ସଙ୍କଟରେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା; କଟକରେ ୪୧୧ରୁ ୧୪୦ ଡାକ୍ତର ପଦବି ଖାଲି

ମେଡିସିନ୍‌, ସ୍ତ୍ରୀ ରୋଗ ଓ ପ୍ରସୂତି, ଶିଶୁ ରୋଗ ଡାକ୍ତର ବି ନାହାନ୍ତି; ୪ଟି ପିଏଚ୍‌ସିରେ ଫାର୍ମାସିଷ୍ଟଙ୍କ ହାତରେ ସ୍ବାସ୍ଥ୍ୟ ସେବା

କଟକ: କଟକକୁ କୁହାଯାଏ ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ। କିନ୍ତୁ କଟକ ଜିଲ୍ଲାରେ ଏବେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ବାସ୍ଥ୍ୟ ସେବା। ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ପାଖାପାଖି ୧୪୦ ଡାକ୍ତର ପଦ ଖାଲି ପଡିଛି। ମେଡିସିନ୍‌, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, ଶିଶୁ ରୋଗ, ସର୍ଜରି, ଅର୍ଥୋପେଡିକ୍‌ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ଡାକ୍ତର ପଦ ବି ଖାଲି ପଡିଛି। ଅନ୍ୟପଟେ ଜିଲ୍ଲାର ୪ଟି ପିଏଚ୍‌ସିରେ ଡାକ୍ତର ନଥିବା ବେଳେ ସେଠାରେ ଫାର୍ମାସିଷ୍ଟଙ୍କ ହାତ‌ରେ ଚାଲିଛି ସ୍ବାସ୍ଥ୍ୟ ସେବା। କଟକ ଜିଲ୍ଲାରେ ଦୁଇଟି ଉପଖଣ୍ଡ ହସ୍ପିଟାଲ (ଆଠଗଡ଼ ଓ ବାଙ୍କୀ) ସହିତ ୧୯ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୫୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏସବୁ ପାଇଁ ମୋଟ ୪୧୧ଟି ଡାକ୍ତର ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୨୭୧ ଜଣ ଡାକ୍ତର। ସାଲେପୁର, ଟାଙ୍ଗୀ, ଆଠଗଡ଼ ଭଳି ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନାଗୁଡିକରେ ଅର୍ଥୋପେଡିକ୍‌, ଶିଶୁ ରୋଗ, ମେଡିସିନ୍‌, ଚକ୍ଷୁ, ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଆଠଗଡ଼ ଉପଖଣ୍ଡ ଅଧୀନ ୪ଟି ବ୍ଲକ୍‌ରେ ସ୍ଥିତି ସଙ୍ଗିନ। ବଡ଼ମ୍ବା ବ୍ଳକରେ ୨୫ ବଦଳରେ ଅଛନ୍ତି ମାତ୍ର ୧୧ ଜଣ ଡାକ୍ତର। ସେଠାରେ ଶିଶୁ ରୋଗ, ସ୍ତ୍ରୀ ରୋଗ ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ କେହି ଡାକ୍ତର ନାହାନ୍ତି। ବଡମ୍ବା ଓ ମାଣିଆବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେହି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନାହାନ୍ତି। ବଡମ୍ବା ବ୍ଲକ୍‌ରେ ତିନୋଟି ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଆଠଗଡ଼ ବ୍ଲକ୍‌ରେ ୭ଟି ପିଏଚ୍‌ସି, ସିଏଚ୍‌ସି ସମେତ ଉପଖଣ୍ଡ ଚିକିତ୍ସାଳୟ ରହିଛି।

ଉପଖଣ୍ଡ ହସ୍ପିଟାଲର ୧୯ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୧୨ ଜଣ। ସେଥିରୁ ପୁଣି ୩ ଜଣ କାର୍ଯ୍ୟରେ ଯୋଗଦେଇ ଡେପୁଟେସନ୍‌ରେ ଏସ୍‌ସିବି ଆସିଛନ୍ତି। ଦୁଇଟି ଯାକ ଶିଶୁ ରୋଗ ବିଭାଗ ଡାକ୍ତର ପଦବି ଖାଲି ପଡିଛି। ମେଡିସିନ୍‌ ଡାକ୍ତର ବି ନାହାନ୍ତି। ସାଲେପୁରରେ ୫ଟି ପିଏଚ୍‌ସି, ସିଏଚ୍‌ସି ରହିଛି। ଯେଉଁଠି ୧୧ଜଣ ଡାକ୍ତର ରହିବା କଥା‌ ସେଠି ଅଛନ୍ତି ମାତ୍ର ୬ ଜଣ। ତେନ୍ତୋଳ ନ୍ୟୁ ପିଏଚ୍‌ସିରେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା। ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ୍, ସ୍ତ୍ରୀ ରୋଗ ପ୍ରସୂତି ବିଭାଗ, ସର୍ଜରି, ଅର୍ଥୋପେଡିକ୍‌ ଡାକ୍ତର ଓ ବିପିଏଚ୍‌ଓ ଭଳି ଗୁରୁତ୍ବପୂର୍ଣ୍ଣ ବିଶେଷଜ୍ଞ ପଦ ସବୁ ଖାଲି ପଡିଛି। ସେହିପରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୪ ଡାକ୍ତରଙ୍କ ସ୍ଥାନରେ ୧୦ ଜଣ ଥିବା ବେଳେ ମେଡିସିନ୍‌, ଦାନ୍ତ ରୋଗ, ଚକ୍ଷୁ ରୋଗ ଓ ନିଶ୍ଚେତକ ବିଶେଷଜ୍ଞ ପଦ ଖାଲି ପଡିଛି। ସୁବର୍ଣ୍ଣପୁରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କଳାପଥର, ବରପୁଟ, ବ୍ରହ୍ମପୁରା ଓ ବୈଦେଶ୍ବର ଡାକ୍ତରଖାନା ରହିଛି। ସେଠାରେ ଅବଶ୍ୟ ୧୦ଟି ପଦବି ପୂରଣ ହୋଇପାରିଛି। କିନ୍ତୁ କଳାପଥରରେ ଫାର୍ମାସିଷ୍ଟ ଓ ବରପୁଟରେ ଆୟୁଷ ଡାକ୍ତର ନାହାନ୍ତି। କଣ୍ଟାପଡା ବ୍ଲକ୍‌ର ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ପ୍ରସୂତି ବିଭାଗ ବିଶେଷଜ୍ଞ ପଦ ୪ ବର୍ଷ ହେଲା ଖାଲି ପଡିଛି। ନିଶ୍ଚିନ୍ତକୋଇଲି ବ୍ଲକ୍‌ର ପିଏଚ୍‌ସି, ସିଏଚ୍‌ସିରେ ୧୬ ପଦବିରୁ ଗୋଟିଏ ସ୍ପେଶାଲିଷ୍ଟ ପଦ ଖାଲି ପଡିଛି। କିନ୍ତୁ ସର୍ଜରି, ମେଡିସିନ୍‌, ଶିଶୁରୋଗ, ସ୍ତ୍ରୀ ରୋଗ ପ୍ରସୂତି ବିଭାଗରେ ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ ନେଇ କାମ ଚଳାଯାଉଛି। ବ୍ଲକ୍‌ ପ୍ରୋଗ୍ରାମ ହେଲ୍‌ଥ ଅଫିସର ପଦ ଖାଲି ପଡିଛି। ହାଣ୍ଡିଭଙ୍ଗା-କେରିଲୋ ନ୍ୟୁ ପିଏଚ୍‌ସିରେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟ ସେବା।

ମାହାଙ୍ଗା ବ୍ଲକ୍‌ର ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ସେଠାରେ ୩୫ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୯ ଜଣ। ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି ବିଭାଗ, ସର୍ଜରି ଡାକ୍ତର ନାହାନ୍ତି। ବାରଙ୍ଗ ବ୍ଲକ୍‌ରେ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ମହିଧରପଡ଼ା ଅଧୀନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାରଙ୍ଗ, ମୁଣ୍ଡଳୀ ଓ କୋରକୋରା ପିଏଚସି ରହିଛି। ମହିଧରପଡ଼ାରେ ଜଣେ ପ୍ରସୂତି ବିଭାଗ ଡାକ୍ତରଙ୍କ ସମେତ ମୋଟ ୮ ଜଣ ଅଛନ୍ତି। ବାରଙ୍ଗ, ମୁଣ୍ଡଳୀ ଓ କୋରକୋରାରେ ଜଣେ ଲେଖାଏ ଏମବିବିଏସ୍ ଓ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୭ଟି ପିଏଚ୍‌ସି, ସିଏଚ୍‌ସି ଓ ଏରିଆ ହସ୍ପିଟାଲ ରହିଛି। ଟାଙ୍ଗୀରେ ଯଦିଓ ଗୋଟିଏ ପଦବି ଖାଲି ଅଛି କିନ୍ତୁ ସ୍ତ୍ରୀ ରୋଗ, ଶିଶୁ ରୋଗ, ମେଡିସିନ୍‌, ସର୍ଜରି, ଅର୍ଥୋପେଡିକ୍‌ ବିଶେଷଜ୍ଞ ପଦ ସବୁ ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ ନେଇ ଚାଲିଛି।

ନିଆଳିରେ ୧୪ ଡାକ୍ତରଙ୍କ ବଦଳରେ ୧୦ ଜଣ ଡାକ୍ତର ଅଛନ୍ତି। କସର୍ଦ୍ଦାରେ ୮ମାସ ହେଲା କେହି ଡାକ୍ତର ନାହାନ୍ତି। ନରସିଂହପୁରର ବିଭିନ୍ନ ଗୋଷ୍ଠୀ, ପ୍ରାଥମିକ ଓ ନ୍ୟୁ ପିଏଚ୍‌ସିରେ ୩୦ ଜଣ ରହିବା କଥା। କିନ୍ତୁ ଅଛନ୍ତି ମାତ୍ର ୧୨ ଜଣ। ନରସିଂହପୁରରେ ଅସ୍ଥି ଶଲ୍ୟ, ଶିଶୁରୋଗ, ମେଡିସିନ୍‌, ସର୍ଜରି, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ, ଏଲ୍‌ଟିଆରଏମ୍‌ଓ ପଦ ଖାଲି ପଡିଛି। ଦେବଭୂଇଁରେ କେହି ଡାକ୍ତର ନାହାନ୍ତି। କଟକ ଜିଲ୍ଲା ଗ୍ରାମାଞ୍ଚଳରେ ଏଭଳି ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ସାମନ୍ୟ ଜ୍ବର, ଥଣ୍ଡା, କାଶ ପାଇଁ ବି ରୋଗୀ ବଡ ମେଡିକାଲକୁ ଧାଉଁଛନ୍ତି। ଅନେକ ଅଞ୍ଚଳରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଅଥବା ନିଶ୍ଚେତକ ବିଭାଗ ଡାକ୍ତର ନ ଥିବାରୁ ସେ ଅଞ୍ଚଳର ମହିଳା ପ୍ରସବ ପାଇଁ କୌଣସି ଘରୋଇ ନର୍ସିଂହୋମ ଅଥବା କଟକ ସହରକୁ ଆସିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର