜିଲ୍ଲାପାଳ, ମ୍ୟୁନିସିପାଲିଟିର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଶନିବାର ଓ ରବିବାର ଦିନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ସମ୍ବଲପୁରରେ ସ୍ଥିତି ପରଖିଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ। ଏବେ ତ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ। ସେ ଆହୁରି କହିଥିଲେ ଯେ ଏବେ ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରୁଛି। ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରାଯାଇଛି। ଅପ୍ରୀତିକର ଘଟଣାରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ, ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରଶାସନ ଜିଲ୍ଲାର ସୀମା (ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁବର୍ଣ୍ଣପୁରକୁ ଲାଗିଥିବା ଅଞ୍ଚଳ)କୁ ସିଲ କରିଦେଇଛି। ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ ରହିଛି। ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସହରର ଚାରିଆଡେ ପୁଲିସ ଛାଉଣୀ ଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି।