ବାଦାମବାଡ଼ିରୁ ଗଡ଼ିଲା ୭୦ ବସ୍‌; ଭୁବନେଶ୍ବରକୁ ଗଲା ସର୍ବାଧିକ; ବସ୍ ପିଛା ହାରାହାରି ୧୫ ଯାତ୍ରୀ

କଟକ: କରୋନା ଲକ୍‌ଡାଉନ୍‌‌ ଖୋଲିବା ପରେ ରାଜରାସ୍ତାରେ ବସ୍‌ ଗଡିଛି। ମେ ୫ରୁ ରାଜ୍ୟ ଭିତରେ ବସ୍‌ ଚଳାଚଳ ବନ୍ଦ ଥିବା ବେଳେ ଦୀର୍ଘ ୭୭ ଦିନ ପରେ ଯାତ୍ରୀଙ୍କୁ ନେଇ ଆଜି ବସ୍‌ ଚାଲିଛି। କଟକ ବାଦାମବାଡିରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୭୦ରୁ ୭୫ ଖଣ୍ଡ ଘରୋଇ ବସ୍‌ ଚାଲିଥିବା ବେଳେ ପ୍ରଥମ ଦିନରେ ପ୍ରତି ବସ୍‌ରେ ୧୦ରୁ ୧୫ ଯାତ୍ରୀ ହୋଇଥିଲେ।

ସେପଟେ ରାତ୍ରିକାଳୀନ ବସ୍‌ରେ ଅଧିକ ସଂଖ୍ୟାର ଯାତ୍ରୀ ଯାଉଥିବା ଦେଖିବାକୁ ମିଳିଛି। ତେବେ ସଂଧ୍ୟା ୬ରୁ ଭୋର ୫ଟା ମଧ୍ୟରେ ରାତ୍ରୀ କର୍ଫ୍ୟୁ ଥିବାରୁ ସଂଧ୍ୟାରେ କଟକରେ ପହଞ୍ଚୁଥିବା ଯାତ୍ରୀଙ୍କ ପାଇଁ ଅଟୋ ମିଳିବା ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବାଦାମବାଡ଼ିରୁ ଭୁବନେଶ୍ବର, ପାରାଦୀପ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁରକୁ ଅଧିକ ସଂଖ୍ୟାରେ ବସ୍‌ ଚାଲିଥିବା ବେଳେ ଭଦ୍ରକ, ବାଲେଶ୍ବର, ଅନୁଗୁଳ ଆଦି ଜିଲ୍ଲାକୁ କମ୍‌ ସଂଖ୍ୟାରେ ବସ୍‌ ଗଡିଥିଲା।

ଭୁବନେଶ୍ବରକୁ ଆଜି ସର୍ବାଧିକ ୪୦ଟି ବସ୍‌ ଯାଇଥିଲା। ସେପଟେ ପାରାଦୀପକୁ ୧୫ରୁ ଅଧିକ ବସ୍‌ ଚାଲିଥିବା ବେଳେ ଅନ୍ୟ ସ୍ଥାନମାନଙ୍କୁ ୫ରୁ ୮ଟି ବସ୍‌ ଚାଲିଥିଲା। ଭୁବନେଶ୍ବରକୁ ଯାଉଥିବା ବସ୍‌ରେ ଆଜି ଯାତ୍ରୀଙ୍କ ସଂଖ୍ୟା ହାରାହାରି ଭାବେ ୨୫ରୁ ୩୦ ଥିବା ବେଳେ ପାରାଦୀପ ଅନ୍ୟ ସ୍ଥା‌ନକୁ ଯାଉଥିବା ବସ୍‌ରେ ୧୫ରୁ ୨୦ଜଣ ଯାତ୍ରୀ ଥିଲେ। ଅନେକ ବସ୍‌ ସକା‌ଳ ୧୦ରୁ ୧୧ଟା ମଧ୍ୟରେ କଟକରେ ପହଞ୍ଚିବା ପରେ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ମଧ୍ୟରେ ଫେରିଯାଇଥିଲା। ବସ୍‌ ମଧ୍ୟରେ ଯାତ୍ରୀଙ୍କୁ ମାସ୍କ ପିନ୍ଧିବ‌ାକୁ ବାଧ୍ୟତାମୂଳକ କରାଯାଇ ଥିବା ବେଳେ ସେମାନଙ୍କ ହାତକୁ ସାନିଟାଇଜ୍‌ କରି ଭିତରକୁ ଛଡା ଯାଉଥିଲା।

Process for shifting of Badambadi bus stand in Cuttack begins | Sambad English

ଅନେକ ଦିନ ପରେ ଆଜି ବସ୍‌ ପାରାଦୀପରୁ ବାଦାମବାଡିକୁ ଆସିଲା। ଗାଡି କଟକ ଆସିବା ପୂର୍ବରୁ ପ୍ରଥମେ ବସ୍‌ର ମୋବିଲ୍‌ ଚେଞ୍ଜ କରାଯିବା ସହିତ ଛୋଟମୋଟ ମରାମତି କାମ କରାଯାଇଛି ବୋଲି ବସ୍‌ ଡ୍ରାଇଭର ବାଲୁ‌େଙ୍କଶ୍ବର ଦାସ କହିଛନ୍ତି। ଚଣ୍ଡିଖୋଲ ଅଞ୍ଚଳର ଆଶାକର୍ମୀ ସସ୍ମିତା ଦାସ କହିଛନ୍ତି ଯେ ଏସ୍‌ସିବିକୁ ଜଣେ ପ୍ରସୂତୀ ମହିଳାଙ୍କୁ ନେଇ ଆମ୍ବୁଲାନ୍ସରେ ଆସିଥିଲି। ଏବେ ଚଣ୍ଡିଖୋଲକୁ ବସ୍‌ରେ ଯିବି। ଲକ୍‌ଡାଉନ୍‌ରେ ପୂର୍ବରୁ ଯେବେ ବି ଏସ୍‌ସିବିକୁ ଆସୁଥିଲି କଟକରୁ ଅଟୋ କରି ଘରକୁ ଫେରୁଥିଲି ବୋଲି ସସ୍ମିତା କହିଛନ୍ତି। ଯାତ୍ରୀ କମଲଜିତ ନାୟକ କହିଛନ୍ତି ଯେ ଗୁରୁତ୍ବପୂର୍ଣ୍ଣ କାମ ଥିବାରୁ କରୋନା ପରିସ୍ଥିତିରେ ବସ୍‌ରେ ଯିବାକୁ ପଡୁଛି। ତେବେ ବସ୍‌ରେ ଯାତ୍ରା ସମୟରେ ଡବଲ ମାସ୍କ ପିନ୍ଧୁଛି ବୋଲି ସେ କହିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ବାଦାମବାଡିରୁ ବସ୍ ସଂଖ୍ୟା ଦୁଇ ଶହ ଉପରକୁ ଯିବା ଆଶା କରାଯାଉଛି ବୋଲି ଅଲ୍‌ ଓଡ଼ିଶା ବସ୍‌ ଓନର ଆସୋସିଏସନ୍‌ର କୋଷାଧ୍ୟକ୍ଷ ବରଦା କୁମାର ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର