ମଇଁଷିଆଳ ବେଶରେ ଜୁଆ ଆଡ଼ାରେ ଚଢ଼ଉ

୨ ରାଉଣ୍ଡ ଗୁଳି ଫୁଟିଲା, ୧୩ ଜୁଆଡ଼ି ଗିରଫ, ଟଙ୍କା, ବାଇକ୍‌ ଜବତ

କଟକ-ମହାନଦୀବିହାର : ଚାଉଳିଆଗଂଜ ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଆଜି ପୁଲିସ୍‌ ଚଢଉ କରିଛି। ଜୁଆଡିଙ୍କୁ କାବୁ କରିବା ପାଇଁ ପୁଲିସ୍‌ ଆଜି ଗାଈ ଚରାଳି ବେଶରେ ସଂପୃକ୍ତ ଅଞ୍ଚଳରେ ଚଢଉ କରିବା ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛି। ଜୁଆ ଆଡ଼ାରୁ ୧୩ ଜଣଙ୍କୁ ଗିରଫ କରାଯିବା ସହ ୨୬ ହଜାର ଟଙ୍କା, ୪ଟି ବାଇକ୍‌ ଓ ତାସମୁଠା ଇତ୍ୟାଦି ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ ଗାନ୍ଧିପଲ୍ଲୀ କଂସେଇଖାନା ରାସ୍ତା ଦେଇ ଯାଇଥିବା ମହାନଦୀର ମଶାଣି ଗଡ଼ାରେ ଦୀର୍ଘ ଦିନ ହେବ ଏହି ଜୁଆ ଆଡ଼ା ଚାଲିଥିଲା। ନଈ ମଝିରେ ଥିବା ପଠାରେ ଏକ ଚାଳିଆ ତିଆରି କରି ତା’ ଉପରେ ଡାଳପତ୍ର ଲଦି ଜୁଆ ଖେଳ ଘର ତିଆରି କରାଯାଇଥିଲା। ପୁଲିସ୍‌ ପାଖରେ ଏ ସଂପର୍କରେ ପୂର୍ବରୁ ବି ଖବର ଥିଲା। କିନ୍ତୁ ପୂର୍ବରୁ ବିଭିନ୍ନ ସମୟରେ ଚଢଉ ବେଳେ ସୂଚନା ପାଇ ଜୁଆଡି ସେଠାରୁ ଖସି ପଳାଉଥିଲେ। ଏଥିପାଇଁ ଆଜି ଚାଉଳିଆଗଂଜ ଥାନା ପୁଲିସ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲା। ଦିନ ପ୍ରାୟ ୧୧ଟା ବେଳେ ଥାନାର ୬ ଜଣ ପୁଲିସ କର୍ମଚାରୀ ଗାଈ ଚରାଳି ବେଶ ଧରି ମଈଁଷି ଧରି ପଠାକୁ ଯାଇଥିଲେ। ଲୁଙ୍ଗି, ହାଫ୍‌ ପ୍ୟାଣ୍ଟ ପିନ୍ଧି ମୁଣ୍ଡରେ ଗାମୁଛା ଗୁଡ଼ାଇ ସେମାନେ ମଇଁଷି ଧରି ପଠା ଭିତରକୁ ଯାଇଥିବା ବେଳେ ବନ୍ଧ ଉପରେ ସାଦା ପୋଷାକରେ ଅନ୍ୟ ପୁଲିସ କର୍ମଚାରୀ ଜଗି ରହିଥିଲେ। ଜୁଆ ଖେଳ ଚାଲିଥିବା ଅବସ୍ଥାରେ ଗାଈ ଚରାଳି ବେଶ ଧରିଥିବା ପୁଲିସ୍‌ ଜୁଆଡିଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଆକ୍ରମଣ କରି ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ଜୁଆଡ଼ିଙ୍କୁ କାବୁ କରିବାକୁ ପୁଲିସ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲା। ପୁଲିସ ସହ ଛକାପଞ୍ଝା, ଗୋଡ଼ାଗୋଡିରେ ୧୩ ଜଣ ଧରା ପଡ଼ିଥିବା ବେଳେ ୩ ଜଣ ପାଣିରେ ପଶି ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର