କର୍କଟ କେନ୍ଦ୍ରରୁ ଛଟେଇ ହେବା ପରେ ପକ୍ଷାଘାତରେ ପୀଡ଼ିତ ଝରି ବାରିକ

କଟକ: ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ୧୫ଜଣ କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ସେମାନେ ଏବେ ଦୁର୍ଦ୍ଦିନ ଭିତରେ ଗତି କରିଲେଣି। ବେରୋଜଗାର ସହିତ ପରିବାର ବୋଝକୁ ନେଇ ଅନେକ ମାନସିକ ଚାପରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କ୍ଲିନର ଭାବେ କାର୍ଯ୍ୟ କରିଥିବା ଝରି ବାରିକ ଅଧିକ ମାନସିକ ଚାପ ଯୋଗୁଁ ଏବେ ପକ୍ଷାଘାତର ଶିକାର ହୋଇଛନ୍ତି। ଗତ ୩ ତାରିଖରୁ ପକ୍ଷାଘାତ ହୋଇ ତାଙ୍କର ଡାହାଣ ପଟ ଗୋଡ଼ ହାତ ଅକାମି ହୋଇଯାଇଛି। ସହାୟତା କରିବାକୁ ପାଖରେ କେହି ନଥିବାରୁ କର୍କଟ କେନ୍ଦ୍ରର କିଛି କର୍ମଚାରୀ ତାଙ୍କର ଦେଖାଶୁଣା କରୁଛନ୍ତି।

ଝରିଙ୍କ ଘର ନୟାଗଡ଼ରେ। ଗାଁରେ ସ୍ତ୍ରୀଙ୍କ ସହ ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ଗୋଟିଏ ପୁଅ ବାହା ହୋଇଯାଇଥିଲେ ବି ଆଉ ଦୁଇଜଣଙ୍କ ଭବିଷ୍ୟତକୁ ନେଇ ଝରି ସବୁବେଳେ ଚିନ୍ତାରେ ରହୁଥିଲେ। କଟକରେ ବିଜୁ ପଟ୍ଟନାୟକ ଛକସ୍ଥିତ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି। କର୍କଟ କେନ୍ଦ୍ରରୁ ମିଳୁଥିବା ଦରମା ପର୍ଯ୍ୟାପ୍ତ ହେଉ ନଥିବାରୁ ରୋଷେୟା ଭାବେ କାମ କରି ଆଉ କିଛି ଟଙ୍କା ଯୋଗାଡ଼ କରିଥାନ୍ତି। ଚାକିରିରୁ ଛଟେଇ ହେବା ପରେ ତାଙ୍କର ରକ୍ତଚାପ ବଢ଼ିଯାଇଥିଲା। ଅଧିକ ରକ୍ତଚାପ ଯୋଗୁଁ ତାଙ୍କୁ ପକ୍ଷଘାତ ହୋଇଯାଇଥିବା କୁହାଯାଉଛି।

ଅସୁସ୍ଥ ହେବା ପରେ ତାଙ୍କୁ ବଡ଼ ମେଡିକାଲ୍‌ ଅଣାଯାଇ ଚିକିତ୍ସା କରାଯାଇଥିଲା। ପରେ ବିଜୁ ପଟ୍ଟନାୟକ ଛକସ୍ଥିତ ଘରେ ତାଙ୍କର ଚିକିତ୍ସା ଚାଲିଛି। କେବଳ ଝରି ନୁହନ୍ତି, ତାଙ୍କ ଭଳି ଆହୁରି କିଛି ଛଟେଇ କର୍ମଚାରୀ ସମାନ ପ୍ରକାରର ଅବସ୍ଥା ଦେଇ ଗତି କରୁଛନ୍ତି। ଯେଉଁଠାରେ ଏତେବର୍ଷ ଧରି କାମ କରିଆସୁଥିଲେ, ହଠାତ୍‌ ସେଠାରୁ ଛଟେଇ କରାଯିବାରୁ ପରିବାର ପୋଷଣ କରିବା କଷ୍ଟକର ହୋଇପଡୁଛି। ତେଣୁ ସରକାରଙ୍କ ପକ୍ଷରୁ ଏମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ କେତେଜଣ କର୍ମଚାରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର