ଗାଁରେ ବଢ଼ୁଛି କରୋନା ! କଟକ ଜିଲ୍ଲାରେ ୧୨ଦିନରେ ୧୨୩୭ ସଂକ୍ରମିତ; ଗାଁରୁ ୬୭୧, ସିଏମ୍‌ସିରୁ ୫୮୫

କଟକ: କଟକରେ କମୁଛି ସଂକ୍ରମଣ। ଗଲା ଦେଢ଼ମାସ ହେଲା କୌଣସି ଦିନ ଏହି ସଂଖ୍ୟା ଦ୍ବିଶତକ ଟପୁନି। ୧୨ଦିନରେ ୧୨୩୭ଜଣ ସଂକ୍ରମିତ ଚିହ୍ନଟ ହେଲେଣି। କଟକରେ ଗ୍ରାମାଞ୍ଚଳରେ ଯଦିଓ ପୁଣି ଥରେ ସଂକ୍ରମଣ ସଂଖ୍ୟା ବଢିଛି, ତଥାପି ନରସିଂହପୁର, ବଡ଼ମ୍ବାରେ କରୋନା ଏବେ ନିୟନ୍ତ୍ରଣକୁ ଆସିଲାଣି। ଆଜି ସମୁଦାୟ‌ ୮୧ଜଣ ସଂକ୍ରମିତ ହୋଇଛନ୍ତି। ସେଥିରୁ ସିଏମ୍‌ସିରୁ ୩୯ଜଣ ଥିବାବେଳେ ଓ ଗ୍ରାମାଞ୍ଚଳରୁ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନରସିଂହପୁର ଓ ବଡ଼ମ୍ବାରେ ଗତ କିଛିଦିନ ମଧ୍ୟରେ ପାଖାପାଖି ହଜାରେ ଉପରେ ପରୀକ୍ଷା କରାଯାଇଥିବାବେଳେ ପଜିଟିଭ୍‌ ସଂଖ୍ୟା ୨୫ ଟପିନି। ଗଲା ଦୁଇଦିନ ଭିତରେ ନରସିଂହପୁରରେ ମାତ୍ର ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଡ଼ମ୍ବାରେ ସଂକ୍ରମିତଙ୍କ ସଂଖ୍ୟା ଶୂନକୁ ଆସିଥିବା ସ୍ବାସ୍ଥ୍ୟବିଭାଗ ସୂତ୍ରରୁ ପ୍ରକାଶ।

ପୁଣି କଣ୍ଟେନମେଣ୍ଟ ଜୋନ୍

ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଠଗଡ଼, ନିଆଳି, ବାଙ୍କୀ, କଟକ ସଦରରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। କଟକର ଆଠଗଡ଼ ଓ ନିଆଳି ବ୍ଲକ୍‌ରେ ୪ଟି କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ଆଠଗଡ଼ରେ ଗୋଟିଏ ଗାଁରୁ ୧୧ଜଣ ଓ ନିଆଳିରେ ୧୩ଜଣ ଚିହ୍ନଟ ହୋଇଥିବାରୁ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆଠଗଡ଼ରେ ୭୭ଜଣ, କଟକ ସଦରରୁ ୬୩ଜଣ, ବାଙ୍କୀରୁ ୫୬ଜଣ ସଂକ୍ରମିତ ହେଲେଣି।

କଟକରେ ୬ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୨୩୫; କଟକରେ ରହିଥିବା ୬ଟି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୨୩୫ଜଣ କରୋନା ସଂକ୍ରମିତ। ଅଶ୍ବିନୀ, ସନ୍‌, ସୃଷ୍ଟି, ସଦ୍‌ଗୁରୁ, ସାଉଥ୍‌ ପଏଣ୍ଟ, ଜିମ୍‌ସାରରେ କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ କୋଭିଡ୍‌ ହସ୍ପିଟାଲ ଖୋଲାଯାଇଛି। ଅଗଷ୍ଟ, ସେପ୍ଟେମ୍ବରରେ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍‌ ମିଳୁନଥିଲା। ସ୍ଥିତି ଏମିତି ଥିଲା ଯେ, କଟକରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ଛାଡିଦେଲେ କେବଳ କୋଭିଡ କେୟାର ସେଣ୍ଟର‌ ଖୋଲାଯାଇଥିଲା। ପରେ ଆଇସିୟୁର ଅଧିକ ଆବଶ୍ୟକତା ଥିବା ଓ ମୃତ୍ୟୁହାର ବୃଦ୍ଧି ପାଇବା ଫଳରେ ପ୍ରଶାସନ ପକ୍ଷରୁ ଜିଏମ୍‌ସାର, ସଦ୍‌ଗୁରୁ ଭଳି ୫ଟି କୋଭିଡ୍‌ ହସ୍ପିଟାଲ ଖୋଲାଯାଇଥିଲା। ଆଜି ଦିନରେ ଅଶ୍ବିନୀ‌ରେ ୬୧ଜଣ, ସଦ୍‌ଗୁରୁରେ ୬୭ଜଣ, ସୃଷ୍ଟିରେ ୪୨ଜଣ, ସନ୍‌ରେ ୨୭ ଜଣ, ସାଉଥ୍‌ ପଏଣ୍ଟରେ ୨୧ଜଣ, ଜିମ୍‌ସାରରେ ୧୭ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି।

chronicle.com

ବନ୍ଦ ହୋଇଯିବ ବଡ଼ମ୍ବା କୋଭିଡ କେୟାର୍‌

ବଡମ୍ବା, ନରସିଂହପୁର ଅଂଚଳରେ ନିୟନ୍ତ୍ରଣକୁ ଆସିଲାଣି କରୋନା ସ୍ଥିତି। ଗଲା ୧୨ ଦିନ ଭିତରେ ଏହି ଦୁଇ ବ୍ଲକ୍‌ରୁ ୨୫ଜଣ ସଂକ୍ରମିତ ଚିହ୍ନଟ ହୋଇଛି। କରୋନା ଆରମ୍ଭରୁ ଏହି ଦୁଇ ବ୍ଲକ୍‌ରେ କରୋନା ସ୍ଥିତି ସଙ୍ଗିନ ଥିଲା। ଏପରିକି ଦିନକରେ ଶହେ ଉପରେ ସଂକ୍ରମିତ ଚିହ୍ନଟ ହେଉଥିଲେ। ଅନେକ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିପାରୁ ନଥିଲା। ଫଳରେ କଟକର ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଯିବାକୁ ପଡୁଥିଲା। କରୋନା ସ୍ଥିତିକୁ ଦେଖି ଜିଲ୍ଲାର ବଡ଼ମ୍ବାଠାରେ ଶହେ ଶଯ୍ୟାବିଶିଷ୍ଟ କୋଭିଡ୍‌ କେୟାର୍‌ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ ସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଥିବାରୁ ଚଳିତମାସ ୧୫ ତାରିଖରୁ ବଡମ୍ବା କୋଭିଡ୍‌ କେୟାର୍‌ ସେଣ୍ଟର‌୍‌କୁ ବନ୍ଦ କରାଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।

କଟକରେ ୩ ଲକ୍ଷ ଟପିଲାଣି କରୋନା ପରୀକ୍ଷା

କଟକ ଜିଲ୍ଲାରେ ଆଜି ସୁଦ୍ଧା ୩ଲକ୍ଷ ୯ହଜାର ୧୪୧ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ସେଥିରୁ ୨୬ହଜାର ୯୭୭ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ସୁଦ୍ଧା ଆରଟିପିସିଆରରେ ୧ଲକ୍ଷ୭୦ ହଜାର ୨୦୦ଜଣଙ୍କ ସ୍ବାବ୍‌ ଆର୍‌ଟିପିସିଆର୍‌ ଓ ୧ଲକ୍ଷ ୩୮ହଜାର ୯୪୧ଟି ଆଣ୍ଟିଜେନ ପରୀକ୍ଷା ହୋଇଥିବା ଜଣାପଡିଛି। ତେବେ ୨୬ହଜାର ୯୭୭ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୬ହଜାର ୩୮ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ଏବେ ଜିଲ୍ଲାରେ ରହିଛନ୍ତି ୯୩୯ ଆକ୍ଟିଭ କେସ୍‌। ସିଏମ୍‌ସିରୁ ୧୫ହଜାର ୭୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗ୍ରାମାଞ୍ଚଳରୁ ୧୧ହଜାର ୨୪୫ଜଣ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୧୨୪ ଥିବାବେଳେ ନନ୍‌କୋଭିଡ୍‌ ମୃତ୍ୟୁ ସଂଖ୍ୟା ୧୧୪ ରହିଛି।

ସମ୍ବନ୍ଧିତ ଖବର