କଟକରେ ଚୋରା କ୍ରୋମାଇଟ୍ କାରବାର; ୩ ଲକ୍ଷ ଟଙ୍କାର କ୍ରୋମାଇଟ୍ ପଥର ଜବତ; ୩ ଗିରଫ

କଟକ: କଟକ ସହରରେ ଚୋରା କ୍ରୋମାଇଟ୍ ପଥର କାରବାର୍ ଧରା ପଡ଼ିଛି। ଶିଖରପୁରରୁ ପାରାଦୀପ ବନ୍ଦର ଯୋଗେ ଜାହାଜରେ ବିଦେଶକୁ ଚାଲାଣ ଷଡ଼ଯନ୍ତ୍ର ବେଳେ ଏକ ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗର୍ ୩ ଜଣ ମାଫିଆ ମାଲଗୋଦାମ ଶିଖରପୁର ଉପରସାହିର ବିକାଶ ଗୁପ୍ତା(୨୬), ଉତ୍ତରପ୍ରଦେଶ ଆମ୍ବେଦକରନଗରର ରାମନୟନ ଯାଦବ(୫୫) ଏବଂ କଟକ ଟାଙ୍ଗୀରେ ରହୁଥିବା କଲିକତା ବୁର୍ତୋଲର ଲାଲେ ସ(୫୩)ଙ୍କୁ ମାଲଗୋଦାମ ଥାନା ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ଏକ ଦଶ ଚକିଆ ଟ୍ରକ(ଓଡି ୦୫ ଏଜେଡ୍ ୮୯୯୩), ୧୦୦ ବସ୍ତା କ୍ରୋମାଇଟ୍ ଜବତ କରିଛି। ଜବତ କ୍ରୋମାଇଟର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ଶିଖରପୁର ଗୁରୁଦ୍ବାର ନିକଟରେ ଆଜି ସକାଳ ପ୍ରାୟ ୯ଟା ୪୫ ବେଳେ ତିନି ଜଣ ବ୍ୟକ୍ତି ଏକ ଟ୍ରକରେ କ୍ରୋମାଇଟ୍ ପଥର ଲୋଡିଂ କରୁଥିଲେ। ମାଲଗୋଦାମ ଥାନା ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ଚଢ଼ଉ କରିଥିଲା। ଉପରୋକ୍ତ ୩ ଜଣ ଦୁର୍ବୃତ୍ତ ଏକ ଦଶ ଚକିଆ ଗାଡ଼ିରେ ୧୦୦ ବସ୍ତା କ୍ରୋମାଇଟ୍ ଲୋଡିଂ ବେଳେ ଧରାପଡ଼ିଥିଲେ। ପ୍ରତି ବସ୍ତାରେ ପାଖାପାଖି ୫୦ କେଜି ଓଜନର କ୍ରୋମାଇଟ୍ ଥିଲା। ପୁଲିସ ଏହି ଗ୍ୟାଙ୍ଗକୁ କାବୁ କରିବା ପରେ ଏମାନେ ବିଦେଶର କ୍ରୋମାଇଟ୍ ମାଫିଆଙ୍କ ଲିଙ୍କରେ ଥିବା ପୁଲିସ ଜାଣିବାକୁ ପାଇଛି। ଯାଜପୁର ଓ କେନ୍ଦୁଝର ଖଣି ଅଞ୍ଚଳରୁ ଏହି ଚୋରା କ୍ରୋମାଇଟ୍ ପଥର ପ୍ରଥମେ ମଙ୍ଗୁଳି ଆସିଥିଲା। ମଙ୍ଗୁଳିରେ ପହଞ୍ଚିଲା ପରେ ସେଠୁ ଶିଖରପୁର ଆସିଥିଲା।

ଆଜି ସକାଳେ ଶିଖରପୁରରୁ ଏକ ଦଶ ଚକିଆ ଟ୍ରକରେ କ୍ରୋମାଇଟ୍ ପାରାଦୀପ ଆଡ଼କୁ ଯିବାକୁ ଯୋଜନା ଚାଲିଥିବା ବେଳେ କାରବାର ପର୍ଦ୍ଦାଫାସ୍ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ଝାଡଖଣ୍ଡରେ ଏହି ଚୋରା କ୍ରୋମାଇଟ୍ ପଥର ଚାଲାଣ କାରବାର ହେଉଛି। ଏହି କାରବାରରେ ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ମାଫିଆଙ୍କ ସମ୍ପୃକ୍ତି ରହୁଛି। କଟକ ସମେତ ମଙ୍ଗୁଳି ଓ ଟାଙ୍ଗୀ ଅଞ୍ଚଳରେ ଚୋରା କ୍ରୋମାଇଟ୍ ଅନଲୋଡିଂ କଲା ପରେ ସେଠୁ ପାରାଦୀପ ବନ୍ଦରକୁ ଅନ୍ୟ ଏକ ଗାଡ଼ିରେ ଚାଲାଣ ହେଉଛି। କ୍ରୋମାଇଟ୍ ଚାଲାଣରେ ମାଫିଆମାନେ ମୁଖ୍ୟତଃ ଜାତୀୟ ରାଜପଥକୁ ବ୍ୟବହାର କରୁଥିବା ବେଳେ ଦଶ ଚକିଆ ଗାଡ଼ିରେ ମାଲ୍ ଚାଲାଣ ହେଉଥିବା ମାଲଗୋଦାମ ଥାନା ପୁଲିସକୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର