ଆଇଆଇଏଫଏଲ କେଳେଙ୍କାରୀର ପେଡ଼ି ଖୋଲୁଛି; ୨୨ କୋଟି ସମ୍ପତ୍ତିର ମାଲିକ ‘ଭୂତ’!

ଚୌଧୁରୀବଜାର ମୁଥୁଟ୍‌ରେ ବି ଚୋରା ସୁନା; ମାନାପୁରମର ୧୫ ନକଲି ଆକାଉଣ୍ଟରେ ୮ କେଜି ସୁନା! ଆଇଆଇଏଫଏଲ ନିର୍ଦ୍ଦେଶକଙ୍କ ଉପରେ ବର୍ଷିଲେ ସିପି; ୫ଜଣଙ୍କୁ ତିନିଦିନିଆ ରିମାଣ୍ଡ୍‌

କଟକ: ନୟାସଡ଼କ ଆଇଆଇଏଫଏଲରୁ କରିତକର୍ମା ଲାଲା ଅମୃତ ସାଗର ରାୟ ୨୪ କେଜି ଓଜନର ସୁନା ଅଳଙ୍କାର(୧୨ କୋଟି) ଓ ୧୦ କୋଟି ଟଙ୍କା ୪ ବର୍ଷରେ ଲୁଟିଥିବା କୁହାଯାଉଛି। ଗ୍ରାହକଙ୍କ ଲୁଟ୍‌ ସମ୍ପତ୍ତି ଅମୃତ ବଜ୍ରକବାଟି ମାନାପୁରମ୍‌ ଫାଇନାନ୍ସ ସହିତ ଚୌଧୁରୀବଜାର ମୁଥୁଟ୍‌ ଫାଇନାନ୍ସରେ ବି ନକଲି ଆକାଉଣ୍ଟ ଖୋଲି ଜମା କରିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଆଜି କମିସନରେଟ୍‌ ପୁଲିସ ହାତରେ ଲାଗିଛି। ଏହି ଆକାଉଣ୍ଟର ସମସ୍ତ ଗ୍ରାହକ ଜାଲି। ପୁଲିସ ଆଜି ମାନାପୁରମ୍‌ ଶାଖାରେ ପ୍ରାୟ ୧୫ଟି ନକଲି ଆକାଉଣ୍ଟ ଚିହ୍ନଟ କରିବା ସହିତ ପାଖାପାଖି ୮ କେଜି ଓଜନର ସୁନା ଅଳଙ୍କାର ଜବତ କରିଥିବା କୁହାଯାଉଛି।

ଆସନ୍ତାକାଲି ମୁଥୁଟ୍‌ ଫାଇନାନ୍ସରେ ଚଢ଼ାଉ କରିବାକୁ ପୁଲିସ ଟିମ୍‌ ଯୋଜନା କରୁଛି। ଆଜି ରାତିରେ ଲାଲା ଅମୃତଙ୍କ ସମେତ ଡକାୟତିରେ ସାମିଲ ଥିବା ସନ୍ତୋଷ ଭୋଇ, ପବିତ୍ର କୁମାର ବେହେରା, ପ୍ରକାଶ କୁମାର ସାହୁ ଏବ˚ ରାଜକିଶୋର ସାହୁକୁ ୩ ଦିନିଆ ରିମାଣ୍ତରେ ମିଳିଛି। ଆସନ୍ତା ୨୮ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ନୟାସଡ଼କ ଆଇଆଇଏଫ୍‌ଏଲ୍‌ରେ ଲାଲା ଅମୃତ ସାଗର ରାୟ ୨୦୧୧ରୁ ଆସିଷ୍ଟାଣ୍ଟ ମ୍ୟାନେଜର(ଗୋଲଡ୍‌ ଆପ୍ରାଇଜର‌୍‌) ଭାବେ କାର୍ଯ୍ୟ କରୁଥିବା ବେଳେ ତା ସହିତ ସମ୍ପର୍କ ଯୋଡ଼ିଥିଲା ସେହି ସ˚ସ୍ଥାର ଆସିଷ୍ଟାଣ୍ଟ ମ୍ୟାନେଜର ନୀଳିମା ଲେଙ୍କା। ଉଭୟ ୨୦୧୬ରୁ ଉକ୍ତ ଶାଖାରେ ଗ୍ରାହକଙ୍କ ସୁନା ଅଳଙ୍କାର ଲୁଟିବା ଆରମ୍ଭ କରିଥିଲେ।

ଗ୍ରାହକ ଯେଉଁ ପରିମାଣର ସୁନା ବନ୍ଧକ ରଖି ଟଙ୍କା ଋଣ ନେଉଥିଲେ ଏହି ଦୁଇଜଣ ଉକ୍ତ ଗ୍ରାହକଙ୍କ ଅଜାଣତରେ ନକଲି ସୁନା ଜମା କରି ଜମା ପରିମାଣ ବୃଦ୍ଧି କରୁଥିଲେ। ଜମା ହୋଇଥିବା ଅବଶିଷ୍ଟ ନକଲି ସୁନା ବଦଳରେ ଟଙ୍କା ଉଭୟ ଲୁଟି ନେଉଥିଲେ। ଏମାନଙ୍କୁ ଆଇଆଇଏଫଏଲ ବାର୍ଷିକ ନିର୍ଦ୍ଦିଷ୍ଟ ସ˚ଖ୍ୟାର ସୁନା ବନ୍ଧକ ବାବଦ ଟାର୍ଗେଟ୍‌ ବି ଦେଉଥିଲା। ଟାର୍ଗେଟ୍‌ ପୂରଣ ନହେଲେ ଏମାନେ ନକଲି ସୁନା ଗ୍ରାହକଙ୍କ ନାଁରେ ଜମା କରି ଟାର୍ଗେଟ୍‌ ପୂରଣ କରୁଥିଲେ। ନକଲି ସୁନା ବାବଦ ସ˚ସ୍ଥାରୁ ଋଣଟଙ୍କା ଲୁଟି ନେଉଥିଲେ। ଏମିତିକି ଜାଲି ପରିଚୟପତ୍ର ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲାଯାଉଥିଲା। ଉକ୍ତ ଗ୍ରାହକଙ୍କ ନାଁରେ କୌଣସି ସୁନା ବନ୍ଧକ ନରଖି ବି ଇଣ୍ଟରନେଟରୁ ସୁନାର ଫଟୋ ଡାଉନଲୋଡ କହି ସମ୍ପୃକ୍ତ ଭୂତ ଗ୍ରାହକ ନାଁରେ ଜମା ହୋଇଥିବା ଦର୍ଶାଇ ଆଇଆଇଏଫଏଲ୍‌ ମୁମ୍ବାଇ ଶାଖାକୁ ପଠାଉଥିଲେ।

ଏହି ଜାଲି ଉପାୟରେ ମଧ୍ୟ ସେମାନେ ଋଣ ଟଙ୍କା ଲୁଟି ନେଇଥିଲେ। କେବଳ ଏତିକି ନୁହେଁ, ବଜ୍ରକବାଟି ମାନାପୁରମ୍‌ ଫାଇନାନ୍ସ ଏବ˚ ଚୌଧୁରୀବଜାର ମୁଥୁଟ୍‌ ଫାଇନାନ୍ସରେ ବି ଏକାଧିକ ଜାଲି ପରିଚୟରେ ଆକାଉଣ୍ଟ ଖୋଲାଯାଇଥିଲା। ଆଇଆଇଏଫଏଲରୁ ଲୁଟିଥିବା ସୁନା ଅଳଙ୍କାରଗୁଡ଼ିକ ଉକ୍ତ ଦୁଇଟି ଶାଖାରେ ଖୋଲିଥିବା ନକଲି ଆକାଉଣ୍ଟରେ ଜମା କରି ଋଣ ଟଙ୍କା ଲୁଟିଥିବା ଜଣାପଡ଼ିଛି। ଲାଲା ଅମୃତ ନିକଟରୁ ଜବତ ହୋଇଥିବା ଏକ ଡାଏରିରୁ ଏହି ନକଲି ଆକାଉଣ୍ଟ ସମ୍ପର୍କରେ ସୂଚନା ମିଳିଛି। ପୁଲିସ ଆଜି ମାନାପୁରମରେ ଚଢ଼ାଉ ଜାରି ରଖିଥିବାବେଳେ ଆସନ୍ତାକାଲି ତାକୁ ରିମାଣ୍ତରେ ଆଣିଲା ପରେ ଚୌଧୁରୀବଜାର ମୁଥୁଟ ଫାଇନାନ୍ସରେ ଚଢ଼ାଉ କରିବାକୁ ଯୋଜନା କରୁଛି। ଜଣେ ବଣିଆଙ୍କୁ ବି ଏଥିରେ ନିୟୋଜିତ କରାଯାଇଛି। ଏହି ଦୁଇଟି ସ˚ସ୍ଥାରେ ଯେଉଁ ସୁନା ବନ୍ଧକ ରଖାଯାଇଛି, ଏଥିରୁ କେତେ ପରିମାଣରେ ଅସଲି ଓ ନକଲି ସୁନା ରହିଛି, ସେ ନେଇ ଯାଞ୍ଚ କରାଯାଉଛି। ଆସନ୍ତାକାଲି ଗୁରୁବାର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଦୁଇ ସ˚ସ୍ଥାର କେଳେଙ୍କାରୀ ପର୍ଦ୍ଦାଫାସ କରିବାକୁ ଯୋଜନା କରୁଥିବା କୁହାଯାଉଛି।

ଅନ୍ୟପଟେ ବମ୍ବେସ୍ଥିତ ଆଇଆଇଏଫଏଲ ନିର୍ଦ୍ଦେଶକ ଏଭଳି ଘଟଣା ନୟାସଡ଼କରେ ଘଟିବା ପରେ ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଡ଼ଙ୍ଗୀଙ୍କୁ ଭେଟିବାକୁ ଓଡ଼ିଶା ଆସିଥିଲେ। ନୟାସଡ଼କ ଶାଖାରେ ଯେଭଳି ଢିଲା ସୁରକ୍ଷା ବ୍ୟବସ୍ଥା ଏବ˚ ଦୁଇ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମ୍ପୃକ୍ତି ସାମନାକୁ ଆସିଛି, ଏହାକୁ କେନ୍ଦ୍ର କରି ପୁଲିସ କମିସନର ସମ୍ପୃକ୍ତ ନିର୍ଦ୍ଦେଶକଙ୍କ ଉପରେ ବର୍ଷିଛନ୍ତି। ଏଭଳି ଅଣ ବ୍ୟାଙ୍କି˚ ଫାଇନାନ୍ସିଆଲ୍‌ ଇନଷ୍ଟିଚ୍ୟୁଟର ରେଗୁଲେଟୋରି ଅଥରିଟି ରିଜର୍ଭ ବ୍ୟାଙ୍କ ହୋଇଥିବାବେଳେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ପୁଲିସ କମିସନର ଡକ୍ଟର ଷଡ଼ଙ୍ଗୀ ଆର୍‌ବିଆଇକୁ ଚିଠି ଲେଖିବେ ବୋଲି କହିଛନ୍ତି। ଏଭଳି ସ˚ସ୍ଥାର ପରିଚାଳନା ବ୍ୟବସ୍ଥା ଏବ˚ ବାର୍ଷିକ ଅଡିଟରଙ୍କ ଅଡିଟ୍‌ ଭିତରେ ଯେଉଁ ଫାଙ୍କ ରହିଛି, ପୁଲିସ ସେଗୁଡ଼ିକ ତଦନ୍ତରେ ସାମନାକୁ ଆଣିବାକୁ ଉଦ୍ୟମ ଚଳାଇଛି। ଏହି ଫାଙ୍କି ଦିଗ ସମ୍ପର୍କରେ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯିବା ସମ୍ପର୍କରେ ଡକ୍ଟର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏବେ କମିସନରେଟ୍‌ ପୁଲିସର ସ୍କାନର୍‌ରେ ନୟାସଡ଼କ ଆଇଆଇଏଫଏଲରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ଅଡିଟ୍‌ କରିଥିବା ୪ ଅଡିଟର‌୍‌ ଅଛନ୍ତି। ଏମାନଙ୍କୁ ପୁଲିସ କୌଣସି ମୁହୂର୍ତ୍ତରେ ଜେରା କରିବାର ସମ୍ଭାବନା ରହିଛି। ସହରରେ ଥିବା ଅଣବ୍ୟାଙ୍କି˚ ଫାଇନାନ୍ସିଆଲ୍‌ ଇନଷ୍ଟିଚ୍ୟୁଟ୍‌ରେ ବାର୍ଷିକ ଅଡିଟ୍‌ କିଭଳି ଚାଲିଛି, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। କେବଳ କଟକ ନୟାସଡ଼କ ଆଇଆଇଏଫଏଲରେ ଏଭଳି କେଳେଙ୍କାରୀ ହୋଇଛି ନା’ ଆଉ କେଉଁ ଶାଖାରେ ହୋଇଛି, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଆରବିଆଇ ପୂରା ବ୍ୟବସ୍ଥାର ସମୀକ୍ଷା କରିବା ସହିତ ନିୟମରେ ପରିବର୍ତ୍ତନ କରିବାକୁ ପୁଲିସ ପ୍ରସ୍ତାବ ଦିଆଯିବ। ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୫ ଜଣଙ୍କୁ ସଦର ଏସ୍‌ଡିଜେଏମ୍‌ କୋର୍ଟ ରିମାଣ୍ତ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ମାମଲା ପରିଚାଳନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର