୧୯୮୫ ପୁରୀଘାଟ ହାଜତ ମୃତ୍ୟୁ ମାମଲା: ୩୫ ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ

ଦୁଇ ପୂର୍ବତନ ପୁଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ

କଟକ: ଦୀର୍ଘ ୩୫ ବର୍ଷ‌ ପରେ କଟକ ପୁରୀଘାଟ ଥାନାରେ ଘଟିଥିବା ଏକ ହାଜତ ମୃତ୍ୟୁ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୧୯୮୫ରେ ଘଟିଥିବା ଏହି ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଥାନାର ତତ୍କାଳୀନ ଇନ୍ସପେକ୍ଟର ପ୍ରଭାତ ଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଏସଆଇ ପ୍ରତାପ କୁମାର ଚୌଧୁରୀଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତକଙ୍କ ପରିବାରକୁ ସରକାର ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହାଜତ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଘୃଣ୍ୟ ଏବଂ ଏଭଳି କାର୍ଯ୍ୟ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ହାଜତରେ ନିର୍ଯାତନା ଓ ମୃତ୍ୟୁ ଘଟଣାକୁ ବ୍ୟାଧି ଭାବେ ବର୍ଣ୍ଣନା କରି ଏହା ଉପରେ ଅଙ୍କୁଶ ପାଇଁ ଏଥିରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମତ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୫, ମେ’ ୫ ତାରିଖରେ କଟକର ସିଟି ଡିଏସପିଙ୍କ ନିକଟରେ କୁଶିଆ ଜେନା ଏକ ଏତଲା ରୁଜୁ କରିଥିଲେ। ସେ ଦର୍ଶାଇଥିଲେ ଯେ ମେ ୪ ତାରିଖ ଦିନ ପୁଲିସ ଡାକରା ପାଇ ସେ କାଶୀନାଥ ନାୟକଙ୍କ ସହିତ ଥାନାକୁ ଯାଇଥିବା ବେଳେ କାଶୀନାଥଙ୍କୁ ସେଠାରେ ପୁଲିସ ଅଧିକାରୀ ଅଟକାଇ ମାଡ଼ ମାରିଥିଲେ। ରାତିରେ ଗୁରୁତର ଅବସ୍ଥାରେ କାଶୀନାଥଙ୍କୁ ଥାନାରୁ ପୁଲିସ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା। ପରେ ସେ ଖବର ପାଇଥିଲେ ଯେ କାଶୀନାଥଙ୍କ ମୃତ୍ୟୁ ହୋଇଯାଇଛି। ଏ ନେଇ ପୁରୀଘାଟ/ଲାଲବାଗ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ତଦନ୍ତ ଭାର ନେଇଥିଲେ। ଏହି ମାମଲାରେ ତତ୍କାଳୀନ ଇନ୍ସପେକ୍ଟର ପ୍ରଭାତ ଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଏସଆଇ ପ୍ରତାପ କୁମାର ଚୌଧୁରୀଙ୍କ ବିରୋଧରେ ୧୯୮୫, ଜୁଲାଇ ୭ରେ ଚାର୍ଜସିଟ ଦାଖଲ ହୋଇଥିଲା। ମାମଲା‌ର ଶୁଣାଣି କରି କଟକ ସହକାରୀ ଦୌରା ଜଜ୍ ତଥା ଏସିଜେଏମ୍ (ସ୍ପେସାଲ) କୋର୍ଟ ଶ୍ରୀ ମହାନ୍ତି ଓ ଶ୍ରୀ ଚୌଧୁରୀଙ୍କୁ ଆଇପିସିର ଦଫା ୩୦୪ ପାର୍ଟ-୨, ୩୪୨, ୩୨୩, ୪୭୧ ଓ ୩୪ରେ ଦୋଷୀ ସାବ୍ୟସ୍ତ କରିଥିଲେ। ୧୯୮୮, ଅଗଷ୍ଟ ୨୯ର ଏହି ରାୟରେ ଦଫା ୩୦୪ ପାର୍ଟ-୨ରେ ଶ୍ରୀ ମହାନ୍ତି ଓ ଶ୍ରୀ ଚୌଧୁରୀଙ୍କୁ ଯଥାକ୍ରମେ ୫ ବର୍ଷ ଓ ୮ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ଦଫା ୪୭୧ରେ ୩ ବର୍ଷ, ଦଫା ୩୪୨ରେ ୩ ମାସ, ଦଫା ୩୨୩ରେ ଏକ ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା।

ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଶ୍ରୀ ମହାନ୍ତି ଦାୟର କରିଥିବା ଅପିଲକୁ ୧୯୮୮, ଅଗଷ୍ଟ ୩୧ରେ ହାଇକୋର୍ଟ ଗ୍ରହଣ କରି ମାମଲା ବିଚାରାଧୀନ ଥିବା ସମୟରେ ଜାମିନ ମଞ୍ଜୁର କରିଥିଲେ। ସେହିଭଳି ଭାବେ ଶ୍ରୀ ଚୌଧୁରୀଙ୍କ ଅପିଲକୁ ହାଇକୋର୍ଟ ୧୯୮୮, ସେପ୍ଟେମ୍ବର ୧ରେ ଗ୍ରହଣ କରି ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହି ଦୁଇ ଅପିଲର ହାଇକୋର୍ଟ ଗତ ଅକ୍ଟୋବର ୨୦ରେ ଏକତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲାର ରାୟ ପ୍ରକାଶ ପାଇଛି। ଦଫା ୩୦୪ ପାର୍ଟ-୨/୩୪ ଓ ୩୪୨/୩୪ରେ ଉଭୟଙ୍କୁ ପ୍ରଦାନ କରାଯାଇଥିବା ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନ୍ୟପକ୍ଷରେ ଆଇପିସିର ଦଫା ୩୨୩/୩୪, ୪୭୧/୩୪ରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ ନେଇ ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିବା ସହିତ ଉଭୟଙ୍କୁ ୩୨୪/୩୪ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବେ ଶ୍ରୀ ମହାନ୍ତିଙ୍କ ବୟସ ୭୬ ବର୍ଷ ଓ ଶ୍ରୀ ଚୌଧୁରୀଙ୍କ ବୟସ ୭୫ ହୋଇଥିବାରୁ ଅଦାଲତ ଉଭୟଙ୍କୁ ଆଇପିସିର ଦଫା ୩୨୩/୩୪ରେ ଏକ ମାସ କାରାଦଣ୍ଡ (ସିମ୍ପଲ ଇମ୍‌ପ୍ରିଜନମେଣ୍ଟ), ୪୭୧/୩୪ରେ ତିନି ମାସ କାରାଦଣ୍ଡ ଓ ୩୨୪/୩୪ରେ ଏକ ବର୍ଷ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏହି ସମସ୍ତ ଦଣ୍ଡାଦେଶ ଦୁଇ ଜଣ ଏକ ସଂଗେ ଭୋଗ କରିବେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଉଭୟ ୧୯୮୮ରୁ ଜାମିନରେ ଥିବାରୁ ଏ ସଂପର୍କିତ ଜାମିନ ବଣ୍ଡ୍ ରଦ୍ଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବଶିଷ୍ଟ ଦଣ୍ଡ ଭୋଗ କରିବା ପାଇଁ ଦୁଇ ସପ୍ତାହ ଭିତରେ ଦୁଇ ଜଣ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଏହି ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀ ବା ଆଇନ ଅନୁସାରେ ପ୍ରତିନିଧିଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଏକ ମାସ ଭିତରେ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର