ଅକ୍ଷୟ ତୃତୀୟାରେ କରୋନା କୋପ: ୧୦୦ କୋଟି ଟଙ୍କାର ସୁନାଗହଣା କାରବାର ଠପ୍

ତିନି ବର୍ଷ ହେଲା ବେପାର ଗୋଲ; ୨୦୧୯ରେ ଦାଉ ସାଧିଥିଲା ଫନି

କଟକ: ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ତିନି ବର୍ଷ ଧରି ଅକ୍ଷୟ ତୃତୀୟାର ସୁନାଗହଣା କାରବାର ଗୋଲ ହୋଇଯାଇଛି। ୨୦୧୯ରେ ଫନି ପାଇଁ ଗହଣା କାରବାର ମାନ୍ଦା ପଡ଼ିଥିବା ବ‌େଳେ ୨୦୨୦ ଓ ୨୦୨୧ ଦୁଇ ବର୍ଷରେ କରୋନା ଲକ୍‌ଡାଉନ୍ ଅକ୍ଷୟ ତୃତୀୟାର ସୁନାଗହଣା ବ୍ୟବସାୟକୁ ସଂପୂର୍ଣ୍ଣ ଠପ୍‌ କରିଛି। ଅକ୍ଷୟ ତୃତୀୟାରେ ସହରରେ ୧୦୦ କୋଟିର ସୁନାଗହଣା କାରବାର ହେଉଥିବା ବେଳେ ତାହା ସଂପୂର୍ଣ୍ଣ ଶୂନ ହୋଇଯାଇଛି। ସୁନା ଓ ତାରିକାସୀ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କଟକ ସହରରେ ଛୋଟବଡ଼ ୨୦୦ରୁ ଅଧିକ ସୁନାଗହଣା ଦୋକାନ ରହିଛି।

ନୂଆପାଞ୍ଜି ଚଳିବା ପରେ ଏପ୍ରିଲ୍ ୧୫ତାରିଖରୁ ଜୁଲାଇ ୧୫ତାରିଖ ମଧ୍ୟରେ ଅଧିକାଂଶ ବାହାଘର ତିଥି ପଡେ ଓ ବାହାଘର ମଧ୍ୟ ଅଧିକ ହୁଏ। ଏହି ସମୟରେ ସୁନଗହଣା କାରବାର ଭଲ ହେଉଥିବାରୁ ଏପ୍ରିଲ୍ ପୂର୍ବରୁ ଗହଣା ବ୍ୟବସାୟୀମାନେ ପର୍ଯ୍ୟାପ୍ତ ପରିମାଣର ଗହଣା ମହଜୁଦ୍‌ ରଖିବା ସହିତ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ନାନା ଆକର୍ଷଣୀୟ ସ୍କିମ୍ କରିଥାନ୍ତି। କିନ୍ତୁ ଗଲା ତିନି ବର୍ଷ ହେଲା ଠିକ୍ ଅକ୍ଷୟ ତୃତୀୟା ତିଥି ବେଳକୁ କିଛି ନା କିଛି ଦୈବୀ ଦୁର୍ବିପାକ ଘଟି ସୁନା ବ୍ୟବସାୟକୁ ପ୍ରଭାବିତ କରୁଛି। ସହରର ପ୍ରମୁଖ ସୁନା ଗହଣା ବ୍ୟବସାୟ ପ୍ରତିଷ୍ଠାନ ‘ରାଧାଗୋବିନ୍ଦ ରଏ ଆଣ୍ଡ୍‌ ଗ୍ରାଣ୍ଡସନ୍ ଜୁଏଲର୍ସ’ ମାଲିକ ତଥା କଟକ ଜୁଏଲାର୍ସ ଆସୋସିଏସନ୍ ଉପସଭାପତି ସୌରଭ ରଏଙ୍କ କହିବା ଅନୁସାରେ, ଅକ୍ଷୟ ତୃତୀୟାରେ ସୁନା ଗହଣା କିଣିବା ଶୁଭ ହୁଏ ବୋଲି ‌ପରମ୍ପରା ରହିଛି।

ଏଥିପାଇଁ ଅକ୍ଷୟ ତୃତୀୟାରେ ଅଧିକ କାରବାର ହୋଇଥାଏ। ଏଥି ସହିତ ଏପ୍ରିଲରୁ ଜୁଲାଇ ମଧ୍ୟରେ ଅଧିକ ବାହାଘର ଥାଏ। ଏହି ଦୁଇଟି କାରଣ ପାଇଁ ଛୋଟବଡ଼ ସବୁ ଗହଣା ବ୍ୟବସାୟୀ ଏପ୍ରିଲ୍ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାନ୍ତି। କିନ୍ତୁ ଗତ ୩ବର୍ଷ ହେଲା ଆମ ବ୍ୟବସାୟ ଗଭୀର ଭାବ‌େ ପ୍ରଭାବିତ ହୋଇଛି। ୨୦୧୯ରେ ଫନି ଅକ୍ଷୟ ତୃତୀୟା ବ୍ୟବସାୟକୁ ମାନ୍ଦା କରିଥିବା ବେଳେ ୨୦୨୦ ଓ ୨୦୨୧ କରୋନା ଲକ୍‌ଡାଉନ୍ ଆମ ବ୍ୟବସାୟକୁ ସଂପୂର୍ଣ୍ଣ ଠପ୍‌ କରିଦେଇଛି। ଆଜି ଅକ୍ଷୟ ତୃତୀୟା ପାଇଁ ମଧ୍ୟମ ବର୍ଗର ସୋ’ରୁମ୍ ମାନେ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କାର କାରବାର ଓ ବଡ଼ ସୋ’ରୁମ୍ ମାନ ୫୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରିଥାନ୍ତେ ବୋଲି ଶ୍ରୀ ରଏ କହିଛନ୍ତି। ଅନ୍ୟତମ ପ୍ରମୁଖ ଗହଣା ସୋ’ରୁମ୍ ‘ଉତ୍କଳ ଜୁଏଲର୍ସ’ ମାଲିକ ତଥା କଟକ ଓଡ଼ିଶା ଜୁଏଲର୍ସ ଆସୋସିଏସନ୍ ଉପସଭାପତି ମେହୁଲ ମେହେଟ୍ଟା କହିଛନ୍ତି ଯେ, ଅକ୍ଷୟ ତୃତୀୟାରେ ସମସ୍ତେ ସୁନା ଗହଣା କରିଥାନ୍ତି। ଏଥି ପାଇଁ ଆମେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଛୋଟବଡ଼ ସବୁ ପ୍ରକାରର ଗ୍ରହଣାମାନ ଷ୍ଟକ୍ କରିଥିଲୁ। ୮ହଜାର ଟଙ୍କାରୁ ଆରମ୍ଭ କରି ଦାମୀ ହାର ପର୍ଯ୍ୟନ୍ତ ସବୁ ରଖିଥିଲୁ। ପୁଣି ଗତବର୍ଷ ଅନୁସାରେ ଚଳିତ ବର୍ଷ ସୁନା ଦର (ଆଜି ୪୪ ହଜାର ୪୦୦ଟଙ୍କା ଦଶ ଗ୍ରାମକୁ) କମିଥିବାରୁ ଭଲ ବ୍ୟବସାୟ ମଧ୍ୟ ହୋଇଥାନ୍ତା। କିନ୍ତୁ କରୋନା ପାଇଁ ସହରର ଛୋଟ ବଡ଼ ୨୦୦ ଗହଣା ଦୋକାନରେ ଏବେ ତାଲା ଝୁଲୁଛି ଓ ବ୍ୟବସାୟୀ ଘରେ ବସିଛନ୍ତି। ଆଜି ହେବାକୁ ଥିବା ୧୦୦ କୋଟିର ବ୍ୟବସାୟ ଘାଟା ହେଲା ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି।

ସମ୍ବନ୍ଧିତ ଖବର