ଟିକା ନେଲେ ୩୫୫ ସରକାରୀ ବାବୁ

କଟକ: ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଆଜି ପ୍ରଥମ ଥର ପୁଲିସ ବାବୁଙ୍କୁ କରୋନା ଟିକା ଦିଆଯାଇଛି। ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ଥାନା ଆଇଆଇସି ଯାଏ ଟିକା ନେଇଛନ୍ତି। ଏମାନଙ୍କୁ ଇଣ୍ତୋର ଷ୍ଟାଡିୟମ୍‌ରେ ଟିକା ଦିଆଯାଇଛି। ଆଜି ୨୩୦ ଜଣ ପୁଲିସ ବାବୁ ଟିକା ନେଇଥିବା ବେଳେ ମୋଟ ୬ ହଜାର ଟିକା ଆଗାମୀ ଦିନରେ ନେବାକୁ ତାଲିକା ପ୍ରସ୍ତୁତ କରାଯାଇଛି। କଟକ ସହରର ମୋଟ ତିନୋଟି ଟିକାଦାନ କେନ୍ଦ୍ରରେ କେବଳ ୩୫୫ ଜଣ ସରକାରୀ ବାବୁଙ୍କୁ ଟିକା ଦିଆଯାଇଛି।

ସୂଚନା ଅନୁଯାୟୀ, ପୂର୍ବ ନିଷ୍ପତ୍ତିକ୍ରମେ ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କଟକ ସହରରେ ଇଣ୍ତୋର ଷ୍ଟାଡିୟମ୍‌ରେ ଇଣ୍ତୋର ଷ୍ଟାଡିୟମ୍‌ରେ ପୁଲିସ ଡିଜି ଅଭୟ ସକାଳ ପ୍ରାୟ ୯ଟା ୩୦ ବେଳେ ଟିକାଦାନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ମୋଟ ୨୩୦ ଜଣ ପୁଲିସ ବାବୁ ଟିକା ନେଇଛନ୍ତି। ଆଜି ଟିକାଦାନ କାର୍ଯ୍ୟକ୍ରମରେ ପୁଲିସ ଡିଜିଙ୍କ ସମେତ ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀ, ଡିସିପି ପ୍ରତୀକ ସି˚ହ ଏବ˚ ଅନ୍ୟ ବରିଷ୍ଠ ଅଧିକାରୀ ଟିକା ନେଇଥିଲେ।

Sambad

ମୋଟ ୨୩୦ ଜଣ ପୁଲିସ ଟିକା ନେଇଥିଲେ। କେବଳ କମିସନରେଟ୍‌ ପୁଲିସରେ ୧୭ ଶହ ୨୫ ଜଣ ପୁଲିସ କର୍ମଚାରୀ ଟିକା ନେବେ। କମିସନରେଟ୍‌ ପୁଲିସ ସମେତ ଡିଜି ଅଫିସ, ଟିଏମଟି, ସ୍ପେଶାଲ ବ୍ରାଞ୍ଚ, ଅଗ୍ନିଶମ, ହୋମଗାର୍ଡ, ଗ୍ରାମାଞ୍ଚଳ ଏସପି, ଗ୍ରାମାଞ୍ଚଳ ପୁଲିସର ଆରଓଙ୍କୁ ମିଶାଇ ମୋଟ ୬ ହଜାର ପୁଲିସ କର୍ମଚାରୀ କଟକ ସହରରେ ଟିକା ନେବାର ଯୋଜନା ରହିଛି। ଏମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି ରବିବାର ବନ୍ଦ ଥିବା ବେଳେ ସୋମବାରଠାରୁ ଟିକାଦାନ କାର୍ଯ୍ୟକ୍ରମ ଇଣ୍ତୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀ କହିଛନ୍ତି ଯେ ଭୂତକୁ ଡରିବା ଭଳିଆ ଏ ଟିକାକୁ ଡରି କିଛି ଲାଭ ନାହିଁ। ସାଧାରଣ ଗୋଟିଏ ଛୋଟିଆ ଇଞ୍ଜେକ୍ସନ ଭଳି। ଏଭଳି କୌଣସି ଅସୁବିଧା ନାହିଁ। ସୁରକ୍ଷା ଆମ ସମସ୍ତଙ୍କୁ ମିଳିବ। ଏ ଟିକା କୋଟିକୋଟି ଲୋକ ନେଇସାରିଲେଣି। ଯଦି ଆମେ ଟିକା ନନେବା ତାହା ହୁଏତ ପରବର୍ତ୍ତି ସମୟରେ ଘାତକ ହୋଇପାରେ। ଭୂତାଣୁ ବିବର୍ତ୍ତନ କରୁଛି। ତାହାକୁ ନ ଅଟକାଇଲେ ନୂଆ ଆକାର ଧାରଣ କରିବ ବୋଲି ଡକ୍ଟର ଷଢ଼ଙ୍ଗୀ କହିଛନ୍ତି।

ଅନ୍ୟପଟେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମିଶାଇ ମୋଟ ୬୭ ଜଣ ଟିକା ନେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିଲେ। ସିଏମସି ପକ୍ଷରୁ ମୋଟ ୫୮ ଜଣ ଟିକା ନେଇଥିଲେ। ସିଏମସି କମିସନର ଅନନ୍ୟା ଦାସ ଏହି ବି ଟିକା ନେଇଥିଲେ। ଅନ୍ୟପଟେ ଜିଲ୍ଲାରେ ବେଣ୍ଟାକାରରେ ୧୨୨, ସିଡିଏରେ ୨୫ ଜଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩୮ ଜଣ, ଜଗତପୁରରେ ୪୧, ମହିଧରପଡ଼ାରେ ୧୨୦, ଖାନନଗର ମଞ୍ଜୁଲତାରେ ୫୭, ବଡ଼ ମେଡିକାଲ୍‌ରେ ୫୮୦, ନିଶ୍ଚିନ୍ତକୋଇଲିରେ ୯୦, ଶିଶୁଭବନରେ ୪ ଜଣ ସ୍ବାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି। ମୋଟ ଏହି କେନ୍ଦ୍ରରେ ୧ ହଜାର ୭୭ ଜଣ ଟିକା ନେଇଛନ୍ତି। ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମିଶାଇ ଆଜି ମୋଟ ୧୪୩୨ ଜଣ ଟିକା ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ ହଜାର ୬୬୯ ସ୍ବାସ୍ଥ୍ୟ କର୍ମୀ କଟକରେ ଟିକା ନେଇସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର