ଟାଙ୍ଗୀ: କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ସ୍ଵୟଂଶାସିତ ବୈଷୟିକ ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ ସପ୍ତମ ଆନ୍ତର୍ଜାତୀୟ ଆଡ୍ଭାନ୍ସ କମ୍ପ୍ୟୁଟିଂ ଆଣ୍ଡ୍ ଇଣ୍ଟେଲିଜେଣ୍ଟ୍ ଇଞ୍ଜିନିୟରିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଦେଶ ଓ ବିଦେଶର ବହୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଆଡ୍ଭାନ୍ସ କମ୍ପ୍ୟୁଟିଂ ଆଣ୍ଡ୍ ଇଣ୍ଟେଲିଜେଣ୍ଟ୍ ଇଞ୍ଜିନିୟରିଂ ପ୍ରସଂଗଭିତ୍ତିକ ବହୁ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ ହୋଇଥିଲା।
ପ୍ରାରମ୍ଭରେ ଡ୍ରିମ୍ସ୍ ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ପ୍ରମୋଦ ଚନ୍ଦ୍ର ରଥ ସ୍ଵାଗତ ଭାଷଣ ଦେବା ସହିତ କର୍ମଶାଳା ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଷ୍ଟାଟପ୍ ଓଡ଼ିଶାର କାର୍ଯ୍ୟ ନିର୍ବାହୀ ଅଧକ୍ଷ ଡକ୍ଟର ଓଁକାର ରାୟ, ମରିସସ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ମସ୍କାର୍ ଜିନ୍ସ, ମୃତ୍ୟୁଞ୍ଜୟ ମହାରଣା, ବିଭୁଦେନ୍ଦ୍ର ପତି, ହେମନ୍ତ କୁମାର ରଥ, ଡକ୍ଟର ମମତା ରଥ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଘଟିଲେ ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ହୋଇପାରିବ ବୋଲି ମତ ରଖିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ନୟନ ରଞ୍ଜନ ସାମଲ ଧନ୍ୟବାଦ୍ ଦେଇଥିଲେ ଓ ଅଧ୍ୟାପିକା କ୍ରୀଷ୍ଣାପ୍ରଦା ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଉଦ୍ଯାପନି ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦୁର୍ଗାପ୍ରସାଦ ରଥ, ପ୍ରଫେସର୍ ସଜୀବ କେ, ପ୍ରଫେସର୍ ଛବିରାଣି ପାଣିଗ୍ରାହୀ, ପ୍ରଫେସର୍ କଲ୍ୟାଣ କୁମାର ସାହୁ, ଡକ୍ଟର ଅଂଶୁ ମାନିକ, ପ୍ରଫେସର୍ ସୁରଜିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶ୍ରେଷ୍ଠ ନିବନ୍ଧ ପୁରସ୍କାର ସହିତ ଗବେଷଣା କ୍ଷେତ୍ର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନଙ୍କୁ ପୁରସ୍କୃତ କରାଯାଇଥିଲା।