କରୋନା ସଜାଡ଼ିଛି ପରିବେଶ; କଟକର ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି ୩୫ ପଏଣ୍ଟ୍

ସ୍ବାସ୍ଥ୍ୟ ଉପଯୋଗୀ ପରିବେଶ ସହର ତାଲିକାରେ ସାମିଲ୍

କଟକ: କରୋନା ସଜାଡି ଦେଇଛି କଟକର ବାୟୁ ମଣ୍ଡଳକୁ। କଟକର ବାୟୁ ମଣ୍ଡଳ ଗଲା ୭ ବର୍ଷ ଭିତରେ ଚଳିତ ବର୍ଷ ସବୁଠୁ ଅଧିକ ସ୍ବାସ୍ଥ୍ୟ ଉପଯୋଗୀ ହୋଇ ପାରିଛି। ଜାତୀୟ ପ୍ରଦୂଷଣ ମାତ୍ରାକୁ ଶହେ ହିସାବ କରି ବିଭିନ୍ନ ଅଞ୍ଚଳର ବାୟୁ ପ୍ରଦୂଷଣ ଆକଳନ କରାଯାଉଥିବା ବେଳେ କଟକ ପୂର୍ବରୁ ୧୧୦ରେ ଥିଲା। ଅର୍ଥାତ ଶହେରୁ କମ୍ ଅଙ୍କ ରହୁଥିବା ଅଞ୍ଚଳକୁ ସ୍ବାସ୍ଥ୍ୟ ଉପଯୋଗୀ ବାୟୁ କୁହାଯାଉଥିବା ବେଳେ ୧୦୦ ଉପରେ ଅଙ୍କ ରହୁଥିବା ଅଞ୍ଚଳକୁ ପ୍ରଦୂଷିତ ବାୟୁ ଭାବେ ବିଚାର କରାଯାଏ। କରୋନା ମହାମାରୀ ପ୍ରକୋପରେ ଏବେ ସମଗ୍ର ବିଶ୍ବ ଆତଙ୍କିତ ହୋଇ ପଡିଥିବା ବେଳେ ଲୋକଙ୍କର ଜୀବନ ସହିତ ଜୀବିକା ବି ଗୁରୁତର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଏହି କରୋନା କାଳ କଟକର ପରିବେଶକୁ ସଜାଡି ଅଧିକ ସ୍ବାସ୍ଥ୍ୟ ଉପଯୋଗୀ କରିଛି। ବ‌ାୟୁର ଗୁଣାତ୍ମକ ମାନ ବହୁ ପରିମାଣରେ ବୃଦ୍ଧି ପାଇଛି। ଆଜି ବିଶ୍ବ ପରିବେଶ ଦିବସ ଅବସରରେ କରୋନା ପରୋକ୍ଷରେ ପ୍ରଦୂଷଣ ମୁକ୍ତ ପରିବେଶ ଗଠନର ବାର୍ତ୍ତା ଦେଇଛି। ବାୟୁର ଗୁଣାତ୍ମକ ମାନ ବା ଏୟାର କ୍ଲାଲିଟି ଇଣ୍ଡେକ୍ସ (ଏକ୍ବ୍ୟୁଆଇ)କୁ ଆକଳନ କରାଯାଉଥିବା ବେଳେ କଟକର ଏୟାର କ୍ବାଲିଟି ଇଣ୍ଡେକ୍ସରୁ ଅତ୍ୟନ୍ତ ଉତ୍ସାହଜନକ ତଥ୍ୟ ସାମ୍ନାକୁ ଆସିଛି। ବିଗତ ବର୍ଷ ମାନଙ୍କର ସବୁ ରେକର୍ଡକୁ ଭାଂଗି ମାଇକ୍ରୋଗ୍ରାମ ପର ମିଟର କ୍ୟୁବରେ କଟକର ବାୟୁ ଏବେ ଜାତୀୟ ହାର ୧୦୦ରୁ କମ୍‌ ରହିଛି।

ପୂର୍ବରୁ ଏହା ୧୧୦ ଥିବା ବେଳେ ବର୍ତ୍ତମାନ ଏହା ୭୫ ମାଇକ୍ରୋଗ୍ରାମ ପର୍ କ୍ୟୁବକୁ ଖସି ଆସିଛି। ଏହା ଏକ ଅତ୍ୟନ୍ତ ଶୁଭ ସଙ୍କେତ ବୋଲି କଟକ ପ୍ର୍ରଦୂଷଣ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସୋହନ ଗିରି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଗତ ୭ ବର୍ଷ ଭିତରେ କଟକର ବାୟୁ ଏବେ ସବୁଠୁ ଅଧିକ ସ୍ବାସ୍ଥ୍ୟ ଉପ‌ଯୋଗୀ ହୋଇପାରିଛି। ଏବଂ ଏହା କେବଳ କରୋନା ଯୋଗୁଁ ସମ୍ଭବ ହୋଇପାରିଛି। ଗତ ଦୁଇବର୍ଷ ତଳେ କଟକର ଏୟାର କ୍ବାଲିଟି ଜାତୀୟ ହାର ମାଇକ୍ରୋଗ୍ରାମ ପର ମିଟର କ୍ୟୁ ଠାରୁ ଅଧିକ ଅର୍ଥାତ ୧୧୦ରୁ ଅଧିକ ରହୁଥିଲା। ଏହା ଏବେ ୭୫ରୁ ୯୫ ଭିତରେ ରହୁଛି। ଯାହା ସ୍ବାସ୍ଥ୍ୟ ଉପଯୋଗୀ। ମାତ୍ର ଏହାକୁ ବଜାୟ ରଖିବା କଷ୍ଟକର ବ୍ୟାପାର। ଅବଶ୍ୟ ଏଥିପାଇଁ ଭାରତ ସରକାର ନ୍ୟାସନାଲ କ୍ଲିନ ଏୟାର ଆକସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏଥିରେ ଦେଶର ୧୨୪ଟି ସ୍ଥାନ (ଯେଉଁଠି ଜାତୀୟ ହାର-୧୦୦ ରୁ ଅଧିକ ମାଇକ୍ରୋଗ୍ରାମ ପର କ୍ୟୁବିକ ମିଟର) ବା ନିମ୍ନମାନର ବାୟୁ ରହିଛି ତାହାର ତାଲିକା କରଯାଇଛି। ଏଥି‌ରେ ଓଡ଼ିଶାର ୭ଟି ସହର ରହିଛି। କଟକ ସମେତ ଭୁବନେଶ୍ବର, ଅନୁଗୁଳ, ତାଳଚେର, ବାଲେଶ୍ବର, ରାଉରକେଲା ଓ କଳିଙ୍ଗନଗର ଏହି ଅଞ୍ଚଳ ଭିତରେ ରହିଛି।

ରାଜ୍ୟର ଏହି ୭ଟି ସ୍ଥାନର ବାୟୁର ଗୁଣାତ୍ମକମାନ ଜାତୀୟ ହାର ୧୦୦( ପର ମାଇକ୍ରୋଗ୍ରାମ ପର ମିଟର କ୍ୟୁ)ଠୁ ଅଧିକ ରହିଥାଏ। ଏହା ଚିନ୍ତାଜନକ ଓ ସ୍ବାସ୍ଥ୍ୟ ଉପଯୋଗୀ ନ ଥିବାରୁ ଆକସନ ପ୍ଲାନରେ ଏଥିପାଇଁ ବ୍ୟୟବରାଦ କରାଯାଇଛି। ବୃକ୍ଷରୋପଣ, ମେସିନରେ ରାସ୍ତା ସଫା ସମେତ ବହୁ ବିସ୍ତାରିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନ୍ୟାସନାଲ କ୍ଲିନ ଏୟାର ଆକସନ ପ୍ଲାନରେ ଗତ ବର୍ଷ ଓଡ଼ିଶାକୁ ଅନୁଦାନ ମଧ୍ୟ ମିଳିଛି। ରାଜ୍ୟ ସରକାର ଏହି ଅର୍ଥରେ ରୋଡ ସୁଇପର ମେସିନ୍ କିଣୁଛନ୍ତି ବୋଲି ଡକ୍ଟର ଗିରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର