ନେତାଜୀଙ୍କ ୧୨୫ତମ ଜୟନ୍ତୀ କାର୍ଯ୍ୟକ୍ରମ

ଓଡ଼ିଶା ଆଉ କଟକକୁ ଗୁରୁତ୍ବ ଦେବାରେ ଅବହେଳା କାହିଁକି?

କଟକ: ନେତାଜୀଙ୍କ ପରିଚୟ ପ୍ରଦାନରେ ସଂକୀର୍ଣ୍ଣତାର ସ୍ଥାନ ନାହିଁ। ତାଙ୍କୁ କଟକ, ଓଡ଼ିଶା, କଲିକତା ଭିତରେ ସୀମିତ ରଖି ଦେଖିବା ବି ଏକ ବିରାଟ ଭୁଲ୍। ସେ ଥିଲେ ଦେଶର ସଂପତ୍ତି। ଏକ ବିଶ୍ବବ୍ୟାପି ବ୍ୟକ୍ତିତ୍ବ। କିନ୍ତୁ ତାଙ୍କ ସ୍ମୃତିଚାରଣରେ ବି ସଂକୀର୍ଣ୍ଣତାର ସ୍ଥାନ ରହିବା ଅନୁଚିତ। ନେତାଜୀଙ୍କ ୧୨୫ତମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗଠିତ ରାଷ୍ଟ୍ରୀୟ କମିଟି କିନ୍ତୁ ଏଭଳି କିଛି ବିତର୍କର ବାଟ ଫିଟାଇଛି। କେଉଁ ଯୁକ୍ତି ବଳରେ କମିଟିରେ ପଶ୍ଚିମବଙ୍ଗରୁ ରହିବେ ୩୦ କିନ୍ତୁ ଓଡ଼ିଶାରୁ ମାତ୍ର ୨ ଜଣ? ଜାତୀୟ କାର୍ଯ୍ୟକ୍ରମ ସୂଚୀରେ କାହିଁକି ରହିବନି ଓଡ଼ିଶାର ନାମ? ଏ ପ୍ରଶ୍ନ ନେତାଜୀ ପ୍ରେମୀ, କଟକୀଆ ଆଉ ପ୍ରତ୍ୟେକ ଓଡ଼ିଆଙ୍କୁ ବ୍ୟଥିତ କରୁଛି…।

ରେଭେନ୍‌ସା କଲିଜିଏଟ୍‌ରେ ନେତାଜୀ ସୁଭାଷଙ୍କ ମୂଳଦୁଆ ପଡ଼ିଥିଲା। ପ୍ରଥମ ପ୍ରଧାନଶିକ୍ଷକ ବେଣୀମାଧବ ଦାଶ ନେତାଜୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ବେଣୀମାଧବ ସାର୍‌ଙ୍କୁ ନେତାଜୀ ନିଜ ଜୀବନର ପଥପ୍ରଦର୍ଶକ ଭାବେ ବାଛି ନେଇଥିଲେ। କଟକରେ ରହିବା ବେଳେ ଯେବେ ବି ତାଙ୍କ ମନରେ କିଛି ଅବଶାଦ ବା ସନ୍ଦେହ ଆସେ, ସେ ସଙ୍ଗେ ସଙ୍ଗେ ସାର୍‌ଙ୍କ ପାଖକୁ ଆସୁଥିଲେ। ବେଣୀସାର୍‌ଙ୍କୁ ସେ ଭଗବାନ ଭଳି ମାନୁଥିଲେ ବ‌ୋଲି ନିଜ ଜୀବନୀରେ ନେତାଜୀ ଲେଖିଛନ୍ତି। କଲିଜିଏଟ୍‌ ସ୍କୁଲର ଆଉ ଜଣେ ପ୍ରଧାନଶିକ୍ଷକ ନାରାୟଣ ପ୍ରସାଦ ମହାନ୍ତି ମଧ୍ୟ ତାଙ୍କୁ ବିଶେଷ ପ୍ରଭାବିତ କରିଥିଲେ। ନାରାୟଣ ସାର୍‌ ନେତାଜୀଙ୍କଠାରେ ଜାତୀୟତାବାଦ୍ ଓ ବିପ୍ଲବୀ ହେବାର ମନ୍ତ୍ର ଫୁଙ୍କିଥିଲେ। ବିଦ୍ୟାଳୟ ଛାଡିବା ପରେ ମଧ୍ୟ ଅନେକ ଥର ସ‌େ ସ୍କୁଲକୁ ଆସିଛନ୍ତି। ୧୯୩୯ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆମନ୍ତ୍ରଣ କ୍ରମ‌େ ସେ ଭେଭେନ୍‌ସା କଲିଜିଏଟ୍ ସ୍କୁଲ ଆସିଥିଲେ ଓ ସାଙ୍ଗମାନଙ୍କ ସହି ‌ଫଟୋ ଉଠାଇଥିଲେ।

ଓଡ଼ିଆ ବଜାରରେ ନେତାଜୀଙ୍କ ଘର। ବାପା ଜାନକୀନାଥ ବୋଷ ଓ ମା’ ପ୍ରଭାବତୀ ଦେବୀଙ୍କ ସମେତ ଭାଇଭଉଣୀଙ୍କ ସହ ନେତାଜୀ ରହୁଥିଲେ। ପ୍ରତିଦିନ ସ୍କୁଲ ଯିବାଆସିବାରେ କିଛି ସମସ୍ୟା ନଥିଲା। ତଥାପି ସେ ସ୍କୁଲ ହଷ୍ଟେଲରେ ରହୁଥିଲେ। ବିଦ୍ୟାଳୟରେ ଅତ୍ୟନ୍ତ ମେଧାବୀ ଛାତ୍ର ଥ‌ିଲେ। ରେଭେନ୍‌ସା କଲିଜଏଟ୍ ସ୍କୁଲ ହଷ୍ଟେଲ୍‌ର ସେହି ୧୧ନମ୍ବର କୋଠରୀଟି ନେତାଜୀ ପ୍ରକୋଷ୍ଠ ନାମରେ ଏବେ ବି ରହିଛି। ସ୍କୁଲ କର୍ତ୍ତୃପକ୍ଷ ସେହି ପ୍ରକୋଷ୍ଠରେ ନେତାଜୀ ସୁଭାଷଙ୍କ ଫଟୋଚିତ୍ର ରଖିବା ସହିତ ‌ହଷ୍ଟେଲର ‌ଶ୍ରେଷ୍ଠ ୪ଜଣ ଛାତ୍ରଙ୍କୁ ସେଠାରେ ରହିବାର ସୁଯୋଗ ଦିଅନ୍ତି। ଖାଲି ସେତିକି ନୁହେଁ, ନେଜାଜୀଙ୍କ ନାମରେ ବିଦ୍ୟାଳୟ ପରିସରରେ ‘ନେତାଜୀ ଅଡିଟୋରିୟମ୍‌’ ନାମରେ ଏକ ବିଶାଳ ପ୍ରେକ୍ଷାଳୟ ରହିଛି। ହଷ୍ଟେଲରେ ତାଙ୍କ ନାମରେ ଏକ ସଭାଗୃହ ମଧ୍ୟ ରହିଛି। ବିଦ୍ୟାଳୟ ସମ୍ମୁଖରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ନେତାଜୀଙ୍କ ଜୟନ୍ତୀ ସମେତ ବିଦ୍ୟାଳୟର ସମସ୍ତ ଉତ୍ସବରେ ନେତାଜୀଙ୍କୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ମାନିତ କରାଯାଏ। ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ବାର୍ଷିକ ଉତ୍ସବରେ ନେତାଜୀଙ୍କ ନାମରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଉଛି। ‌ରେଭେନ୍‌ସା କଲିଜିଏଟ୍ ସ୍କୁଲ୍ ନେତାଜୀଙ୍କୁ ଗଢ଼ିଛି ଓ ନେତାଜୀଙ୍କ ପାଇଁ ରେଭେନ୍‌ସା କଲିଜିଏଟ ସ୍କୁଲ୍ ଏବେ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି।

ସମ୍ବନ୍ଧିତ ଖବର