ଜୟପୁର: ଜନଧନ ଯୋଜନା ଅର୍ନ୍ତଗତ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲକ୍ଷାଧିକ ଟଙ୍କା ଜମା ରହିବା ପରେ ବି ଜରୁରୀ ସମୟରେ ଟଙ୍କା ଉଠାଇ ନ ପାରି ଗ୍ରାମାଞ୍ଚଳର ଜଣେ ବୃଦ୍ଧ, ବିଧବା ବୋଉ, ଅନାଥ ନାତିକୁ ହଟହଟା ହେବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ବର୍ଷ ତଳେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତର ସୁନ୍ଦର ମୁଦୁଲିଙ୍କ ପୁଅ ଗୁପ୍ତ ମୁଦୁଲିଙ୍କର ବାଘ୍ରାଛକରେ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୋଟରଯାନ ଦୁର୍ଘଟଣା ଆଇନ ମାମଲାରେ କୋର୍ଟ ନିର୍ଦେଶ କ୍ଷତିପୁରଣ ବାବଦ ଟଙ୍କାର ଚେକ୍ ବୀମା କମ୍ପାନି ଦେଇଥିଲା। ସୁନ୍ଦର ମୁଦୁଲି, ବିଧବା ବୋଉ ରାଧା ମୁଦୁଲି, ନାତି ଚନ୍ଦ୍ର ମୁଦୁଲି ନାଁରେ ଜନଧନ ଯୋଜନାରେ ସ୍ଥାନୀୟ କରପୋରେସନ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜମା କରିଥିଲେ। କ୍ଷତିପୁରଣ ଟଙ୍କାର ଫିକ୍ସଡ୍ ଜମା ବି ଏହି ଆକାଉଣ୍ଟରେ ହୋଇଥିଲା। ଏହାରି ମଧ୍ୟରେ ତିନୋଟି ବ୍ୟାଙ୍କର ସମ୍ମିଶ୍ରଣ ପରେ ଏହି ବ୍ୟାଙ୍କ ୟୁନାଇଟେଡ୍ ବ୍ୟାଙ୍କ ହୋଇଛି। ଏହି ବ୍ୟାଙ୍କକୁ ସୁନ୍ଦର, ରାଧା, ଚନ୍ଦ୍ରଙ୍କ ଆକାଉଣ୍ଟ ସ୍ଥାନାନ୍ତର ହୋଇଥିଲା।
ବ୍ୟାଙ୍କ ଖାତାକୁ ସଚଳ ରଖିବା ପାଇଁ ପ୍ରତ୍ୟେକ ଦୁଇମାସରେ ଥରେ ଟଙ୍କା ଦେଣନେଣ କରି ଖାତାକୁ ଅପଡ଼େଟ୍ କରିବା ନିରକ୍ଷର ଏବଂ ଦିନ ମଜୁରିଆ ସୁନ୍ଦର ଓ ତାଙ୍କ ପରିବାରର ଲୋକେ ଜାଣି ପାରିଲେ ନାହିଁ। ଏବଂ ଏହି ସ୍ଥିତିରେ ଖାତା ଗୁଡ଼ିକ ଡରମେଟ୍ ହୋଇଯାଇଥିଲା। ଫଳ ସ୍ବରୁପ ସୁନ୍ଦରଙ୍କ ଆକାଉଣ୍ଟରେ ୬୨ ହଜାର ୬୦୨ ଟଙ୍କା, ରାଧାଙ୍କ ଆକାଉଣ୍ଟରେ ୨ ଲକ୍ଷ ୧୦୭୧ ଟଙ୍କା, ଚନ୍ଦ୍ରଙ୍କ ଆକାଉଣ୍ଟରେ ୫୪ ହଜାର ୩୯୮ ଟଙ୍କା ରହିଥିବା ସତ୍ବେ ଜରୁରୀ ଥିବା ବେଳେ ମାତ୍ର ୫ ହଜାର ଟଙ୍କା ବି ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରି ପାରି ନଥିଲେ।
ଏଥି ପୂର୍ବରୁ ବି ବହୁବାର ସୁନ୍ଦର ବ୍ୟାଙ୍କକୁ ଆସି ହଇରାଣ ହରକତ ହୋଇ ଖାଲି ହାତରେ ଫେରିଥିବା କହିଛନ୍ତି। ଏହି ସ୍ଥିତିରେ କୋଭିଡ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରିଲିଫର ତିନିମାସର ୧୫୦୦ ଟଙ୍କା ବି ସେମାନେ ଉଠାଇ ପାରିନଥିବା କହିଛନ୍ତି ସୁନ୍ଦର। ଏସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧି ମାନେ ଜାଣିବା ପରେ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ଶାଖା ପରିଚାଳକ ଅଲୋକ ତିର୍କୀଙ୍କ ସହ ଆଲୋଚନା କରିଥିଲେ। ଜନଧନ ଯୋଜନା ପାସବୁକ ଗୁଡ଼ିକ ୨ମାସ ଯଦି ଦେଣନେଣ କରାନଗଲେ ଅନଲାଇନରେ ହିଁ ଡରମେଟ୍ ହୋଇ ଯାଉଛି ବୋଲି କହିଛନ୍ତି ପରିଚାଳକ ଶ୍ରୀ ତିର୍କୀ। ଗ୍ରାମାଞ୍ଚଳର ନିରକ୍ଷର ଲୋକେ ବ୍ୟାଙ୍କ ଗୁଡ଼ିକର ନୂଆ ସିଷ୍ଟମ ସମ୍ପର୍କରେ ଅବଗତ ହୋଇ ପାରୁନଥିବା ବେଳେ ବ୍ୟାଙ୍କ ପକ୍ଷରୁ ବି ସଚେତନତା ସୃଷ୍ଟି କରାଯାଉନି। ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସୁନ୍ଦର, ରାଧା ଓ ଚନ୍ଦ୍ରଙ୍କର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବା ସହ ନିଜ ଟଙ୍କା ଉଠାଣ କରି ନେଇ ଯାଇଥିଲେ। କେବଳ ଯେ ସୁନ୍ଦର, ରାଧା, ଚନ୍ଦ୍ରଙ୍କର ଏହି ସମସ୍ୟା ହେଉଛି ତାହା ନୁହେଁ ଜନଧନ ଯୋଜନାରେ ଖାତା ଖୋଲିଥିବା ଗ୍ରାମାଞ୍ଚଳର ବହୁ ଜମାକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।