ବନ୍ଦ ହେଇଯିବ ଏସ୍‌ସିବି ଜରାରୋଗ ବିଭାଗ!, କାଗଜପତ୍ରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ମାନ୍ୟତା

ଅଧୀକ୍ଷକଙ୍କୁ ଚିଠି: ବିନା କର୍ମଚାରୀରେ କେମିତି ଚାଲିବ ବିଭାଗ?

କଟକ : ହାତ ଟେକିଦେଲେ ଡାକ୍ତର। କେମିତି ଚଳାଇବି ବିଭାଗ? ବାରମ୍ବାର କହୁଛି , ହେଲେ କେହି ଶୁଣୁନାହାନ୍ତି। ବାରମ୍ବାର କର୍ମଚାରୀ, ନର୍ସ, କନିଷ୍ଠ କିରାଣୀ ଦେବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖୁଛି। କିନ୍ତୁ ତା’ର ଉତ୍ତର ବି ମିଳୁନି। ଏଭଳି ସ୍ଥିତିରେ ଶେଷରେ ଆଜି ପୁଣି ଥରେ ଜେରିଆଟ୍ରିକ୍‌ ବିଭାଗର ପ୍ରଫେସର ତଥା ଦାୟିତ୍ବରେ ଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଡ଼ି.ଏନ୍‌ ମହାରଣା ଏସ୍‌ସିବି ଅଧୀକ୍ଷକଙ୍କୁ ଚିଠି ଲେଖି ତୁରନ୍ତ କର୍ମଚାରୀ ଦେବା ପାଇଁ ଅନୁରୋଧ କରିଛନ୍ତି।

ଅନ୍ୟପଟେ କିନ୍ତୁ ସାତ ବର୍ଷ ହେଲୋ କେନ୍ଦ୍ରସରକାର ଏସ୍‌ସିବି ଜରାରୋଗ (ଜେରିଆଟ୍ରିକ) ବିଭାଗକୁ ରିଜିଓନାଲ ସେଣ୍ଟର ଭାବେ ଘୋଷଣା କରିଛନ୍ତି। କିନ୍ତୁ ସବୁ ସୀମିତ ରହିଛି କାଗଜପତ୍ରରେ। ଏଭଳି ସ୍ଥିତିରେ ବିଭାଗକୁ ବନ୍ଦ କରିଦେବା ଭଳି ସ୍ଥିତି ଉପୁଜିଛି।

ସୂଚନା ଅନୁଯାୟୀ ଏସ୍‌ସିବି ମେଡିକାଲରେ ୨୦୦୪ରୁ କାମ କରୁଛି ଜରାରୋଗ ବିଭାଗ। ଓଡିଶା ସରକାରଙ୍କ ଗେଜେଟ୍‌ ନମ୍ବର ୯୮୧ ଅନୁସାରେ ୨୦୦୯, ୧୯ଜୁଲାଇରୁ ଏସ୍‌ସିବି ଜେରିଆଟ୍ରିକ୍‌ ବା ଜରାରୋଗ ବିଭାଗର ଦାୟିତ୍ବ ପ୍ରଫେସର ଡାକ୍ତର ଧୀରେନ୍ଦ୍ର ନାଥ ମହାରଣାଙ୍କୁ ଦିଆଯାଇଛି। ଏଥିପାଇଁ କର୍ମଚାରୀ, ରୋଗୀଙ୍କ ବେଡ଼୍‌ ଓ ଆବଶ୍ୟକ ଭିତ୍ତିଭୂମି ସବୁ ଏସ୍‌ସିବି କର୍ତ୍ତୃପକ୍ଷ ମଧ୍ୟ ଯୋଗାଇ ଦେଇଥିଲେ। କିନ୍ତୁ ଦିନକୁ ଦିନ ଏହି ବିଭାଗ ରୁଗ୍ଣ ହେବାରେ ଲାଗିଛି। ଏହାରି ଭିତରେ କେନ୍ଦ୍ରସରକାର ଚିଠି ନମ୍ବର ଏନ୍‌ସିଡି(ଏମ୍‌)ତା ୫/୯/୨୦୧୨ରୁ ଏହି ବିଭାଗକୁ ରିଜିଓନାଲ ଜେରିଆଟ୍ରିକ୍‌ ସେଣ୍ଟର ଭାବେ ଘୋଷଣା କରିଛନ୍ତି। କିନ୍ତୁ କେବଳ ଆଉଟ୍‌ଡୋରରେ ସୀମିତ ରହିଛି ଏହି ବିଭାଗ। କେବଳ ଗୁରୁବାର ଓ ଶନିବାର ଚାଲିଛି ଏହି ବିଭାଗର ଆଉଟ୍‌ଡୋର ଚିକିତ୍ସା। ଅନ୍ୟଦିନ ଏହି ବିଭାଗ ବନ୍ଦ। ପାଖାପାଖି ଶହେ ରୋଗୀ ଏହି ବିଭାଗର ଆଉଟ୍‌ଡୋରରେ ଚିକିତ୍ସିତ ହେଉଥିବାବେଳେ ଆବଶ୍ୟକ କର୍ମଚାରୀ ନାହାନ୍ତି। ସେଥିପାଇଁ ଆଜି ଏସ୍‌ସିବି ଅଧୀକ୍ଷକଙ୍କୁ ପ୍ରଫେସର ଡାକ୍ତର ମହାରଣା ସମସ୍ୟା ସମାଧାନ ପାଇଁ ଚିଠି ଲେଖିଛନ୍ତି। ଗ୍ରୁପ ଡ଼ି କର୍ମଚାରୀ, ଷ୍ଟାଫ୍‌ ନର୍ସ ଆବଶ୍ୟକ ଅନୁସାରେ ଯୋଗାଇ ଦେବା ପାଇଁ ଚିଠି ଲେଖିଛନ୍ତି। ଡାକ୍ତରଙ୍କ ଏଭଳି ଅସହାୟତା ଦର୍ଶାଉଥିବା ଚିଠି ଏସ୍‌ସିବି ମେଡିକାଲରେ କର୍ମଚାରୀ ଅଭାବ ଜନିତ ସ୍ଥିତିକୁ ବଖାଣୁଛି। ବାସ୍ତବ ସ୍ଥିତି ଓ ସମସ୍ୟା ସଂପର୍କରେ ଅଧୀକ୍ଷକଙ୍କୁ ଚିଠି ଲେଖି ଜଣାଇଛି ବୋଲି ପ୍ରଫେସର ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର