କଟକରେ ୨୭ ଭେଣ୍ଟିଲେଟର ଓ ୪୫ ଆଇସିୟୁ ଖାଲି

କଟକ: କଟକ ଜିଲ୍ଲାର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ପୂର୍ବରୁ ସାଧାରଣ ବେଡ୍‌ ଖାଲି ପଡୁଥିବା ବେଳେ ଇତିମଧ୍ୟରେ ଆଇସିୟୁ, ଭେଣ୍ଟିଲେଟର ବେଡ୍ ବି ଖାଲି ପଡିବା ଆରମ୍ଭ କରିଛି।

ତଥ୍ୟ ଅନୁଯାୟୀ ଗତକାଲି ସଂଧ୍ୟା ସୁଦ୍ଧା ୨୭ ଭେଣ୍ଟିଲେଟରରେ ବେଡ୍‌ ଓ ୪୫ ଆଇସିୟୁ ବେଡ୍‌ ଖାଲି ଅଛି। ଅନ୍ୟପଟେ କଟକ ସହରରେ ଥିବା ୫ଟି ସିସିସିର ୫୧୦ଟି ବେଡ୍‌ରେ ମାତ୍ର ୨୦ ଜଣ ସଂକ୍ରମିତ ଅଛନ୍ତି। ଗ୍ରାମାଞ୍ଚଳରେ ଥିବା ସିସିସିର ୧୪ଶହ ବେଡ୍‌ରୁ ୭୮୫ ବେଡ୍‌ ଖାଲି ପଡିଛି। ଅର୍ଥାତ୍‌ ୬୧୫ଜଣ ସଂକ୍ରମିତ ସିସିସିରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୨୮୪ ରହିଛି। ସେମାନଙ୍କ ମଧ୍ୟରୁ ୨୫୯୪ଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି।
କଟକରେ ଏସ୍‌ସିବି ସମେତ ୮ଟି ଘରୋଇ କୋଭିଡ୍‌ ହସ୍ପିଟାଲରେ ୧୮୮ଟି ସାଧାରଣ ବେଡ୍‌ ଥିବାବେଳେ ସେଥିମଧ୍ୟରୁ ୬୪ ବେଡ୍‌ରେ ରୋଗୀ ଅଛନ୍ତି। ୧୨୪ ବେଡ୍‌ ଖାଲି ପଡିଛି। ୯୪୧ଟି ଅକ୍ସିଜେନ ଯୁକ୍ତ ବେଡ୍‌ରେ ୪୩୯ ରୋଗୀ ଚିକିତ୍ସିତ ହେଉଥିବାବେଳେ ୫୦୨ବେଡ୍‌ ଖାଲି ପଡିଛି। ୩୬୩  ଆଇସିୟୁରୁ ୩୧୮ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ୪୫ ବେଡ୍‌ ଖାଲି ପଡିଛି। ସେହିପରି ,୧୫୫ ଭେଣ୍ଟିଲେଟରରୁ  ୧୨୮ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ  ୨୭ ଭେଣ୍ଟିଲେଟର ଖାଲି ପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଏସ୍‌ସିବିରେ ୫୦୭ ଅକ୍ତିଜେନ୍ ଯୁକ୍ତ ବେଡରୁ ୩୮୬ଟି ବେଡ୍‌ ଖାଲି ପଡିଥିବାବେଳେ ଆଇସିୟୁ ଓ ଭେଣ୍ଟିଲେଟର ଭର୍ତ୍ତି ରହିଛି। ଅଶ୍ବିନୀରେ ମଧ୍ୟ ୨୧ଟି ସାଧାରଣ ବେଡ୍‌ , ଅକ୍ସିଜେନ ଯୁକ୍ତ ବେଡ୍‌ ୩୭ଟି , ଆଇସିୟୁ ୨ଟି ଖାଲି ଥିବାବେଳେ ଭେଣ୍ଟିଲେଟର ଭର୍ତ୍ତି ରହିଛି। ମେଡିଆରାରେ ସର୍ବାଧିକ ୧୭ ଆଇସିୟୁ ଓ ରୁଦ୍ରରେ ୯ଟି ଆଇସିୟୁ ଖାଲି ଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।

ସମ୍ବନ୍ଧିତ ଖବର