ମାଲଗୋଦାମ ବ୍ୟବସାୟୀ ଅତିଷ୍ଠ; ୨୫ ଶହ ପାସ୍ ବାତିଲ୍ କଲା ପୁଲିସ
ରାସ୍ତାରେ ରୋକିବାରୁ ୧୦ ଗୋଦାମ ବନ୍ଦ; ଟ୍ରେଡ୍ ଲାଇସେନ୍ସ ଦେଖାଇଲେ ବି ଛାଡ଼ିଲାନି
କଟକ: ମାଲଗୋଦାମରେ ଗୋଦାମ ସଂଖ୍ୟା ପାଖାପାଖି ୮୦୦। ପ୍ରତି ଗୋଦାମରୁ ୩ ଜଣ ଲେଖାଏ କରି ୨୫ ଶହ ପାସ୍ ମାଲଗୋଦାମ ବଣିକ ସଂଘ କରୋନାର ପ୍ରଥମ ଲହର ଆରମ୍ଭରୁ ଏମାନଙ୍କୁ ଯୋଗାଇ ଦେଇଥିଲା। ରାସ୍ତାରେ ପୁଲିସକୁ ପାସ୍ ଦେଖାଇ ଏମାନେ ଘରୁ ମାଲଗୋଦାମ ଯିବାଆସିବା କରିଆସୁଥିଲେ। କିନ୍ତୁ କମିସନରେଟ୍ ପୁଲିସ ସମସ୍ତ ପାସକୁ ଅବୈଧ ଘୋଷଣା କରିଦେଇଛି।
୨୫ ଶହ କର୍ମଚାରୀଙ୍କ ପାଇଁ ସଂଘ ଲିଖିତ ଭାବେ ପୃଥକ ଅନୁମତିପତ୍ର ଦେବାକୁ ପୁଲିସ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଛି, ଏଭଳି ପରିସ୍ଥିତିରେ ୨୫ ଶହ ଲୋକଙ୍କୁ ବଣିକ ସଂଘ କିଭଳି ଏକକାଳୀନ ପାସ୍ ଯୋଗାଇବ-ଏ ନେଇ ଅଡ଼ୁଆରେ ପଡ଼ିଯାଇଛି ସଂଘ। ଟ୍ରେଡ୍ ଲାଇସେନ୍ସ କିମ୍ବା ବ୍ୟବସାୟ ସଂକ୍ରାନ୍ତ କାଗଜପତ୍ର ଦେଖାଇ ରାସ୍ତାରେ ଯିବା ଆସିବା କରିପାରିବା ସଂକ୍ରାନ୍ତରେ ଗଲା ସପ୍ତାହରେ କହିଥିବା କମିସନରେଟ୍ ପୁଲିସ ସପ୍ତାହ ପରେ ନୂଆ ନିୟମ ଜାରି କରିଛି। ଏସବୁ କାଗଜପତ୍ର ଦେଖାଇଥିଲେ ବି ଆଜି ପ୍ରାୟ ୧୦ ଜଣ ବ୍ୟବସାୟୀଙ୍କୁ ରାସ୍ତାରେ ଅଟକାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଆଇଟି ସେକ୍ଟର୍, ଶିଳ୍ପ ସଂସ୍ଥା କିମ୍ବା କର୍ପୋରେଟ୍ ହାଉସର କର୍ତ୍ତୃପକ୍ଷ ‘କୋସେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍’ ସହାୟତାରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଆପ୍ଲିକେସନରେ ଇ-ପରମିସନ୍ କମିସନରେଟ୍ ପୁଲିସରୁ ସଂଗ୍ରହ କରିବା ପାଇଁ କୁହାଯାଇଥିଲା। ଏହାସହିତ ସଂସ୍ଥା ପକ୍ଷରୁ ଅଫିସ ଆସୁଥିବା କର୍ମଚାରୀଙ୍କ ତାଲିକା ଡିସିପିଙ୍କୁ ମେଲ୍ କରିବାକୁ କୁହାଯାଇଥିବା ବେଳେ ବ୍ୟାବସାୟିକ ପ୍ରତିଷ୍ଠାନ ଏଭଳି ପ୍ରକ୍ରିୟା ବାହାରେ ଥିଲା। ବ୍ୟାବସାୟିକ ପ୍ରତିଷ୍ଠାନ ସହିତ ଜଡ଼ିତ ବ୍ୟକ୍ତି ନିଜ ସଂସ୍ଥାର ପରିଚୟପତ୍ର କିମ୍ବା ଟ୍ରେଡ୍ ଲାଇସେନ୍ସ ସାର୍ଟିଫିକେଟ୍ ଅଥବା ସମ୍ପୃକ୍ତ ସଂସ୍ଥାକୁ ରାଜ୍ୟ ଅନୁମତି ଦେଇଥିବା ସଂକ୍ରାନ୍ତ କୌଣସି କାଗଜପତ୍ର ଦେଖାଇ ଘରୁ ବ୍ୟାବସାୟିକ ପ୍ରତିଷ୍ଠାନକୁ ଆସିପାରିବେ ବୋଲି କହିଥିବା କମିସନରେଟ୍ ପୁଲିସ ନିୟମକୁ ହଠାତ୍ ବଦଳାଇ ଦେଇଛି। ଏସବୁ ଦେଖାଇଲେ ବି ମାଲଗୋଦାମକୁ ଆସୁଥିବା ବ୍ୟବସାୟୀଙ୍କୁ ରାସ୍ତାରେ ପୁଲିସ ଅଟକାଉଥିବା ଅଭିଯୋଗ ଆଣିଛନ୍ତି ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ।
ପୁଲିସ ଏଭଳି ରାସ୍ତାରେ ଗାଡ଼ି ଅଟକାଉଥିବାରୁ ଆଜି ପ୍ରାୟ ୧୦ ଜଣ ବ୍ୟବସାୟୀ ଗୋଦାମ ଖୋଲିବା ସମ୍ଭବପର ହୋଇପାରି ନାହିଁ। ଏଭଳି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ମାଲଗୋଦାମ ବ୍ୟବସାୟୀ ଗୋଦାମକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଶିଳ୍ପ ସଂସ୍ଥା, ଆଇଟି ସେକ୍ଟର୍ ଓ କର୍ପୋରେଟ୍ ହାଉସ୍ ଭଳି ମାଲଗୋଦାମର ସମସ୍ତ ବ୍ୟବସାୟୀଙ୍କୁ ବଣିକ ସଂଘ ପକ୍ଷରୁ ପୃଥକ ଅନୁମତିପତ୍ର ଦେବାକୁ କହିଛି କମିସନରେଟ୍ ପୁଲିସ। କମିସନରେଟ୍ ପୁଲିସର ଏଭଳି ବିଚିତ୍ର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢ଼ିଛି।
ଅନ୍ୟପଟେ କରୋନାର ପ୍ରଥମ ଲକଡାଉନରେ ଗଲା ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହୋଇଥିବା ଲକଡାଉନ୍ରେ ଅତ୍ୟାବଶ୍ୟକ ସାମଗ୍ରୀର କିଣାକିଣି ସକାଳ ୬ଟାରୁ ଦିନ ୧୨ଟା ଯାଏ ଧାର୍ଯ୍ୟ ହୋଇଥିବା ବେଳେ ପୁଣି ଏଥିରେ ପରିବର୍ତ୍ତନ ମାଲଗୋଦାମ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେ ସକାଳ ୭ଟାରୁ ଦିନ ୧୧ଟା ଯାଏ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି। ମାଲଗୋଦାମକୁ ଦୂରରୁ ଗୋଦାମ କର୍ମଚାରୀ ଓ ମଜୁରିଆ ଆସୁଥିବାରୁ ୯ଟା ପୂର୍ବରୁ ଖୋଲିବା ସମ୍ଭବ ହେଉ ନଥିବା କୁହାଯାଉଛି।
ଦିନ ୧୧ଟା ସୁଦ୍ଧା ବନ୍ଦ କରିବାକୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଗୋଦାମ ୯ଟାରେ ଖୋଲିଲେ ଦିନ ୧୦ଟା ଯାଏ ବ୍ୟବସାୟ କରିବା ସମ୍ଭବପର। ୧୦ଟାରେ ବନ୍ଦ କଲେ ଘଣ୍ଟାଏ ଭିତରେ ବିଲ୍ ଏକାଠି କରିବାଠାରୁ ଆରମ୍ଭ କରି ଷ୍ଟକ୍ ଯାଞ୍ଚ ଓ ଟଙ୍କା ହିସାବ କରିବାକୁ ପଡ଼ିବ। ଏଭଳି ସ୍ଥିତିକୁ ଦେଖି ମାଲଗୋଦାମ ବ୍ୟବସାୟୀମାନେ ଅତିଷ୍ଠ ହୋଇପଡ଼ିଲେଣି। ପୂର୍ବରୁ ୬ରୁ ୧୨ଟା ଅନୁମତିକୁ ବିରୋଧ କରାଯାଇଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଇ ଏବେ ଆହୁରି କଟକଣା ଲଦିଦେବାରୁ ଗୋଦାମ ବନ୍ଦ କରିବାକୁ ମାଲଗୋଦାମ ବ୍ୟବସାୟୀ ଯୋଜନା କରୁଥିବା କୁହାଯାଉଛି।