କଟକ: ନଦୀନାଳକୁ ବୋହି ଯାଉଥିବା ବର୍ଷା ପାଣିକୁ ସଂରକ୍ଷିତ ରଖି ମାଟି ଭିତରକୁ ଛଡ଼ାଯିବ। ଏଥିରେ ମାଟି ତଳ ଜଳସ୍ତର ବୃଦ୍ଧି ପାଇବା ସହିତ ଖରାଦିନରେ ସାଧାରଣ ଲୋକଙ୍କୁ ପାଣି ପାଇଁ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ବର୍ଷା ଜଳ ସଂରକ୍ଷଣକୁ ନେଇ ଗତବର୍ଷ ମହାନଗର ନିଗମରେ ଏପରି କିଛି ଯୋଜନା କରାଯାଇଥିଲା। ମାତ୍ର ଗତବର୍ଷର ଯୋଜନା କେବଳ ଯୋଜନାରେ ଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ 'ମୁକ୍ତା' (ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ) କାର୍ଯ୍ୟକ୍ରମରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସିିଏମସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ୨୦୨୦ରେ ମହାନଗର ନିଗମ ତରଫରୁ କରାଯାଇଥିବା ଉକ୍ତ ଯୋଜନା ପାଇଁ ୨୦୨୧ର 'ମୁକ୍ତା' କାର୍ଯ୍ୟକ୍ରମ କେତେ ସହାୟକ ହେବ ତାହା ଆସନ୍ତା ଦିନରେ ଅବଶ୍ୟ ଜଣା ପଡିବ।
ମହାନଗର ନିଗମର କିଛି ଅଞ୍ଚଳରେ ଗତ ୨୦ ବର୍ଷ ମଧ୍ୟରେ ମାଟି ତଳ ଜଳସ୍ତର କମିବାରେ ଲାଗିଛି। ଆଗାମୀ ଦିନରେ ଏହା କଟକ ପାଇଁ ଏକ ବଡ ସମସ୍ୟାର କାରଣ ହେବ ବୋଲି ପରିବେଶ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏହାକୁ ଆଖି ଅାଗରେ ରଖି ସିଏମସି ପକ୍ଷରୁ ଏବେ ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ସହରାଞ୍ଚଳ ଶ୍ରମିକଙ୍କୁ କାମ ଦେବାକୁ ରାଜ୍ୟ ସରକାରଙ୍କ 'ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନ୍ଟାଟିଭ୍' (ୟୁଡବ୍ଲୁଇଆଇ) ଯୋଜନାରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ଏଥିରେ ସିଏମସିର ୫୯ଟି ୱାର୍ଡରେ ୮ଶହରୁ ଅଧିକ ସ୍ଥାନରେ ଉକ୍ତ ପ୍ରକଳ୍ପ କରିବାକୁ ଯୋଜନା କରାଯାଇଥିଲା। ହେଲେ ନିଗମ ପକ୍ଷରୁ ଗୋଟିଏ ସ୍ଥାନରେ ଏହାକୁ କରାଗଲା ନାହିଁ। ଚଳିତବର୍ଷ ରାଜ୍ୟ ସରକାରଙ୍କ 'ମୁକ୍ତା' ଯୋଜନାରେ ଜିଲ୍ଲାରେ ମୋଟ ୧୫ଶହ ୪୫ଟି ସ୍ଥାନରେ ବର୍ଷା ଜଳ ସଂରକ୍ଷଣ ପାଇଁ ପ୍ରକଳ୍ପ କରାଯିବ ବୋଲି କୁହାଯାଇଛି। ଏଥିରେ ସିଏମସିରେ ୧୧ଶହ ୮୦ଟି, ଚୌଦ୍ବାର ମ୍ୟୁନିସିପାଲରେ ୧୯୦ଟି, ଆଠଗଡ ଏନ୍ଏସିରେ ୯୦ଟି ଓ ବାଙ୍କୀ ଏନ୍ଏସିରେ ୮୫ଟି ପ୍ରକଳ୍ପ କରାଯିବାର ଚିଠା ପ୍ରସ୍ତୁତ ହୋଇଛି। ଆସନ୍ତା ଜୁନ୍୧୫ ତାରିଖ ସୁଦ୍ଧା ପ୍ରକଳ୍ପ ଗୁଡିକୁ ଶେଷ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ଗୁଡିକୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍ଏସ୍ଜି ପକ୍ଷରୁ ନିର୍ମାଣ କରାଯିବ।
ସହରର ବିଭିନ୍ନ ପାର୍କ ଓ ସରକାରୀ ଖୋଲା ଜମିରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ହେବ। ଯେଉଁ ଅଞ୍ଚଳଟି ଖାଲୁଆ ହୋଇଥିବ କିମ୍ବା ଗଡ଼ାଣିଆ ହୋଇଥିବ ସେହି ସ୍ଥାନରେ ଏହାକୁ କରାଯିବ। ସେଠାରେ ଦୁଇଫୁଟ ଗୋଲେଇରେ ୫ରୁ ୬ ଫୁଟ ଗଭୀରତାରେ ଗାତ କରାଯାଇ ସେଥିରେ ଛୋଟ ଛୋଟ ପଥର ଓ ଇଟା ପକାଇ ତାକୁ ପୂରଣ କରାଯିବ। ଏହା ଉପରେ ତାରଜାଲି ଦେଇ ଆବଦ୍ଧ କରାଯିବ। ଯେପରି ବାହାରର ଆବର୍ଜନା କିମ୍ବା ବୁଲା ପଶୁ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଉକ୍ତ ଖାଲକୁ ଯେପରି ବର୍ଷା ପାଣି ସହଜରେ ପ୍ରବେଶ କରିପାରିବ ସେଥିପାଇଁ ଏହା ମଧ୍ୟକୁ ଏକାଧିକ ଛୋଟ ଛୋଟ ନାଳକୁ ସଂଯୋଗ କରାଯିବ। ତେବେ ଗତ ବର୍ଷ ଏହାକୁ କରିବାକୁ ସିଏମସି ପକ୍ଷରୁ ସ୍ଥିର କରାଯାଇଥିବା ବେଳେ ଗୋଟିଏ ପ୍ରକଳ୍ପ ନିର୍ମାଣ କରାଯାଇ ପାରି ନାହିଁ।