ଜୈବିକ ପଦ୍ଧତିରେ ଫୁଲ କୋବି ଚାଷ: ୨୫୦ ଏକର ଜମିରେ ଚାଷ କରିଛନ୍ତି ୩୧୫ ଚାଷୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁଧାର କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିର କରୁଥିବାରୁ ବଜାରରେ ଏହି ଫୁଲ କୋବିର ଭଲ ଚାହିଦା ରହିଛି। ଏହାକୁ ବିକ୍ରି କରି ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି। ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଫୁଲ କୋବି ଚାଷ କରାଯାଉଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଏଥିପାଇଁ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

‘ଆଦିବାସୀ ବର୍ଗର ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ‘ମିଶନ ଜୀବିକା’ ଅଧୀନରେ କୃଷି ଓ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇ ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା। ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି’, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ। ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୯ଟି ବ୍ଳକ ରହିଛି। ତା’ ଭିତରୁ ୩ଟି ବ୍ଲକ- ବାଲିଶଙ୍କରା, ହେମଗିର ଏବଂ କୁତ୍ରା ବ୍ଲକରେ ଫୁଲ କୋବି ଚାଷ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୫୦ ଏକର ଜମିରେ ୩୧୫ ଜଣ ଚାଷୀ ଏହି ଚାଷ କରିଛନ୍ତି। ଫୁଲ କୋବି ଅମଳ ହେବା ପରେ ଚାଷୀମାନେ ଏହାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରି ପାରୁଛନ୍ତି। ‘ଏଥର ଫୁଲ କୋବି ଫସଲ ଭଲ ହୋଇଛି। ବଜାରରେ ଏହା ଭଲ ଦରରେ ବିକ୍ରି ହେଉଛି। ଭଲ ବିହନ ମିଳିଥିବାରୁ ଫୁଲ କୋବି ଉତ୍ପାଦନ ମଧ୍ୟ ଭଲ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ମତେ ଫୁଲ କୋବିରୁ ଅଧିକ ଲାଭ ମିଳିଛି’, କହନ୍ତି କୁତ୍ରା ବ୍ଲକର ଜଣେ ଚାଷୀ ହାରୁନ୍ ବରୁଆ।

Sambad

ଫୁଲ କୋବି ଚାଷ ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଚାଷୀ ମାନଙ୍କୁ ମାଗଣାରେ ବିହନ ଏବଂ ଜୈବିକ ସାର ଦିଆଯାଉଛି। ତା’ଛଡ଼ା ମିଶନ ଜୀବିକାର ବିଶେଷଜ୍ଞ ଟିମ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫୁଲ କୋବିର ରୋଗ ପୋକ ପରିଚାଳନା ପାଇଁ ଏହି ବିଶେଷଜ୍ଞ ଟିମ ଚାଷୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। ‘ଫୁଲ କୋବି ଚାଷରେ ଆମେ ଆଗରୁ ରାସାୟନିକ ସାର ପ୍ରୟୋଗ କରୁଥିଲୁ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ମାଗଣାରେ ଜୈବିକ ସାର ମିଳିବା ଫଳରେ ଆମେ ଏବେ ଏହାର ବ୍ୟବହାର କରୁଛୁ। ଏହା ଫଳରେ ଫୁଲ କୋବି ଏଥର ଭଲ ଅମଳ ହେଉଛି’, କହନ୍ତି ସୁନ୍ଦରଗଡ଼ର ଆଉ ଜଣେ ଚାଷୀ ପ୍ରେମଧାନୀ ବେଗ୍। ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ କୁତ୍ରା ବ୍ଲକର ରାଜବସା ଓ କଣ୍ଡେଇମୁଣ୍ଡା ଗ୍ରାମପଞ୍ଚାୟତରେ ଫୁଲ କୋବି ଚାଷ କରାଯାଇଛି। ସେହିପରି ହେମଗିର ବ୍ଲକର କେନ୍ଦୁଡିହି, ଗରଜନଜୋରି ଓ ହେମଗିର ଗ୍ରାମପଞ୍ଚାୟତ ସହିତ ବାଲିଶଙ୍କରା ବ୍ଲକର ତୁମୁଲିଆ, ସାଗବାହାଲ ଏବଂ  ବେହେରାଡିହି ଗ୍ରାମପଞ୍ଚାୟତର ଚାଷୀ ଏହି ଚାଷ କରିଛନ୍ତି। ମିଶନ ଜୀବିକା କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି ଅଧିକ ରୋଜଗାର କରି ପାରୁଛନ୍ତି। ଚଳିତବର୍ଷ ସେମାନେ ଫୁଲ କୋବି ସହିତ ଟମାଟୋ, ଲଙ୍କା, ବାଇଗଣ ଏବଂ ଆଳୁ ଚାଷ କରିଛନ୍ତି। ତେବେ ଫୁଲ କୋବି ଋତୁକାଳୀନ ଫସଲ ହୋଇଥିବାରୁ ଏହା ଆଦିବାସୀ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ବେଶ ସହାୟକ ହୋଇ ପାରିଛି।

ସମ୍ବନ୍ଧିତ ଖବର