ସୀମା ବିବାଦରୁ ଦୁଇ ଗାଁ ଅଶାନ୍ତ : ବୋମା ମାଡ଼ରେ ଆଠ ଆହତ

ବାଙ୍କୀ : ସୀମା ବିବାଦ ଓ ଶାଗୁଆନ ଜଙ୍ଗଲକୁ କେନ୍ଦ୍ରକରି କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା କେନ୍ଦୁପଲ୍ଲୀ ପଞ୍ଚାୟତର ପତନୀ ଶବରସାହି ଓ ଜଗନ୍ନାଥପୁର ପଞ୍ଚାୟତର ଖଳିପଲ୍ଲୀ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଅଶାନ୍ତ ହୋଇପଡିଛି ଦୁଇ ଗାଁ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଥିଲା ଗାଁ। ଏପରିକି ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ନଗର ଛକ ଠାରେ ୫ରୁ ୬ଟି ବୋମା ମାଡ କରାଯାଇଥିବା ବୈଦେଶ୍ୱର ଥାନା ସୂତ୍ରରୁ ପ୍ରକାଶ । ଏହି ବୋମାମାଡରେ ଉଭୟ ପକ୍ଷର ୮ଜଣ ଆହତ ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ, କେନ୍ଦୁପଲ୍ଲୀ ପଞ୍ଚାୟତର ପତନୀ ଶବରସାହି ଓ ଜଗନ୍ନାଥପୁର ପଞ୍ଚାୟତର ଖଳିପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଗତ କିଛି ଦିନ ହେଲା ସୀମା ବିବାଦକୁ ନେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପତନୀ ଠାରେ ଥିବା ଏକ ଶାଗୁଆନ ଜଙ୍ଗଲକୁ ନେଇ ମଧ୍ୟ ଉଭୟ ଗାଁ ମଧ୍ୟରେ ପୂର୍ବରୁ ଅନେକଥର ଗଣ୍ଡଗୋଳ ହୋଇଛି। ଗତକାଲି ବୁଧବାର ଶବର ସାହିର କେତେକ ପିଲା କ୍ରିକେଟ ଖେଳୁଥିବା ବେଳେ ଖଳିପଲ୍ଲୀ ଗ୍ରାମର କେତେକ ଯୁବକ ପ୍ରତିବାଦ କରି ସେମାନଙ୍କୁ ମାଡ ମାରିଥିଲେ। ଏଥିରେ ଜଣେ ଆହତ ହୋଇଥିଲା। ଏହାକୁ ନେଇ ପୁଣି ବିବାଦ ତେଜିଥିଲା ଓ ପୂର୍ବରୁ ରହିଆସିଥିବା ଅସନ୍ତୋଷ ଯୋଗୁଁ ପୁଣି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।

ସ୍ଥାନୀୟ ଗୋପବନ୍ଧୁ ନଗର ଛକଠାରେ ଉଭୟ ପକ୍ଷରୁ ବୋମା ମାଡ ସହ ଟେକା ପଥର ମାଡ କରାଯାଇଥିଲା। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବୈଦେଶ୍ୱର ପୁଲିସ୍‌ ପକ୍ଷରୁ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଘଟଣା ପରେ ଗଣ୍ଡଗୋଳକାରୀମାନେ ଗ୍ରାମ ଛାଡି ଚାଲିଯାଇଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଉଭୟ ପକ୍ଷରୁ ବୈଦେଶ୍ୱର ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର