ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ, ୧୭ ବାଇକ୍‌ ଜବତ

କଟକ-ମହାନଦୀବିହାର : ଏକ ଆନ୍ତଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ଏହି ର‍୍ୟାକେଟ୍‌ରେ ଦୁଇ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ କଟକ ସଦର ଭାଣପୁର ଭଟ୍ଟସାହି ଜିତୁ ଓରଫ ବଣ୍ଟି ରାଉଳ ଏବଂ ସଇଣ୍ଡା ବାଲିସାହିର ଚନ୍ଦୁର ଓରଫ ଚନ୍ଦନ କିଶୋର ବେଉରା(୧୯) । ପୁଲିସ ସେମାନଙ୍କ ନିକଟରୁ ୧୭ଟି ବାଇକ୍‌ ଏବଂ ଦୁଇଟି ମୋବାଇଲ ଫୋନ୍‌ ଜବତ କରିଛି ।

ସୂଚନା ଅନୁଯାୟୀ, ଦଶହରା ସମୟରେ ଓମ୍‌ପି ଛକ ନିକଟରେ ପୁଲିସ ବ୍ଲକିଂ କରୁଥିବା ବେଳେ ଦୁଇ ସନ୍ଦିଗ୍ଧ ଯୁବକ ଏକ ହିରୋହଣ୍ଡା ସ୍ପ୍ଲେଣ୍ଡର ପ୍ଲସ୍‌(ଓଆର୍‌ ୦୧ ଏଫ୍‌ ୪୮୮୮)ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଥାନାକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ପଚରାଉଚରା କରିବା ପରେ ଉଭୟଙ୍କ ନିକଟରୁ ଏକ ଆନ୍ତଜିଲ୍ଲା ବାଇକ ଚୋରି ର‍୍ୟାକେଟ୍‌ ସମ୍ପର୍କରେ ପୁଲିସ ଖବର ପାଇଥିଲା । ଏହାପରେ ଚାଉଳିଆଗଞ୍ଜ ଆଇଆଇସି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଏକ ସ୍କ୍ଵାଡ୍‌ ଗଠନ ହୋଇ କଟକ, ବ୍ରହ୍ମପୁର, ମଞ୍ଚେଶ୍ୱର, ରଶୁଗଡ଼, ମାଳିସାହି, ବରଗଡ଼ ଅଞ୍ଚଳରେ ଚଢ଼ଉ କରି ପୁଲିସ ୧୭ଟି ବାଇକ୍‌ ଜବତ କରିଥିଲା। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲିଟୁଆ ଓରଫ ପ୍ରକାଶ ପଢ଼ିଆରୀ ଏବଂ ଧାନ୍‌ନଗରପଡ଼ା ଅଞ୍ଚଳର ବଳିଆ ଓରଫ ସନ୍ତୋଷ ସାହୁ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିବା ବେଳେ ସେମାନେ ୧୮ରୁ ୨୦ ବର୍ଷର ପିଲାଙ୍କୁ ଚୋରି କାମରେ ନିୟୋଜିତ କରୁଥିବା ଖବର ମିଳିଥିଲା ।

ଚୋରି ହୋଇଥିବା ବାଇକ୍‌ଗୁଡ଼ିକୁ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ଏସବୁକୁ ଜାଲ୍‌ ପ୍ରମାଣପତ୍ର ବଳରେ ବିକ୍ରି କରାଯାଇଥିବା ପ୍ରମାଣ ମିଳିଛି । ଏହି କାରବାର ପଛରେ ଆର୍‌ଟିଓର କିଛି ଅସାଧୁ କର୍ମଚାରୀ ଥିବା କୁହାଯାଉଛି । ବାଇକ୍‌ଗୁଡ଼ିକୁ ଭାଣପୁର ଅଞ୍ଚଳରୁ ଜବତ କରାଯାଇଛି । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲିଟୁଆ ଏବଂ ବଳିଆ ଫେରାର ହୋଇଯାଇଛନ୍ତି । ଏହି ର‍୍ୟାକେଟ୍‌ କଟକ, ଭୁବନେଶ୍ୱର, ଜଗତସିଂହପୁର ଅଞ୍ଚଳରୁ ୬୦ରୁ ଅଧିକ ବାଇକ୍‌ ଚୋରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ଆଜି ଚାଉଳିଆଗଞ୍ଜ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସିପି ତ୍ରିନାଥ ମିଶ୍ର ଚୋରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର