‘ତୁମମାନଙ୍କର ଲମ୍ବା କ୍ୟାରିୟର ଅଛି, କେସ ହେଲେ ପ୍ରଭାବ ପଡିବ’ ଏଭଳି କହି ପ୍ରତିବାଦକାରୀଙ୍କୁ ବୁଝାଇଲେ କଟକ ଡିସିପି

କଟକ: ନା ଲାଠି ଥିଲା, ନା ବନ୍ଧୁକ ଥିଲା | ସାମ୍ନାରେ ଥିଲେ ସାନ ଭାଇ ବୟସର କିଛି ଯୁବକ | ଆଉ ସେମାନଙ୍କୁ ବଡ ଭାଇ ଭଳି ବୁଝାଇଲେ ଡିସିପି | ଆଜି କଟକରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ କହିବେ ବିନା ଲାଠିରେ ବି ବୁଝାଇହେବ, ବିନା ଆଖି ଦେଖାଇ ବି ବିରୋଧୀଙ୍କ ମନ ଜିଣିହେବ | କଟକ ଆର୍ମି ଅଫିସ ପାଖେ ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ଆଜି ଶତାଧିକ ଯୁବକ ରାସ୍ତା ଉପରେ ପ୍ରତିବାଦ କରିଥିଲେ | କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପ୍ରତିବାଦକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା | ଆଉ ଏହି ସମୟରେ ସେଠାରେ ପହଞ୍ଚିଯାଇଥିଲେ କଟକ ଡିସିପି ପିନାକ ମିଶ୍ର |

ଡିସିପିଙ୍କୁ ଦେଖି ପ୍ରତିବାଦକାରୀ ଯୁବକ ପ୍ରତିବାଦ କରୁଥିଲେ ସେମାନଙ୍କୁ ବୁଝାଇବାକୁ ଲାଗିପଡ଼ିଥିଲେ ପିନାକ ମିଶ୍ର | ନିଜର ସାନ ଭାଇ ବୟସର ଯୁବକମାନଙ୍କୁ ପିନାକ କହିଥିଲେ ଯେ, ‘ତୁମମାନଙ୍କର ଲମ୍ବା କ୍ୟାରିୟର ଅଛି | ଆଇନକୁ ହାତକୁ ନେଲେ, ପୁଲିସ କେସ ହେବ ଓ ତୁମମାନଙ୍କର କ୍ୟାରିୟର ଉପରେ ପ୍ରଭାବ ପଡିବ | ତୁମେମାନେ ବିଲକୁଲ ଆଇନକୁ ହାତକୁ ନିଅନାହିଁ | ତୁମାନଙ୍କର ଯାହା ବି ଅଭିଯୋଗ ଅଛି ତାହାକୁ ସଠିକ ଢଙ୍ଗରେ ଜଣାଅ |ତୁମେମାନେ ବିକ୍ଷୋଭ କରୁଛ, ତୁମମାନଙ୍କର ଅଧିକାର ଅଛି | କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁମେମାନେ ଭଙ୍ଗାରୁଜା କରିବ ଓ ଲୋକଙ୍କୁ ହଇରାଣ କରିବ | ଆମେ ତୁମ ସାଥିରେ ଅଛୁ, ତୁମମାନଙ୍କ କ୍ୟାରିୟର ଉପରେ କୌଣସି ପ୍ରଭାବ ପଡିବ ନାହିଁ’ | ଡ଼ିସିପିଙ୍କ ଏଭଳି କଥା ଶୁଣି ପ୍ରତିବାଦକାରୀ ଶାନ୍ତ ପଡ଼ିଥିଲେ ଆଉ ଆଇନଶୃଙ୍ଖଳା ହାତକୁ ନେବେ ନାହିଁ ବୋଲି କହିଥିଲେ |

ସମ୍ବନ୍ଧିତ ଖବର