ବେଲଭ୍ୟୁ ଛକ ପାଲଟିଲା ରଣକ୍ଷେତ୍ର

ଦୋକାନ ଭଙ୍ଗାରୁଜା, ୩ ଆହତ

ବିଧାୟକଙ୍କ ପୁଅ ବିରୋଧରେ ଏତଲା

କଟକ-ସିଡିଏ : କାଠଯୋଡିର ବେଲଭ୍ୟୁ ଛକ ନିକଟରେ ଆଜି ସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବାରୁ ସେହି ଅଞ୍ଚଳ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଛି। ଏଥିରେ କିଛି ଦୋକାନ ଓ ଗାଡି ଭାଙ୍ଗିବା ସହ ତିନି ଜଣ ଆହତ ହୋଇଥିବା ଜଣା ପଡିଛି। ଏ ସଂପର୍କରେ ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଗଣ୍ଡଗୋଳକାରୀ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। କିନ୍ତୁ ପରେ ଏ ସଂକ୍ରାନ୍ତରେ ମର୍କତନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ମାମଲା ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀରଂଜନ ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାନଙ୍କ ନାମରେ ରୁଜୁ ହୋଇଥିବା ବେଳେ ଅନ୍ୟ ଏକ ମାମଲା ୪ ଜଣ ଯୁବକଙ୍କ ନାମରେ ରୁଜୁ ହୋଇଛି। ଏହାକୁ ନେଇ ବିଳମ୍ବିତ ରାତିଯାଏ ଉତ୍ତେଜନା ଲାଗି ରହିଛି।

ଅଭିଯୋଗ ଅନୁଯାୟୀ ବେଲଭ୍ୟୁ ଛକ ତ୍ରିଶୂଳିଆ ପୋଲ ନିକଟରେ ଡଗରପଡା ଅଞ୍ଚଳର ରାକେଶ ବେହେରା ନାମକ ଜଣେ ଯୁବକ ପାନ ଦୋକାନ କରିଛନ୍ତି। ସେହି ଦୋକାନ ପଛକୁ ଥିବା ଖାଲି ଜାଗା ଅନ୍ଧାର ରହୁଥିବା ବେଳେ ସେଠାରେ ବିଳମ୍ବିତ ରାତି ଯାଏ କିଛି ଯୁବକ ଆଡ଼ା ଜମାଇବା ସହ ନିଶା ସେବନ କରନ୍ତି। ଅନେକ ସମୟରେ ପାଟିତୁଣ୍ଡ କରି ବିଶୃଙ୍ଖଳା ସୃଷ୍ଟି କରନ୍ତି। ରାକେଶ ଓ ଅନ୍ୟ ଦୋକାନୀମାନେ ସେମାନଙ୍କୁ ଏଭଳି ନ କରିବା ପାଇଁ ଅନେକ ଥର ବାରଣ କରିଥିଲେ ବି ସେମାନେ ନଶୁଣି ବିଭିନ୍ନ ସମୟରେ ଗାଡ଼ି ଦୋକାନର କାଚ ବୋତଲ ଇତ୍ୟାଦି ଭଙ୍ଗାରୁଜା କରନ୍ତି। ଗତକାଲି ରାତିରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଭଙ୍ଗାରୁଜା ହୋଇଥିଲା। ଦୋକାନୀମାନେ ପ୍ରତିବାଦ କରିବାରୁ ଗଣ୍ଡଗୋଳକାରୀ ଯୁବକ ସେଠାରୁ ପଳାଇ ଯାଇଥିଲେ। ଆଜି ସଂଧ୍ୟାରେ ସେମାନେ ସଂଘବଦ୍ଧ ଭାବେ ଆସି ରାକେଶଙ୍କ ଦୋକାନ କବାଟ ଭଙ୍ଗାରୁଜା କରିଥିଲେ। ଅନ୍ୟ ଦୋକାନୀମାନେ ସେମାନଙ୍କୁ ବିରୋଧ କରିବାରୁ ସେମାନେ ସେମାନଙ୍କୁ ବି ଛାଡି ନଥିଲେ। ଏଥିରେ ଦୁଇ ଜଣ ଦୋକାନୀଙ୍କର ମୁଣ୍ଡ ଫାଟିଥିଲା। ପରେ ଉଭୟପକ୍ଷ ମଧ୍ୟରେ ଟେକା ପଥର, ଠେଙ୍ଗାରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା। ପ୍ରାୟ କୋଡିଏ ମିନିଟ କାଳ ସଂପୃକ୍ତ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ଦୋକାନୀ ମାନଙ୍କର ଅଧିକ ସମର୍ଥକ ଏକାଠି ହେବାରୁ ଉକ୍ତ ଯୁବକମାନେ କାର୍‌ ଓ ବାଇକରେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଦୋକାନୀ ରାକେଶ ମର୍କତନଗର ନଗର ଥାନାରେ ଦେବୀରଂଜନ ତ୍ରିପାଠୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଏତଲା ଦେଇଥିଲେ।

ଅନ୍ୟପଟେ ଦେବୀରଂଜନ ତ୍ରିପାଠୀଙ୍କ ସହଯୋଗୀ କୁହାଯାଉଥିବା ଯୁବକ ଭରତ ସାହା, ବିକାଶ ସେଠୀ ବିଳମ୍ବିତ ରାତିରେ ଥାନାରେ ପହଞ୍ଚି ପଟୁ, ପିଙ୍କୁ, ଟିଟୁଆ ଓ ଆଶୁତୋଷ ନାମକ ୪ ଜଣ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ବେଳେ ବେଲଭ୍ୟୁ ଛକରେ ଲାଗିଥିବା ବିଜେଡିର ଏକ ବ୍ୟାନରକୁ ସେମାନେ ଚିରି ଦେଇଥିଲେ। ଏ ସଂପର୍କରେ ସେମାନଙ୍କୁ ପଚାରିବାରୁ ସେମାନେ ପାଟିତୁଣ୍ଡ କରିଥିଲେ। ସଂଧ୍ୟାରେ ସେମାନେ ଆସି ସେଠିକାର ଦୋକାନୀଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏଥିରେ ଭରତ ସାହା ଗୁରୁତର ଆହତ ହୋଇଥିବା ବେଳେ ସୋହନ ମହାରଣା, ସଂଯୁକ୍ତ କାନୁନଗୋ ଆହତ ହୋଇଛନ୍ତି। କିନ୍ତୁ କୌଣସି ସମୟରେ ଦେବୀରଂଜନ ତ୍ରିପାଠୀ ଘଟଣାସ୍ଥଳରେ ନଥିବା ବେଳେ ତାଙ୍କ ନାମରେ ମିଛରେ ଅଭିଯୋଗ କରାଯାଇଛି ବୋଲି ସେମାନେ ଲିଖିତ ଭାବେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର