କଟକ: କଟକରେ ଆଜି କମିଛି ସଂକ୍ରମଣ। ଗତକାଲି ୧୧ଶହ ପାଖାପାଖି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୬୯୦କୁ ଖସିଛି। ହାରାହାରି ଭାବେ ଦୈନିକ ପରୀକ୍ଷା ସଂଖ୍ୟା ସମାନ ରହିଥିବା ବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା କିଛିଟା ଆଶ୍ବସ୍ତି ଆଣିଛି। ଅନ୍ୟପଟେ ୧୦୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକରେ ଶନିବାର ଦିନ ହୋଇଥିବା ୨୦୭୫ ଆଣ୍ଟିଜେନ୍ ଟେଷ୍ଟରୁ ୩୯୩ ଜଣ ପଜିଟିଭ୍ ବାହାରିଥିବା ବେଳେ ତାହା ବି ସଂକ୍ରମଣ ହାର ହ୍ରାସ ପାଉଥିବା ସୂଚନା ଦେଉଛି। କଟକରେ ପୂର୍ବରୁ ଆଇସିୟୁ ବେଡ୍ ଅଭାବ ନେଇ ଯେଉଁ ସମସ୍ୟା ରହିଥିଲା ତା ଏବେ କମିବା ଆରମ୍ଭ କରିଛି। କଟକରେ ଖୋଲା ଯାଇଥିବା ୮ଟି ଘରୋଇ କୋଭିଡ୍ ହସ୍ପିଟାଲର ସବୁଠି ବେଡ୍ ଏବେ ଫାଙ୍କା ପଡିବା ଆରମ୍ଭ ହୋଇଛି। ଅଶ୍ବିନୀ ହସ୍ପିଟାଲ ସମେତ ପ୍ରାୟ ସବୁ କୋଭିଡ୍ ହସ୍ପିଟାଲରେ କେଉଁଠି ୧୫ରୁ ଅଧିକ ତ କେଉଁଠି ୧୦ରୁ ଅଧିକ ବେଡ୍ ଖାଲି ପଡିଥିବା ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଏଥି ସହ ରବିବାରଠାରୁ ୩ଟି ଆମ୍ବୁଲାନ୍ସରେ ପୋର୍ଟେବୁଲ ଏକ୍ସରେ ମେସିନ୍ କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ସିସିସିରେ ପହଞ୍ଚି ସଂକ୍ରମିତଙ୍କ ଛାତିର ଏକ୍ସରେ କରିବ। ଯାହା ଫଳରେ ଗୁରୁତର ହୋଇପଡୁଥିବା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିବ ବୋଲି ସେ କହିଛନ୍ତି।
ସହରରେ ୨୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ସିଡିଏର ବିଭିନ୍ନ ସେକ୍ଟରରୁ ୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଚାଉଳିଆଗଞ୍ଜରୁ ୧୩, ବିଡାନାସୀରୁ ୧୧ ଜଣଙ୍କ ସମେତ ଇଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍ରୁ ୬୭, ଗୃହ ସଙ୍ଗରୋଧରୁ ୧୩୪ ଓ ସ୍ଥାନୀୟ ସଂକ୍ରମଣରୁ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଗ୍ରାମାଞ୍ଚଳରୁ ୩୮୯ ସଂକ୍ରମିତଙ୍କ ମଧ୍ୟରୁ ଆଠଗଡ଼ରୁ ସର୍ବାଧିକ ୫୩, ବାଙ୍କୀରୁ ୪୮, ଟାଙ୍ଗୀରୁ ୪୪, କଟକ ସଦରରୁ ୩୯, ମାହାଙ୍ଗାରୁ ୨୨, ନରସିଂହପୁରରୁ ୧୫, ବାରଙ୍ଗରୁ ୪୯, ବଡମ୍ବାରୁ ୯, ଚୌଦ୍ବାରରୁ ୧୫, କଣ୍ଟାପଡାରୁ ୧୯, ନିଆଳିରୁ ୨୨, ନଶ୍ଚିନ୍ତକୋଇଲିରୁ ୧୪, ସାଲେପୁରରୁ ୩୦, ତିଗିରିଆରୁ ଜଣେ ଓ ଅନ୍ୟ ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।