ଗୋଟିଏ ବର୍ଷରେ ସାଉଣ୍ଡ୍‌ ଓ ଲାଇଟ୍‌ ବ୍ୟବସାୟରେ ୧୭୦ କୋଟି କ୍ଷତି

ଋଣ ଶୁଝିବାକୁ ସଂଘର୍ଷ କରୁଛନ୍ତି ମାଲିକ, ଆର୍ଥିକ ସଂକଟରେ ୨ ହଜାର ପରିବାର

କଟକ: ୨୦୨୦ ମାର୍ଚ ମାସ ୧୫ରୁ ସାଉଣ୍ଡ ଓ ଲାଇଟ୍‌ ଡେକୋରେସନ୍ କାମ ସଂପୂର୍ଣ୍ଣ ବନ୍ଦ। ୨୦୨୧ ମସିହା ଜାନୁଆରି ଓ ଫେବ୍ରୁଆରି ମାସକୁ ଛାଡ଼ି ଦେଲେ ଅବଶି‌ଷ୍ଟ ୧୨ମାସ ହାତବାନ୍ଧି ବସିଛନ୍ତି ୧୮୫ ଜଣ ମାଲିକ ଓ ସେମାନଙ୍କ କର୍ମଚାରୀ। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। କର୍ମଚାରୀ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଥିବା ବେଳେ ମାଲିକମାନେ ଋଣର ମାସିକ କିସ୍ତି ଦେବାକୁ ଅସମର୍ଥ। ଏପରି ସ୍ଥିତିରେ ମାଲିକଙ୍କୁ ଋଣ ଦେୟ ଉପରେ କୋହଳ ଓ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କଟକ ସାଉଣ୍ଡ ଆଣ୍ଡ୍‌ ଲାଇଟ୍ ଆସୋସିଏସନ୍‌ ପକ୍ଷରୁ ଦାବି ହେଉଛି। କଟକ ଜିଲ୍ଲାରେ ଛୋଟବଡ଼ ୧୮୫ଟି ସାଉଣ୍ଡ ଓ ଲାଇଟ୍ ବ୍ୟବସାୟ ସଂସ୍ଥା ରହିଛି। ଏଥିରୁ ପ୍ରାୟ ୧୦୦ ଟି ଛୋଟ ସଂସ୍ଥା ହୋଇଥିବା ବେଳେ ଅବଶିଷ୍ଟ ୮୫ଟି ବଡ଼ ସଂସ୍ଥା ଅଛନ୍ତି। ଗୋଟିଏ ଛୋଟ ସଂସ୍ଥା ଅଧୀନରେ ୫/୬ଜଣ କର୍ମଚାରୀ ନିଯୁକ୍ତି ପାଇଥିବା ବେଳେ ବଡ଼ ସଂସ୍ଥା ପାଖରେ ୧୫/୧୬ ଜଣ କର୍ମଚାରୀ କାମ କରନ୍ତି। ସେହିପରି ଗୋଟିଏ ଛୋଟ ସଂସ୍ଥାର ବାର୍ଷିକ ଆୟ ୮୦ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ବଡ଼ ସଂସ୍ଥାର ଆୟ ଏକ କୋଟି ଟଙ୍କାରୁ ଅଧିକ।

ଏପରି ହିସାବ କଲେ, ୧୮୫ଟି ସାଉଣ୍ଡ ଓ ଲାଇଟ୍ ସଂସ୍ଥାର ବାର୍ଷିକ ଆୟ ୧୭୦ କୋଟି ଟଙ୍କାରୁ ଅଧିକ ହେବ। ଗତବର୍ଷ ମାର୍ଚ ୧୫ ତାରିଖରୁ ଏ ବର୍ଷ ମେ’ ୧୫ ତାରିଖ ପର୍ଯ୍ୟନ୍ତ ୧୪ ମାସରୁ ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ୨ମାସ ପାଇଁ ସବୁ ସଂସ୍ଥା କିଛି କିଛି କାମ ପାଇଥିଲେ। ଅବଶିଷ୍ଟ ୧୨ମାସ ବ୍ୟବସାୟ ସଂପୂର୍ଣ୍ଣ ଠପ୍‌। ଏହି ସବୁ ବ୍ୟବସାୟୀକ ସଂସ୍ଥା ଉପରେ ନିର୍ଭର କରି ଚଳୁଥିବା ୨ହଜାର କର୍ମଚାରୀ ମଧ୍ୟ ବର୍ଷେ ହେଲା ବସିଛନ୍ତି। କଟକ ସାଉଣ୍ଡ ଆଣ୍ଡ୍‌ ଲାଇଟ୍ ଆସୋସିଏସନର ସଭାପତି ତଥା କୁମାର ଲାଇଟସ୍‌ ପ୍ରତିଷ୍ଠାତା ନରେନ୍ଦ୍ର କୁମାର ସାହୁଙ୍କ କହିବା ଅନୁସାରେ, ୨୦୨୦ ମସିହା ମାର୍ଚ ମାସରୁ ଜିଲ୍ଲାର ୧୮୫ଟି ଅନୁଷ୍ଠାନ ହାତବାନ୍ଧି ବସିଥିଲେ। କରୋନାର ପ୍ରଥମ ଲହର ପରେ ଅନ୍‌ଲକ୍ ହେବାରୁ ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ଦୁଇମାସ ଧରି ବ୍ୟବସାୟ ଚାଲିବାରୁ ଆମର ସ୍ଥିତି ସୁଧିରି ଯିବ ବୋଲି ଆତ୍ମବିଶ୍ବାସ ସୃଷ୍ଟି ହୋଇଥିଲା।

ଆମେ ଅଣ୍ଟା ସଳଖୁ ଥିବା ବେଳେ ଏବେ କରୋନାର ଦ୍ବିତୀୟ ଲହର ଆମକୁ ଅଧିକ ଦୁର୍ବଳ କରି ଦେଇଛି। ଏବେ ଆମ ଉପରେ ନିର୍ଭର କରି ଚଳୁଥିବା ୨ ହଜାର କର୍ମଚାରୀଙ୍କ ପରିବାର ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଅଧିକାଂଶ ମାଲିକ ସଂସ୍ଥା ପାଇଁ ଋଣ କରିଥିବା ବେଳେ ଏବେ ଋଣର ମାସିକ କିସ୍ତି ଦେବାକୁ ଅସମର୍ଥ। ସରକାର ଆମକୁ ୬ମାସ ପର୍ଯ୍ୟନ୍ତ ଋଣ କିସ୍ତି ସୁଝିବାରୁ କୋହଳ କରନ୍ତୁ ଓ ପରିସ୍ଥିତି ସୁଧୁରିଲେ, ଆମେ ସମସ୍ତ ଋଣ ପରିଶୋଧ କରିବୁ ବୋଲି ସଭାପତି ଶ୍ରୀ ସାହୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର