ବୀମା କମ୍ପାନି ନକଲି ମ୍ୟାନେଜରଙ୍କ କାରନାମା : କ୍ରାଇମ୍‌ବ୍ରାଞ୍ଚ ହାତରେ ୩ ସାଇବର‌୍‌ ଅପରାଧୀ

୨୨ ଲକ୍ଷ ଟଙ୍କାର ଠକେଇ

କଟକ : କୋଟାକ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନିର ନକଲି ମ୍ୟାନେଜର ଠକିଛି ୨୧ଲକ୍ଷ ୪୦ ହଜାର ଟଙ୍କା। ପ୍ରିମିୟମ୍‌ ଟଙ୍କା ଜମା କରିବା ପରେ ଅଧିକ ପରିମାଣର ମାଚ୍ୟୁରିଟି ଦେବାର ଲୋଭ ଦେଖାଇ ଠକେଇ ହୋଇଛି। ଏହି ରୢାକେଟ୍‌ରେ ସାମିଲ ୩ ଜଣଙ୍କୁ ଦିଲ୍ଲୀରୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଦିଲ୍ଲୀ ଦ୍ବାରକା ଜିଲ୍ଲାରେ ରହୁଥିବା କେନ୍ଦ୍ରାପଡ଼ା ପାଟକୁରାର ଦିଲ୍ଲୀପ କୁମାର ନାଥଶର୍ମା ଓରଫ ପୁରୁଷୋତ୍ତମ ମହାପାତ୍ର ଓରଫ ନାରାୟଣ ଗୌତମ(୩୬), ଉତ୍ତରପ୍ରଦେଶ ହାତରଶ ଜିଲ୍ଲାର ରାମ ପ୍ରକାଶ ଶର୍ମା(୨୪) ଏବ˚ ଉତ୍ତରପ୍ରଦେଶ ଫିରୋଜାବାଦ୍‌ର ପ୍ରିୟଙ୍କ କୁମାର ବର୍ମା ଓରଫ ଜଟନି ଖୁରାନା(୨୭)। କ୍ରାଇମ୍‌ବ୍ରାଞ୍ଚ ୩ ଅଭିଯୁକ୍ତଙ୍କ ନିକଟରୁ ଅଭିଯୋଗକାରୀଙ୍କୁ ଫୋନ୍‌ କରାଯାଇଥିବା ୪ଟି ମୋବାଇଲ୍‌, ବିଭିନ୍ନ ବ୍ୟାଙ୍କର ୭ଟି ଚେକ୍‌ ବହି, ୪ଟି ପାସ୍‌ ବୁକ, ୪ଟି ପ୍ୟାନ୍‌ ନମ୍ବର ଏବ˚ ନଗଦ ଏକ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ବର ଖଣ୍ତଗିରି ଥାନା ବରମୁଣ୍ତା ଅଞ୍ଚଳର ସଞ୍ଜିବ କୁମାର ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ଦିଲ୍ଲୀର କୋଟାକ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନିର ବୋର୍ଡ ମେମ୍ବର ଏବ˚ ମ୍ୟାନେଜର ପରିଚୟରେ ଫୋନ୍‌ କରିଥିଲେ। ଉକ୍ତ କମ୍ପାନିରେ ଇନ୍‌ସ୍ୟୁରାନ୍ସ କଲେ ମାଚ୍ୟୁରିଟି ଟଙ୍କା ଅଧିକ ମିଳିବାର ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ଏବ˚ ପ୍ରିୟଙ୍କ ୨୦୧୬ ଜୁନ୍‌ରେ ଫୋନ୍‌ କରି ଟଙ୍କା ଜମା କରିବାକୁ କହିଥିଲେ। ମିଛ ପ୍ରଲୋଭନ ଦେଖାଇ ୨୦୧୮ ସୁଦ୍ଧା ସଞ୍ଜିବଙ୍କ ନିକଟରୁ ମୋଟ ୨୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ଠକାମିର ଶିକାର ହୋଇଥିବା ସ୍ପଷ୍ଟ ହେବା ପରେ ସଞ୍ଜିବ ଜୁଲାଇ ୩୦ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ସାଇବର‌୍‌ ଥାନାରେ ଅଭିଯୋଗ କରିଥିଲେ। ଏକ ମାମଲା ରୁୁଜୁ କରି ଇନ୍‌ସ୍ପେକ୍ଟର ତାପସ ପ୍ରଧାନ ଓ ଦେବୀ ପ୍ରସାଦ ଦାସଙ୍କ ନେତୃତ୍ବରେ ଏକ ଟିମ୍‌ ଦିଲ୍ଲୀରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ଟ୍ରାନ୍‌ଜିଟ ରିମାଣ୍ତରେ କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ଆଣିଛି। ଘଟଣାର ତଦନ୍ତ ସମୟରେ ସାଇବର ଅପରାଧୀଙ୍କ ନିକଟରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା। ଦିଲ୍ଲୀପ ୨୦୧୧ରେ ଓଡ଼ିଶାରେ କୋଟାକ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ କାର୍ଯ୍ୟ କରୁଥିବା ବେଳେ ସ˚ସ୍ଥାରୁ ଏକାଧିକ ବୀମାଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିଲା। ସ˚ସ୍ଥା ଛାଡ଼ିବା ପରେ ଉକ୍ତ ତଥ୍ୟଗୁଡ଼ିକ ବ୍ୟବହାର କରି ସଞ୍ଜିବଙ୍କୁ ଫୋନ୍‌ କରିଥିଲା। ତାଙ୍କୁ ପ୍ରଭାବିତ କରି ବୀମା ବାବଦ ଟଙ୍କା ୫ଟି ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ପର୍ଯ୍ୟାୟରେ ନେଇଥିଲେ। ଏହି ଟଙ୍କା ଗୁଡ଼ିକ ରାମ ପ୍ରକାଶଙ୍କ ନାମରେ ଖୋଲାଯାଇଥିବା ନକଲି ତଥ୍ୟ ଆଧାରିତ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ସେ ବାବଦରେ ରାମପ୍ରକାଶଙ୍କୁ ଦିଲ୍ଲୀପ ଏବ˚ ପ୍ରିୟଙ୍କା ଜମା ଟଙ୍କାର ୧୦ ପ୍ରତିଶତ ଅର୍ଥ ଦେଉଥିଲେ। ଅବଶିଷ୍ଟ ଦୁଇଟି ଆକାଉଣ୍ଟଧାରୀଙ୍କ ପତ୍ତା ମିଳିପାରୁନାହିଁ। ଓଡ଼ିଶା ସମେତ ବିହାର, ଦିଲ୍ଲୀରେ ମଧ୍ୟ ଏଭଳି ଠକେଇ କରିଥିବା ଜଣାପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପୁଣି ଦିଲ୍ଲୀ ଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର