ସାଇଡ୍‌ମରାକୁ କେନ୍ଦ୍ର କରି ଉତ୍ତେଜନା: ପୁଲିସ ଗାଡ଼ିକୁ ଜାଳି ଦେବା ପରେ ୧୪୪ ଧାରା ଜାରି

କଟକ: ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁରରେ ସାଇଡ୍‌ମରାକୁ କେନ୍ଦ୍ର କରି ସୋମବାର ଦେଖାଯାଇଥିବା ସାଂପ୍ରଦାୟିକ ଘଟଣାରେ ଉତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଜାଳି ଦେବା ପରେ ୧୪୪ ଧାରା ଜାରି କରି ଦିଆଯାଇଛି। ହଜାର ସଂଖ୍ୟାରେ ରାସ୍ତା ଅବରୋଧ କରିଥିବା ଲୋକମାନେ ପୁଲିସକୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି। ଲୋକଙ୍କର ପଥର ଓ ଢେଲା ମାଡ଼ରେ ପାଖାପାଖି ୧୨ ଜଣ ପୁଲିସ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କାକୁଡିଆପଡ଼ାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ବସ୍ତିକୁ ବହୁ ସଂଖ୍ୟାରେ ଲୋକ ଘେରି ରହିଥିବା ସୂଚନା ମିଳିଛି । ଏହାପରେ ଘଟଣାସ୍ଥଳରେ ମାହାଙ୍ଗା, ନିଶ୍ଚିନ୍ତ କୋଇଲି, ନେମାଳ ଓ କିଷନ ନଗର ଥାନା ପୁଲିସ ପହଞ୍ଚି ଡିଏସ୍‌ପି ଆଲୋକ ରଞ୍ଜନ ରାୟଙ୍କ ନେତୃତ୍ୱରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ,ରାସ୍ତାରେ ଯାଉଥିବା ବେଳେ ସାଇଡ୍‌ ମରାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରୁ ଜଣେ କାକୁଡିଆପଦାରୁ ଆଉ କିଛି ଯୁବକଙ୍କୁ ଡ଼ାକି ଆଣି ବଚସା ଲାଗିଥିବା ଯୁବକଙ୍କ ଘରକୁ ଯାଇ ମାରପିଟ୍‌ କରିଥିଲା। ଏହି ମାରପିଟ୍‌ରେ ଜଣେ ମହିଳା ଓ ନାବାଳକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ବଜରଙ୍ଗ ଦଳର କର୍ମୀମାନେ ମଧ୍ୟ ପହଞ୍ଚି ଯାଇଥିଲେ। ଗ୍ରାମାବାସୀ ଓ ବଜରଙ୍ଗ ଦଳର କର୍ମୀ ରାସ୍ତା ଅବରୋଧ କରିବା ସହ ପୋଡାଜଳା କରିଥିବା ଜଣାପଡ଼ିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର