ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୮ ଆହତ

କଟକ/ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମରେ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଘଟିଛି ସଂଘର୍ଷ । ଜମିବାଡି ଗଣ୍ଡଗୋଳକୁ କେନ୍ଦ୍ରକରି ଗୋଟିଏ ପରିବାରର ଲୋକମାନେ ସୁଦର୍ଶନ ଦଳେଇଙ୍କ ଘରେ ପଶି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ସୁଦର୍ଶନଙ୍କ ପରିବାରର ୪ ଜଣ ମହିଳା, ଜଣେ ଶିଶୁ ସମେତ ୮ଜଣ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଥିବା ଅଭୟ ଦଳେଇ(୪୦) ଓ ମହିଳା କୁନା ଦଳେଇଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ବାଙ୍କୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମ୍ବାଦ ‌ଲେଖାଯିବା ପର୍ଯ୍ୟନ୍ତ ଏ ସଂପର୍କରେ ବାଙ୍କୀ ଥାନାରେ କୌଣସି ଏତଲା ହୋଇ ନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ମିଳିଥିବା ସୂଚନା ଅନୁସାରେ, କରବର ଗ୍ରାମର ସୁଦର୍ଶନ ଦଳେଇ ଓ ସଂପର୍କୀୟଙ୍କ ମଧ୍ୟରେ ଜମିବାଡି ତଥା ପୂର୍ବ ଶତ୍ରୁତାକୁ ନେଇ ସୃଷ୍ଟି ହୋଇଥିବା ମନୋମାଳିନ୍ୟ ଆଜି ହଠାତ ବିସ୍ଫୋରକ ରୂପ ନେଇଥିଲା। ରାତିରେ ଅତର୍କିତ ଭାବେ ସୁଦର୍ଶନଙ୍କ ଘରେ ପଶି ତାଙ୍କ ସମ୍ପର୍କୀୟ ପରିବାର ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଏଥିରେ ସୁଦର୍ଶନଙ୍କ ପରିବାରର ୮ଜଣ ଆହତ ହୋଇଥିବା ଜଣାପଡିଛି। ଏଥିନେଇ ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି। ଆକ୍ରମଣରେ ଅକ୍ଷୟ ଦଳେଇ, ସୁଜିତ୍‌ ଦଳେଇ, ଝରଣା, ମୀନାକ୍ଷି, ସଜନୀଙ୍କ ସମେତ ଜଣେ ସାଢେ ୩ ବର୍ଷର ଶିଶୁ ‌ଆହତ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର