କଟକ: ଦୁଇଟି ଭିନ୍ନ ଘଟଣାରେ ରେଳଧାରଣାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଇ ଜଣ ମହିଳାଙ୍କୁ ଆରପିଏଫ୍ ପୁଲିସ ଉଦ୍ଧାର କରିଛି। ଜଣେ ମହିଳାଙ୍କ ସହିତ ଗୋଟିଏ ଶିଶୁପୁତ୍ରକୁ ବି ଉଦ୍ଧାର କରାଯାଇଛି। ଦୁଇଟି ଘଟଣା ଭିତରେ କୌଣସି ସଂପର୍କ ନଥିଲେ ବି ଆତ୍ମହତ୍ୟା ଉଦ୍ୟମର କାରଣ କିନ୍ତୁ ସମାନ ରହିଛି। ପ୍ରେମ ବିବାହ କରିଥିବା ଦୁଇ ଜଣଯାକ ମହିଳା ସେମାନଙ୍କ ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହକରି ଏଭଳି ଆତ୍ମହତ୍ୟା ପାଇଁ ପଦକ୍ଷେପ ନେଇଥିବା କୁହାଯାଇଛି।
ସୂଚନା ଅନୁଯାୟୀ, କଟକ ନିଆଳିର ଅଧ୍ୟାପକ ଦମ୍ପତି ଭୁବନେଶ୍ବରରେ ଦୁଇଟି ଘରୋଇ ଇଞ୍ଜିନିୟରିଂ କଲେଜରେ ଚାକିରି କରନ୍ତି। ଗଲା ୩ ବର୍ଷ ହେବ ଉଭୟଙ୍କ ପ୍ରେମ ସମ୍ପର୍କ ଥିବାବେଳେ ୭ ମାସ ତଳେ ସେମାନେ ବିବାହ କରିଥିଲେ। କିନ୍ତୁ, ବିବାହ ପରେ ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କରି ନିୟମିତ ସେମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଆଜି ଅଧ୍ୟାପିକା ପତ୍ନୀ ବସ୍ରେ କଟକ ଚାଲି ଆସିଥିଲେ। କଟକରେ ପହଞ୍ଚି ରାତି ପ୍ରାୟ ୭ଟା ୨୦ ବେଳେ ଆରପିଏଫ୍ ଥାନା ପଛପଟ ରେଳ ଧାରଣାରେ ଶୋଇପଡ଼ିଥିଲେ। ଆରପିଏଫ୍ ପୁଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ମହିଳା ଜଣକ ରେଳ ଧାରଣାରେ ଶୋଇଥିବା ଦେଖିବାକୁ ପାଇ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ।
ଅନ୍ୟ ଏକ ଘଟଣାରେ ବ୍ରହ୍ମପୁରର ଜଣେ ମହିଳା କେନ୍ଦ୍ରାପଡ଼ାର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ପରିବାର ଏହି ବିବାହକୁ ଗ୍ରହଣ କରୁ ନଥିବା ବେଳେ ସେମାନେ ପରିବାର ଲୋକଙ୍କ ବିରୋଧରେ ଯାଇ ବାହା ହୋଇଥିଲେ ଓ ମଙ୍ଗଳାବାଗରେ ଏକ ଘର ଭଡ଼ାନେଇ ରହୁଥିଲେ। ଗଲା ୨୫ ଦିନ ତଳେ ମହିଳାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। କିନ୍ତୁ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିବା ସନ୍ଦେହରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ରାତି ପ୍ରାୟ ୭ଟା ବେଳେ ମହିଳା ଜଣକ ଘରୁ ବାହାରି ଆସି ରେଳ ଧାରଣାର ୨ ନମ୍ବରର ରୁଟ୍ରେ ନବଜାତ ଶିଶୁ ସହିତ ଆତ୍ମହତ୍ୟା ପାଇଁ ବସି ରହିଥିଲେ। ଏହିସମୟରେ ରେଳ ଧାରଣା ନିକଟରେ ଏସଆଇ ରୋଜି ମହାନନ୍ଦ, ଏଏସଆଇ ସ୍ମୃତି ରଞ୍ଜନ ସାହୁ ଏବଂ ଅନ୍ୟ ପୁଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବାବେଳେ ମହିଳାଙ୍କୁ ଦେଖି ତାଙ୍କୁ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/42-13.jpg)