ଭୁବନେଶ୍ବର (ମହେନ୍ଦ୍ର ସାହୁ): ଶାରୀଦୀୟ ଦୁର୍ଗାପୂଜା ଅବସରରେ ଗତ ୨୨ ତାରିଖ ଠାରୁ ମା’ଙ୍କ ପୀଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି। ଷଷ୍ଠୀ ତିଥିରୁ ମଣ୍ଡପରେ ଜଗତଜନନୀ ମା’ଦୁର୍ଗା ପୂଜା ଆରମ୍ଭ ହୋଇଥିବା ବେଳେ ଏହା ଦଶହାର ପର୍ଯ୍ୟନ୍ତ ଜାରି ରହିବ। ଭକ୍ତମାନେ ମାଙ୍କ ଚରଣରେ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଦଶହରା ପାଇଁ ଐତିହାସିକ କଟକ ସହର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। ୫୨ ବଜାର ୫୩ ଗଳିରେ ଦଶହରାର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ୧୭୬ ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ଏଥିମଧ୍ୟରୁ ମା’ ଦୁର୍ଗା ୩୬ଟି ଚାନ୍ଦି ମେଢ଼ଯୁକ୍ତ ମଣ୍ଡପ ନିର୍ମାଣ ହୋଇଛି।
କେଉଁଠି ଦେଖିବେ ଚାନ୍ଦି ମେଢ଼
ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମା’ ଙ୍କ ମେଢ ଏବଂ ପୁରୁଣା ପରମ୍ପରାକୁ ନେଇ ଚର୍ଚ୍ଚା ହୋଇଥାଏ। କେବଳ ସେତିକି ନୁହେଁ, କଟକ ଦଶହରାର ବିଶେଷତା ହେଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମେଢ଼। ଏଠାରେ ମା’ଙ୍କର ମେଢ଼କୁ ପ୍ରଥମେ ରଙ୍ଗୀନ କାଗଜ ଓ ସୋଲରୁ ପ୍ରସ୍ତୁତ କରାଯାଉଥିଲା। ପରେ ଏଥିରେ ଜରି ବ୍ୟବହାର କରାଗଲା, ଯାହା କି ମା’ଙ୍କ ମୂର୍ତ୍ତିକୁ ଆହୁରି ଆକର୍ଷଣୀୟ କରିଥିଲା। ପରବର୍ତ୍ତୀ ସମୟରେ ଜରିର ସ୍ଥାନ ନେଇଛି ରୁପା ଓ ସୁନା। ତାରକସୀ ଶିଳ୍ପୀମାନେ ମା’ ଙ୍କ ମୁକୁଟ ସହ ଅଳଙ୍କାର ପ୍ରସ୍ତୁତ କରିବା ପରେ କଟକ ଦୁର୍ଗାପୂଜାକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ମିଳିଛି।
ଚୌଧୁରୀବଜାର, ଶେଖ୍ ବଜାର, ଅଲିଶା ବଜାର, ବାଲୁବଜାର, ଚାଉଳିଆଗଂଜ, ଚାନ୍ଦିନୀ ଚୌକ, ଶଙ୍କରପୁର-ବାଦାମବାଡ଼ି (ମହାଦେବ), କାଜିବଜାର, ତୁଳସୀପୁର (ମହାଦେବ), ବୁଢ଼ି ଠାକୁରାଣୀ, ଗଣେଶଘାଟ (ମହାଦେବ), ବାଖରାବଜାର (ଛିନ୍ନମସ୍ତା), ଫିରିଙ୍ଗବଜାର, ନୟାସଡ଼କ (ମହାଦେବ), କାଠଗଡ଼ାସାହି, ପୀଠାପୁର (କାଳୀୟଦଳନ), ଦରଘାବଜାର, ମାଛୁଆବଜାର, ମଙ୍ଗଳାବାଗ, ରାଣୀହାଟ, ଛତ୍ରବଜାର, ଖାନନଗର, ଶିଖରପୁର, ହରିପୁର-ଦୋଳମୁଣ୍ଡାଇ, ବିଡ଼ାନାସୀ କୁମ୍ଭାରସାହି, ଗଙ୍ଗାମନ୍ଦିର, କଲେଜଛକ, ଖଟବିନସାହି, କାଫଲାବଜାର, ମହମ୍ମଦିଆବଜାର, ନିମସାହି (ମହାଦେବ), ନିମଚୌଡ଼ି (ହରପାର୍ବତୀ), ତୁଳସୀପୁର ମଠସାହି, ରାମଗଡ଼-କନିକାଛକ, ଯୋବ୍ରା ଓ ଗୋପାଳଜୀଉ ମଠସାହିରେ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ତେଲେଙ୍ଗାବଜାର ଏବଂ ବୟାଳିଶମୌଜାରେ ପତ୍ତଳ ମେଢ଼ ନିର୍ମାଣ କରାଯାଇଥିବା ବେଳେ ରାଉସପାଟଣାରେ ପୂର୍ବବର୍ଷ ଭଳି ଏଥର ମଧ୍ୟ କାଚମେଢ଼ରେ ମା’ ବିରାଜିଛନ୍ତି।
କଟକ ଦୁର୍ଗାପୂଜାର ଇତିହାସ
ଓଡ଼ିଶା ଇତିହାସ କହେ, ଶ୍ରୀ ଚୈତନ୍ୟ ମହାପ୍ରଭୁ ଶୋଷଡ଼ ଶତାଦ୍ଧୀର ପ୍ରଥମ ଦଶନ୍ଧୀରେ ପୁରୀ ଗସ୍ତରେ ଆସିଥିଲେ ଏବଂ ଏହି ସମୟରେ କଟକ ବାଲୁବଜାରରେ କିଛି ଦିନ ବିତାଇଥିଲେ। ସମ୍ଭବତଃ ଚୈତନ୍ୟ ଯେଉଁ ସମୟରେ କଟକରେ ଅବସ୍ଥାପିତ ଥିଲେ, ସେତେବେଳକୁ ଶରତ ଋତୁ ଥିଲା। ତେଣୁ ସେ ବାଲୁବଜାର (ବିନୋଦ-ବିହାରୀ)ରେ ମା’ଦୁର୍ଗାଙ୍କ ମୃଣ୍ମୟୀ ଘଟ ସ୍ଥାପନ କରି ପୂଜା ଆରମ୍ଭ କରିଥିଲେ। ଏଠାରୁ ଚୈତନ୍ୟ ମହାପ୍ରଭୁ ଗଲା ପରେ ପ୍ରତିବର୍ଷ ଶରତଋତୁରେ ମା’ଦୁର୍ଗାଙ୍କ ପୂଜା ହୋଇ ଆସୁଛି। ତେଣୁ ଏହି ମଣ୍ଡପକୁ କଟକର ସର୍ବପୁରାତନ ଦେବୀ ମଣ୍ଡପ ସହ ଏଠାକାର ଦୁର୍ଗାଙ୍କୁ ବଡ଼ ଭଉଣୀ ରୂପେ ମଧ୍ୟ ବିବେଚନା କରାଯାଏ। ସେହିପରି ଚାନ୍ଦିନୀ ଚୌକ ଦୁର୍ଗାପୂଜାକୁ ସାନଭଉଣୀ କୁହାଯାଇଥାଏ। ରାଜାରାଜୁଡ଼ା ସମୟରେ ତଥା ୧୯୬୦ ବେଳକୁ କଟକର ସବୁ ମେଢ଼ ଚାନ୍ଦିନୀ ଚୌକକୁ ଆସୁଥିଲେ। ଇତିହାସ କହେ ୧୯୦୦ ମସିହା ପୂର୍ବରୁ କଟକ ସହରରେ ୫-୬ଟି ଦୁର୍ଗାମେଢ ସହ ଅନ୍ୟ ୧୦ଟି ମେଢ କରାଯାଉଥିଲା। ଆଜିର ଦିନରେ ଏହା ବୃଦ୍ଧି ପାଇ ଦୁଇ ଶହ ନିକଟ ଆଡ଼କୁ ଅଗ୍ରସର ହେଉଛି। କଟକର ପ୍ରତ୍ୟେକ ଗଳିକନ୍ଦିରରେ ଦୁର୍ଗାପୂଜାକୁ ନିଆରା ଢଙ୍ଗରେ ପାଳନ କରାଯାଉଛି। କଟକ ବାଲୁବଜାର ପୂଜା କମିଟିର ସଂପାଦକ ଈଶ୍ବର ଚନ୍ଦ୍ର ବେହେରା କୁହନ୍ତି, ବିନୋଦ ବିହାରୀରେ ଏଥର ୫୧୯ତମ ଦୁର୍ଗାପୂଜା କରାଯାଉଛି। ଏଠାରେ ଓଡ଼ିଶାରେ ସର୍ବପ୍ରଥମେ ସାର୍ବଜନୀନ ଦୁର୍ଗାପୂଜାର ଆୟୋଜନ କରାଯାଇଛି।
ଚାନ୍ଦି ମେଢ଼କୁ ୬୯ବର୍ଷ
୧୯୫୬ ମସିହାରେ କଟକର ଚୌଧୁରୀ ବଜାର ପକ୍ଷରୁ ଆୟୋଜିତ ଦୁର୍ଗାପୂଜାରେ ପ୍ରଥମେ ଚାନ୍ଦିମେଢ଼ ଶୋଭା ପାଇଥିଲା। ଏଠାରେ ୧୯୯୯ ମସିହାରେ ମାଙ୍କ ପାଇଁ ସୁନା ମୁକୁଟ ତିଆରି ହୋଇଥିଲା ଏହାପରେ ପରେ ଅନେକ ଦୁର୍ଗାପୂଜା ସମିତି ଚାନ୍ଦି ଓ ସୁନା ମେଢ଼ ନିର୍ମାଣ କଲେ। ଚୌଧୁରୀ ବଜାରରେ ଆୟୋଜିତ ମା’ଙ୍କ ପୂଜାରେ ଅଢ଼େଇ କୁଇଣ୍ଟାଲ ରୁପା ବ୍ୟବହାର ହୋଇଛି। ଏଥିରେ ପ୍ରାୟ ୨୦କିଲୋରୁ ଊର୍ଦ୍ଧ୍ବ ସୁନା ଲାଗିଛି। ପାର୍ଶ୍ବଦେବା ଦେବୀ ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ତ୍ତିକ, ମହିଷାସୁରଙ୍କ ମୁକୁଟ ସୁନାରୁ ନିର୍ମାଣ ହୋଇଛି।
କଟକ ମହାନଗର ଅଞ୍ଚଳରେ ଚଳିତ ବର୍ଷ ୧୭୬ଟି ମେଢ଼ରେ ପୂଜା ଚାଲିଛି। ଏଥିରୁ ପାଖାପାଖି ୧୦୦ଟିରେ ମାଁ ଦୁର୍ଗା ଓ ବାକି ମେଢ଼ରେ ଶିବ ଏବଂ ଅନ୍ୟାନ୍ୟ ମୂର୍ତ୍ତି ପୂଜା ପାଉଛନ୍ତି। ଚଳିତ ବର୍ଷ କଟକରେ ୩୬ଟି ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ଏତଦ୍ ବ୍ୟତୀତ ତେଲେଙ୍ଗାବଜାର ଓ ବୟାଳିଶ ମୌଜାରେ ପିତ୍ତଳ ଏବଂ ରାଉସପାଟଣାରେ କାଚ ମେଢ଼ ନିର୍ମାଣ କରାଯାଇଛି। କଟକରେ ଦୁର୍ଗାପୂଜାର ଅନେକ ମେଢ଼ରେ ସୁନା ବ୍ୟବହାର ହୋଇଛି। ମଙ୍ଗଳବାଗ ଓ ଚୌଧୁରୀ ବଜାର ସୁନା ମେଢ଼ ଆଡ଼କୁ ଗତି କରୁଛି। ସାତ ଦଶନ୍ଧୀ ପୂର୍ବରୁ କଟକରେ ୧୦ରୁ ୧୨ଟି ସ୍ଥାନରେ ଦୁର୍ଗାପୂଜା ହେଉଥିଲା। ଆୟୋଜନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ସମୟ ବଦଳିଛି। ଶାନ୍ତି କମିଟି ୧୯୮୩ ଅକ୍ଟୋବର ୮ରେ ଗଠନ ହୋଇଥିଲା। ମଙ୍ଗଳାବାଗର ବାଘ ମଙ୍ଗଳାମନ୍ଦିରରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ପ୍ୟାରୀମୋହନ ମହାପାତ୍ର କଟକ ଜିଲ୍ଲାପାଳ ଥିଲେ। ବହୁ ବର୍ଷ ହେଲା ଦେବୀଗଡ଼ାରେ ମୂର୍ତ୍ତି ବିସର୍ଜନ ପରଂପରା ବହୁ ବର୍ଷରୁ ରହି ଆସିଛି।
-ଭିକାରୀ ଦାସ, ସାଧାରଣ ସଂପାଦକ, କଟକ ମହାନଗର ଶାନ୍ତିକମିଟି
Cuttack | Durga Puja