ଚାଉଳିଆଗଞ୍ଜରେ ୧୪ ପୂଜା କମିଟିଙ୍କୁ ନେଇ ବୈଠକ; ବବି ଦାସଙ୍କୁ ଭେଟିଲେ ପ୍ରତିନିଧି, ଆଜି ଭେଟିବେ ଆର୍‌ଡିସିଙ୍କୁ

କଟକ-ମହାନଦୀବିହାର: ଷଷ୍ଠ ବାଟାଲିୟନ୍ କ୍ବାର୍ଟର୍ ଉଚ୍ଛେଦ ପ୍ରସଂଗକୁ ନେଇ ଆରମ୍ଭ ହୋଇଥିବା ଜନ ଆନ୍ଦୋଳନରେ ୧୪ଟି ପୂଜା କମିଟି ସାମିଲ ହୋଇଛି। କଟକ ପୂର୍ବାଞ୍ଚଳର ମଙ୍ଗଳାବାଗ, ରାଣୀହାଟ ବଜାର, ରାଣୀହାଟ, କଲେଜ ଛକ, ଷ୍ଟେସନ୍ ବଜାର, ତିନିଘରିଆ, ଶଙ୍କରପୁର, ଛତ୍ରବଜାର, ଶିଖରପୁର, ନୂଆବଜାର, ବିଦ୍ୟାଧରପୁର, କହ୍ନେଇପୁର, ଖାନନଗର, ମାଲଗୋଦାମ ପୂଜା କମିଟି ସମର୍ଥନ ଜଣାଇଛି। ଚାଉଳିଆଗଞ୍ଜ ପୂଜା କମିଟି ସଭା ଗୃହରେ ଏକ ବୈଠକ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ବସିଥିଲା। ଏଥିରେ ଉପରୋକ୍ତ ପୂଜା କମିଟିର କର୍ମକର୍ତ୍ତା ସାମିଲ ହୋଇଥିଲେ। ଯଦି ସରକାର ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ବନ୍ଦ ନକରନ୍ତି ପୂଜା କମିଟିର କର୍ମକର୍ତ୍ତାମାନେ ଆସନ୍ତା ଶୁକ୍ରବାର ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ହୋଇଛି।

ଚାଉଳିଆଗଞ୍ଜ ପୂଜା କମିଟିର ଉପଦେଷ୍ଟା ନିରଞ୍ଜନ ସ୍ବାଇଁ ଏହି ବୈଠକର ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନିରଞ୍ଜନ ସାହୁ(ଶିବ), ପୂର୍ବତନ କର୍ପୋରେଟର୍ ଚିରଞ୍ଜୟ ସାହୁ, ନରେନ୍ଦ୍ର ପାତ୍ର, ଜଗନ୍ନାଥ ମଲ୍ଲିକ, ପ୍ରଦୀପ ସାହୁ, ଚନ୍ଦ୍ରକାନ୍ତ ସାହୁ, ଚତୁର୍ଭୁଜ ସାହାଣୀ, ନିରଞ୍ଜନ ସାହୁ(ଚଗଲା), ନରେନ୍ଦ୍ର ପାତ୍ର, ଟୁକୁନା ପୃଷ୍ଟି, ବିଜୟ କୁମାର ସାହୁ, ସୁନିଲ ସାହୁ, ବାପି ସାହୁ, ସୁକାନ୍ତ ସାହାଣୀ, ଲକ୍ଷ୍ମୀଧର ସାହୁ, ମନୋଜ ସାହୁ, ରାକେଶ ସାହୁ, ସାନୁ ପାତ୍ର, ଶିବ କୁମାର ସାହୁ, ମିନତି ସାହୁ, ପ୍ରକାଶ ଦାସ, ସୋମନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ନାଗରିକ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ ଭୁବନେଶ୍ବରରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଆଜି ଭେଟିଥିଲା। ଷଷ୍ଠ ବାଟାଲିୟନ ଭିତରେ ବସ୍ତି ହେଲେ ଚାଉଳିଆଗଞ୍ଜରେ କି ପ୍ରକାର ସମସ୍ୟା ଉପୁଜିବ, ସେ ସମ୍ପର୍କରେ ଅବଗତ କରାଯାଇଥିଲା। ଭିଡଓ କଲ୍ ଦ୍ବାରା ଶ୍ରୀ ଦାସ କଟକ ଆରଡିସିଙ୍କ ସହିତ କଥା ହୋଇଥିବା ମଞ୍ଚ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଆସନ୍ତାକାଲି ୧୪ଟି ପୂଜା କମିଟି ସହିତ ଚାଉଳିଆଗଞ୍ଜ ବାସିନ୍ଦା ଆରଡିସିଙ୍କୁ ସକାଳ ପ୍ରାୟ ୧୦ଟା ବେଳେ ଭେଟି ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର