କଟକ: ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ସନ୍ଧ୍ୟାରେ କଟକ ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ବସ୍ତରୀୟ ଏସ୍ସିବି ନିର୍ମାଣ କାର୍ଯ୍ୟ, ଚଣ୍ଡୀ ମନ୍ଦିର ରୂପାନ୍ତରଣ, ତାଳଦଣ୍ଡା କେନାଲ ଓ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଖାପାଖି ୨ ଘଣ୍ଟା କାଳ ଶ୍ରୀ ପାଣ୍ଡିଆନ ଏହି ସବୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆ ମା କଟକ ଚଣ୍ଡୀ ମନ୍ଦିରକୁ ଯାଇ ମାଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତରର କାମ ସଂପର୍କରେ ପୂଜକ, ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ୫-ଟି ଉପକ୍ରମରେ ଚାଲିଥିବା ମନ୍ଦିରର ସୌନ୍ଦର୍ଯ୍ୟୀକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଚଣ୍ଡୀ ମନ୍ଦିର ରୂପାନ୍ତରଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
୫-ଟିରେ ରେଭେନ୍ସା ବାଳିକା ବିଦ୍ୟାଳୟ ହେରିଟେଜ୍ କୋଠାର ହେବ ପୁନରୁଦ୍ଧାର
ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମାଙ୍କ ଦର୍ଶନ କରିପାରିବେ ଏବଂ ଆଧ୍ୟାତ୍ମିକ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ପରେ ଶ୍ରୀ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତରଣ କାମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ୪ଟି କ୍ଲିନିକାଲ ବ୍ଲକ୍ ଓ ୧୩ଟି ଆବାସିକ ବ୍ଲକ୍ର ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ରେଭେନ୍ସା ବାଳିକା ବିଦ୍ୟାଳୟକୁ ଯାଇ ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲର ହେରିଟେଜ୍ କୋଠାର ପୁନରୁଦ୍ଧାର କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ଶ୍ରୀ ପାଣ୍ଡିଆନ ତାଳଦଣ୍ଡା କେନାଲ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ସିଂହ ଯାଦବ, ସିଡିଏ ଅଧ୍ୟକ୍ଷ ତଥା ଏସ୍ସିବି ଓ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟର ଅଧ୍ୟକ୍ଷ ଅନିଲ କୁମାର ସାମଲ, ଜିଲ୍ଲାପାଳ ନରହରି ସେଠୀ, ସିଏମସି କମିଶନର ନିଖିଲ ପବନ କଲ୍ୟାଣ, ଡିସିପି ପିନାକ୍ ମିଶ୍ର, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ଜୟକୃଷ୍ଣ ଦାସ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।