କଟକ କମିସନରେଟ ପୁଲିସର ୮ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପଦୋନ୍ନତି; ଏବେ ଖାଲି ପଡ଼ିଛି ୩ ଡିଏସ୍‌ପି ପଦ

କଟକ: କଟକ କମିସନରେଟ୍‌ ପୁଲିସରେ ଏବେ ୩ଟି ଡିଏସପି ପଦବି ଖାଲି ପଡ଼ିଛି। ଅନ୍ୟପଟେ ଆଜି କମିସନରେଟ ପୁଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ କିଏ କଟକ କମିସନରେଟରେ ରହିବେ ଓ କେଉଁ ଅଫିସର ବାହାରକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କଟକ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତେବେ କଟକ ଡିସିପି ଅଫିସର ଅପରାଧ ବିଭାଗର ଏସିପି ଯତୀନ ପଣ୍ତା ଓ ଏଚଆରପିସି(ହ୍ୟୁମାନ ରାଇଟ୍‌ ପ୍ରୋଟେକ୍ସନ ସେଲ୍‌) ଏସିପି ସୁଯୋଗ୍ୟ ମିଶ୍ର ଗଲା ଏକ ମାସ ହେବ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ସେହିପରି ଜୋନ୍‌ ୩ ଏସିପି ପ୍ରଫୁଲ୍ଲ କୁମାର ବଡ଼ଜେନା ମଧ୍ୟ ଗଲା ୧୫ ଦିନ ହେବ ବଦଳି ହୋଇ ଯାଇଛନ୍ତି।

ଏହି ତିନୋଟି ଡିଏସପି ପଦବି କଟକ କମିସନରେଟ୍‌ରେ ଖାଲି ପଡ଼ିଥିବାରୁ ଆଜି ପଦୋନ୍ନତି ପାଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ସ୍ଥାନରେ ନିଯୁକ୍ତ କରିବାର ଯୋଜନା ରହିଛି। ଅନ୍ୟପଟେ ଆଜି ଡିଏସ୍‌ପି ପଦବିକୁ ୮ ଜଣ ଇନସ୍ପେକ୍ଟର ପଦୋନ୍ନତି ପାଇବା ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି। ପୁଲିସ ବିଭାଗ ରାଜ୍ୟରୁ ପ୍ରାୟ ୧୫୦ ପାଖାପାଖି ପୁଲିସ ଏସଆଇଙ୍କ ପଦୋନ୍ନତି ପାଇଁ ତାଲିକା ଜିଲ୍ଲା ଏସପିଙ୍କୁ ମାଗିଥିବା କୁହାଯାଉଛି। ଖୁବ ଶୀଘ୍ର ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ ବସିବାକୁ ଯାଉଛି। ଏହି ବୋର୍ଡରେ ଏସଆଇମାନେ ଇନସ୍ପେକ୍ଟର ପଦବିକୁ ପଦୋନ୍ନତି ପାଇବାକୁ ଯାଉଛନ୍ତି।

ଏମାନଙ୍କ ମଧ୍ୟରୁ କିଛି ନୂଆ ଚେହେରାଙ୍କୁ ଥାନା ଆଇଆଇସି ଭାବେ କଟକ କମିସନରେଟ୍‌ ପୁଲିସକୁ ଆଣିବାକୁ ଯୋଜନା ରହିଛି। ଅନ୍ୟପଟେ କଟକ କମିସନରେଟରେ ପୂର୍ବରୁ କାମ କରିଥିବା କିଛି ପୁରୁଣା ଅଫିସରଙ୍କୁ ବି ପୁଣି କଟକ କମିସନରେଟ୍‌କୁ ଫେରାଇ ଆଣି ଥାନା ଆଇଆଇସି କରାଯିବାକୁ ଉଦ୍ୟମ ଚାଲିଥିବା କୁହାଯାଉଛି। ତେବେ ଏସଆଇ ବୋର୍ଡ ବସିବା ପରେ ନୂଆ ଡିଏସପି ଏବ˚ ଥାନା ଆଇଆଇସି କଟକରେ କିଏ ହେବେ ସେ ନେଇ ଏକ ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରିବ। ଆସନ୍ତା ଫେବ୍ରୁଆରି ଶେଷ ସୁଦ୍ଧା କଟକ କମିସନରେଟ୍‌ ପୁଲିସରେ ଆଇଆଇସି ଓ ଡିଏସପି ସ୍ତରରେ ବଡ଼ ଧରଣ ପରିବର୍ତ୍ତନ ହେବାକୁ ଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର