୮ ଚେନ୍‌ ଲୁଟେରା ଗିରଫ; ବନ୍ଧୁକ, ୩ ବାଇକ୍‌ ଓ ୬ଲକ୍ଷ ଟଙ୍କାର ସୁନା ଜବତ

ଫୁଲନଖରା: କଟକ ସଦର ଥାନା ହାତରେ ୮ ଜଣିଆ ଚେନ୍‌ ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି। ସେମାନେ ହେଲେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଂଚଳର ନାରାୟଣ ଲେଙ୍କାଙ୍କ ପୁଅ ମୁନା ଓରଫ୍‌ ମାନସ ଲେଙ୍କା(୨୮), କଟକ ତେନ୍ତୁଳିନାଳୀ ଗ୍ରାମର ଧନୁଆ ଓରଫ ଧନେଶ୍ବର ପ୍ରଧାନ (୨୮), ନନ୍ଦନକାନନ ଥାନା ଅଧୀନ ବାଲିପଡ଼ାର କଟାସ ଓରଫ ସଂଗ୍ରାମ ରାଉତ(୩୧), ବାଲିଅନ୍ତା ଥାନା ଅଧୀନ ଅଟଳାର ଜଗା ଓରଫ ଜଗନ୍ନାଥ ଭୋଇ(୨୬), ନୟାଗଡ଼ ରଗଡ଼ିପଡ଼ାର ପ୍ରଦୀପ ବେହେରା(୩୫), ବାରଙ୍ଗ ଥାନା ଦାଢ଼ାପାଟଣା ଗ୍ରାମର ବଣିଆ ଓରଫ ବୈଦ୍ୟନାଥ ସାହୁ(୩୭), ଲକ୍ଷ୍ମୀସାଗର ଅଂଚଳର ଛୋଟୁ ଓରଫ କାମିନୀକାନ୍ତ ରଣା(୩୪) ଓ କଟକ ମଙ୍ଗଳାବାଗ ଥାନା ଅଧୀନ ବଣିଆସାହିର ବେପାରୀ ଦିଲ୍ଲୀପ କୁମାର ମହାରଣାକୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ପ୍ରାୟ ୬ଲକ୍ଷ ଟଙ୍କା ମୂଲ୍ୟର ୧୨୦ ଗ୍ରାମର ସୁନା, ଗୋଟିଏ ବନ୍ଧୁକ ଓ ୩ଟି ବାଇକ୍‌ ଜବତ ହୋଇଛି।

ଘଟଣାରୁ ପ୍ରକାଶ, ଗତ ୫ ତାରିଖ ସଂଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ କଟକ ବିଡ଼ାନାସୀ ଅଂଚଳର କାହ୍ନୁଚରଣ ନାୟକଙ୍କ ପୁଅ ସତ୍ୟରଂଜନ ନାୟକ ମା’ଙ୍କୁ ନେଇ ଭୁବନେଶ୍ବରରୁ ନିଜ ଘରକୁ ଫେରୁଥିଲେ। ବମ୍ଫକୁଦ ନିକଟରେ ଦୁଇଜଣ ଲୁଟେରା ସତ୍ୟରଂଜନଙ୍କ ମା’ଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇ କଟକ ଦିଗକୁ ଫେରାର ହୋଇଯାଇଥିଲେ। ଲୁଟେରାମାନେ ସତ୍ୟରଂଜନଙ୍କ ମା’ଙ୍କ ବେକରୁ ଚେନ୍‌ ଛିଣ୍ଡାଇବା ସମୟରେ ସେ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ସେ ଏ ସଂକ୍ରାନ୍ତରେ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନାଙ୍କ ନେତୃତ୍ବରେ ଅତିରିକ୍ତ ଥାନା ଅଧିକାରୀ ଅନିତା ସାହୁ, ଏସ୍‌ଆଇ ବବିତା ସାହୁ ଓ ଅନ୍ୟ ଅଫିସରମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ଏହି ଲୁଟେରା ଗ୍ୟାଙ୍ଗ୍‌ କଟକ ‌ଲିଙ୍କରୋଡ, କଟକ-ଭୁବ‌ନେଶ୍ବର ରାସ୍ତା, ପୁରୀ ବାଇପାସ୍‌, କଟକ-ପାରାଦୀପ ରାସ୍ତା, ଜଗତପୁର ମଙ୍ଗୁଳି ଚୌଦ୍ବାରା ରାସ୍ତା ଆଦି ଅଂଚଳରେ ଚେନ୍‌ ଛିଣ୍ଡାଇ ଫେରାର ହୋଇ ଯାଇଥାନ୍ତି।

ସେମାନଙ୍କ ଦ୍ବାରା ଲୁଟ୍‌ ସମୟରେ ଟଣାଓଟରା ଓ ଗାଡ଼ି ପଡ଼ିଯିବା କାରଣରୁ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ୭ଜଣ ଲୁଟେରାଙ୍କ ନାମରେ କଟକ, କଟକ ସଦର, ଭୁବେନେଶ୍ବର, ଖୋର୍ଦ୍ଧା ଆଦି ଥାନାମାନଙ୍କରେ ଏକାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ମୁନା ନାମରେ ୧୭ଟି ମାମଲା ଥିବାବେଳେ ଧନୁଆ ନାମରେ ୯, କଟାସ ନାମରେ ୧୨, ଜଗା ନାମରେ ୮, ବଣିଆ ନାମରେ ୩, ଦିଲ୍ଲୀପ ନାମରେ ୪ ଓ ଛୋଟୁ ନାମରେ ୩ ମାମଲା ରହିଛି। ଏ ସମସ୍ତ ଲୁଟେରାଙ୍କ ସମେତ ବେପାରୀକୁ ଆଜି କଟକ ସଦର ଥାନା ପୁଲିସ ଗିରଫ କରିଛି। ସମସ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର