୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଚାରି ଗିରଫ; ସ୍କର୍ପିଓ ଜବତ

କଟକ: ଖଡ଼ଗପୁରରୁ ଓଡ଼ିଶାକୁ ଚାଲାଣ ହେଉଥିବା ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର (୨୬୫ ଗ୍ରାମ)କୁ ଆଜି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏକ ସ୍କର୍ପିଓ (ଓଆର୍‌ ୦୧ ଟି ୪୧୦୧) ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସେକ୍‌ ନୂର ସାହାଦନ୍ତ ଓରଫ ଫକିରା(୩୪), ସେକ୍‌ ୟାସିନ୍‌ବକ୍ସ(୪୨), ଇନାତାଜ ମଲ୍ଲିକ(୩୨) ଏବଂ ଡ୍ରାଇଭର୍‌ ସେକ୍‌ ନସିମୁଦ୍ଦିନ୍‌(୩୧)। ଅଭିଯୁକ୍ତ ନସିମୁଦ୍ଦିନ ଜଳେଶ୍ୱରର ଜଣେ ଆଇନଜୀବୀଙ୍କ ଗାଡ଼ିରେ ଲଗାତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବ୍ରାଉନ୍‌ସୁଗାର ଚାଲାଣ କରିଥିବା ସମ୍ପର୍କରେ ସୂଚନା ଦେଇଛି।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଖଡ଼ଗପୁରରୁ କଟକର ମଙ୍ଗଳାବାଗ ଥାନାର ମାଛୁଆ ବଜାର, ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାର ହଳଦୀପଡ଼ିଆ ବସ୍ତି ଏବଂ ଖୋର୍ଧା ସାମନ୍ତରାପୁରକୁ ନିର୍ଦ୍ଦିଷ୍ଟ ଏକ ଡିଷ୍ଟ୍ରିବ୍ୟୁଟର ବ୍ରାଉନ୍‌ସୁଗାର ଚାଲାଣ କରି ଆସୁଛି। ଏହି ର‍୍ୟାକେଟରେ ୩ ଜଣ ରହିଥିବା ବେଳେ ବ୍ରାଉନସୁଗାର ଚାଲାଣ ପାଇଁ ଆଇନଜୀବୀଙ୍କ ସ୍କର୍ପିଓ, ଅନ୍ୟ ଏକ ଇନୋଭା ଏବଂ ବୋଲେରୋ ଗାଡ଼ି ବ୍ୟବହାର କରୁଥିଲେ। ଏ ସମ୍ପର୍କର ଖବର ମିଳିବା ପରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ୧୬ ଜଣିଆ ଟିମ୍‌ କାଠଯୋଡ଼ି ପୋଲ ଉପରେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଛକି ରହିଥିଲେ। ସ୍କର୍ପିଓ ଗାଡ଼ି ଦ୍ରୁତ ଗତିରେ ଆସୁଥିବା ବେଳେ ବିଭାଗର ଅଧିକାରୀ ଗାଡ଼ିକୁ ଅଟକାଇ ଥିଲେ। ଡ୍ରାଇଭର୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତଙ୍କୁ ଯାଞ୍ଚ ସମୟରେ ସେମାନଙ୍କ ପୋଷାକ ଭିତରୁ ୨୬୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ମିଳିଥିଲା।

ସମ୍ବନ୍ଧିତ ଖବର