କଟକରେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ୭୧ ପ୍ରତିଶତ ରୋଗୀ: ସିଏମସି କମିସନର

୬ ଦିନରେ ୨୬୪ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ୭୧ ପ୍ରତିଶତ ରୋଗୀ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି । ଗତ ୧୯ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ୨୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ (ସିଏମସି) କମିସନର ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି କଟକ ସହରରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧ରେ ପହଂଚିଛି । ଏଥିରୁ ୨୯୬ ଜଣ ସୁସ୍ଥ ହୋଇଥିବା ବେଳେ ୩୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଯୌଥ ପରିବାରେ ରହୁଥିବା ଲୋକେ ସତର୍କ ରହିବା ଉଚିତ ବୋଲି ସିଏମସି କମିସନର ଶ୍ରୀ ଦାସ କହିଛନ୍ତି । ବର୍ତ୍ତମାନ ଆକ୍ଟିଭ ସର୍ଭେଲାନ୍ସ ଅନୁସାରେ ସହରରେ ଟେଷ୍ଟିଂ ଚାଲିଛି । କରୋନା ପଜିଟିଭଙ୍କୁ ଚିହ୍ନଟ କରିବାରେ କଣ୍ଟେନମେଣ୍ଟ ଜୋନ ସହାୟକ ହୋଇପାରିଛି । ଏବେ କଟକରେ ୩ଟି କଣ୍ଟେନମେଣ୍ଟ ଜୋନ ଚାଲିଛି । ପୁରୁଣା ରାଉସପାଟଣା, ଖଟବିନ୍‌ସାହି ଓ ଶଙ୍କରପୁରରେ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
ଶ୍ରୀମତୀ ଦାସ କହିଛନ୍ତି, ପୁରୁଣା ରାଉସପାଟଣାରେ ୫ଜଣ ଲେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆମେ କଣ୍ଟେନମେଣ୍ଟ ଜୋନ ଆରମ୍ଭ କରିଥିଲୁ । ଏହା ପରେ ଆମେ ଅନ୍ୟ ପଜିଟିଭମାନଙ୍କୁ ଚିହ୍ନଟ କରିବାରେ ସଫଳତା ପାଇଛୁ । କଣ୍ଟେନମେଣ୍ଟ ଜୋନରୁ ପଜିଟିଭ ବାହାର କରିବାରେ ସ୍ଥାନୀୟ ପୁଲିସ, ସାହିବାସୀ ଓ ପୂଜାକମିଟିର ସଦସ୍ୟମାନେ ସହଯୋଗ କରୁଛନ୍ତି । କଣ୍ଟେନମେନ ଜୋନରେ ମଧ୍ୟ ନିଜ ଇଚ୍ଛାରେ ନବୁଲି ଘରେ ରୁହନ୍ତୁ । କଣ୍ଟେନମେଣ୍ଟ ଜୋନ ଅର୍ଥ ଆମେ ସଂକ୍ରମଣକୁ ଧରିବା ପାଇଁ ଏକ ପ୍ରକାର ଉପାୟ । ତେଣୁ ଲୋକେ ଘରେ ରୁହନ୍ତୁ ।
ଚଳିତ ସପ୍ତାହରେ ଆମେ ଟେଷ୍ଟିଂକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ । ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରିବୁ ।

 

ହୋମ ଆଇସାଲେସନକୁ ଅନୁମତି ଦିଆଯାଉଛି । ଯଦି ଜଣେ ବ୍ୟକ୍ତିଙ୍କ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି, ତା’ହେଲେ ଏଥିପାଇଁ ଅନୁମତି ଦିଆଯାଉଛି । ଯେଉଁମାନେ ହୋମ ଆଇସୋଲେସନରେ ରହିବାକୁ ଚାହୁଁଛନ୍ତି, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଅନୁସାରେ ସୁବିଧା ଯୋଗାଇ ଦିଆଯାଉଛି । କିନ୍ତୁ ହୋମ ଆଇସୋଲେସନ ପାଇଁ ଆକଳନ କରାଯାଉଛି । ସେ କହିଛନ୍ତି, ପ୍ଲାଜମା ଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ ।

ସିଏମସି କମିସନର ପରାମର୍ଶ ଦେଇଛନ୍ତି ଯେ, ଗୁଜବକୁ ବିଶ୍ୱାସ କରୁନାହାନ୍ତି । କରୋନାକୁ ନେଇ ଗୁଜବ ପ୍ରଚାର କରନ୍ତୁ ନାହିଁ । କରୋନା ସହିତ କୌଣସି ଖବର ପାଇବା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ ।

ସମ୍ବନ୍ଧିତ ଖବର