ସିଏମସି ସମେତ କଟକର ୩ଟି ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ମନା, ଏକାଧିକ କରୋନା ଆକ୍ରାନ୍ତ ବାହାରିବା ପରେ ପ୍ରଶାସନର ପଦକ୍ଷେପ

ଭୁବନେଶ୍ୱର : କଟକରେ ଥିବା ୩ଟି କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସରକାରୀ ନିର୍ଦ୍ଦେଶ ଅନୁସାରେ କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟ, ବିକାଶ ଭବନ ଓ ଡିସିପି ଅଫିସକୁ ସାଧାରଣ ଲୋକଙ୍କୁ ଆସିବାକୁ ବାରଣ କରାଯାଇଛି । ସିଏମସି ଅଫିସ ଓ ବିକାଶ ଭବନକୁ ଆସନ୍ତା ୧୫ ଦିନ ପାଇଁ ସାଧାରଣ ଲୋକଙ୍କୁ ଆସିବାକୁ ବାରଣ କରାଯାଇଥିବାବେଳେ ଡିସିପି ଅଫିସକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଆସିବାକୁ ଲୋକମାନଙ୍କୁ ବାରଣ କରାଯାଇଛି । ସିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଉଭୟ ସିଏମସି ଓ ବିକାଶ ଭବନରେ ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିପରି ଡିସିପି ଅଫିସରେ ମଧ୍ୟ କେତେକ କର୍ମଚାରୀ କରୋନା ସଂକ୍ରମିତ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ କଟକ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୧୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ଫଳରେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୫୯୪ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୩୨ ଛୁଇଁଛି ।

ସମ୍ବନ୍ଧିତ ଖବର