ବକ୍ସ ଡ୍ରେନ୍ ଭେଳିକି: ୮ ବର୍ଷରେ ୨୦ ପ୍ରତିଶତ କାମ; ତା’ ପରଠୁ ବନ୍ଦ

ସାନି ଟେଣ୍ଡରରେ ଅଟକିଛି ଯୋଜନା; ଇଭାଲୁଏସନ୍‌ ଆଳରେ ସମୟ ଗଡ଼ାଉଛି ଜାଇକା

କଟକ: ସହର ମୁଖ୍ୟ ଡ୍ରେନର ରୂପ ବଦଳିବ। ବଡ ନାଳ ଉପରେ ତିଆରି ହେବ ରାସ୍ତା। ସହରର ଟ୍ରାଫିକ ସମସ୍ୟା ସହିତ ଜଳବନ୍ଦୀ ଓ ନାଳ ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇବେ ସହରବ‌ାସୀ। ୨୦୧୨ରେ ବକ୍ସ ଡ୍ରେନ ପ୍ରକଳ୍ପକୁ ନେଇ କଟକିଆଙ୍କୁ ଏମିତି କିଛି ରଙ୍ଗିନ ସ୍ବପ୍ନ ଦେଖା ଯାଇଥିଲା। ୩ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ସେତେବେଳେ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଇତିମଧ୍ୟରେ ୮ବର୍ଷରୁ ଅଧିକ ଦିନ ବିତିଯାଇ ଥିଲେ ବି ପ୍ରକଳ୍ପ ଶେ‌ଷ ପାଇଁ ରାଜନୈତିକ ସ୍ତରରେ କିମ୍ବା ପ୍ରଶାସନିକ ସ୍ତରରେ କୌଣସି ଉଦ୍ୟମ କରାଯାଉ ନାହିଁ। ସେପଟେ ଜାଇକା ନିର୍ମାଣ କାମ ପାଇଁ ‌ତିନି ବର୍ଷ ଧରି କେବଳ ଟେଣ୍ଡରକୁ ବାହାନା କରି ସମୟ ଗଡାଇ ଚାଲିଛି। ଏଥିରେ କେବଳ ସହରବାସୀ ଡ୍ରେନର ଦୁର୍ଗନ୍ଧ, ମଶା ଓ ଜଳବନ୍ଦୀପରି ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି।

କଟକ ସହର‌କୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ଏବେ ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ସହିତ ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ପାଇଁ କାମ ଆରମ୍ଭ କରିଛନ୍ତି। ହେଲେ କଟକର ମୁଖ୍ୟ ଡ୍ରେନେଜ୍ ସମସ୍ୟାର ସାମାଧାନ ପାଇଁ ୮ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜାଇକା ଯୋଜନା‌ର ବକ୍ସ ଡ୍ରେନ ନିର୍ମାଣକୁ ସରକାର ଭୁଲି ଯାଇଛନ୍ତି। ଜାଇକା ପକ୍ଷରୁ ୨୦୧୨ରୁ ଆରମ୍ଭ ହେଇଥିବା ବକ୍ସ ଡ୍ରେନର କାମ ଆଜି ସୁଦ୍ଧା କେବଳ ୨୦ ପ୍ରତିଶତ ଶେଷ ହୋଇଛି।

ଘରୋଇ କମ୍ପାନି ତାନ୍ତିଆ ଓ ଭୋଲଟାସ୍‌ ଦ୍ବାରା କାମ ଆରମ୍ଭ କରାଗଲା। ମାତ୍ର କାର୍ଯ୍ୟରେ ମାତ୍ରାଧିକ ମନ୍ଥରତା ଯୋଗୁଁ ଦୁଇଟି ସଂସ୍ଥା ହାତରୁ ୩ବର୍ଷ ତଳୁ କାମ କାଢି ନିଆଗଲା। ପରେ କାମ ପାଇଁ ସାନି ଗ୍ଲୋବାଲ୍‌ ଟେଣ୍ଡର ଡକାଗଲା। ଏଥିରେ ଟେଣ୍ଡର ପାଇଥିବା କମ୍ପାନି ଅଧିକ ବ୍ୟୟବରାଦ ଦେଖାଇବାରୁ ତାହାକୁ ମଧ୍ୟ ବାତିଲ କରାଗଲା। ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ପୂର୍ବରୁ ଆଉଥରେ ଟେଣ୍ଡର ହୋଇଥିବା ବେଳେ ଏଥିରେ ରାଜ୍ୟ ବାହାରର ତିନିଟି ସଂସ୍ଥା ଭାଗ ନେଇଛନ୍ତି। ମାତ୍ର ଜାଇକା ଟେଣ୍ଡର ଖୋଲିବା ପ୍ରକ୍ରିୟାକୁ ବିଳମ୍ବ କରିଚାଲିଛି। ବର୍ଷେ ହେଲା କେବଳ ଟେକ୍‌ନିକାଲ ଇଭାଲୁଏସନ୍‌, ପ୍ରାଇସ ବିଡ୍‌ ଇଭାଲୁଏସନ୍‌ର ବାହାନା କରି ବକ୍ସ ଡ୍ରେନ ନିର୍ମାଣ କାମକୁ ଘୁଞ୍ଚାଇ ଚାଲିଛି ଜାଇକା। ଏଭଳି ବିଳମ୍ବ ପଛରେ କାହାର ସ୍ବାର୍ଥ ରହିଛି ତାହା ଏବେ ସାଧାରଣରେ ପ୍ରଶ୍ନ ହୋଇଛି। ସେପଟେ ଟେଣ୍ଡର ଟେକ୍‌ନିକାଲ ଇଭାଲୁଏସନ୍‌ ଚାଲିଥିବା ଜାଇକା ଚିଫ୍‌ ଇଂଜିନିୟର ବସନ୍ତ ସେନାପତି ସୂଚନା ଦେଇଛନ୍ତି। ବଜ୍ରକବାଟୀ ମୁଖ୍ୟ ଡ୍ରେନ ଉପରେ ୪ କିଲୋମିଟର ବକ୍ସ ଡ୍ରେନ ନିର୍ମାଣ ପାଇଁ ୩ବର୍ଷର ସମୟ ଧାର୍ଯ୍ୟ କରାଯାଇ ଥିଲା। ମାତ୍ର ଏବେ ୮ବର୍ଷରୁ ଅଧିକ ବର୍ଷ ବିିତି ଯାଇଥିଲେ ବି ଏହାର ନିର୍ମାଣ ‌େଶଷ ପାଇଁ କାହାରିଠାରେ ଆନ୍ତରିକତା ଦେଖାଯାଉ ନାହିଁ। ସହରର ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତେ ଏହାକୁ ନେଇ ଚୁପ ବସିଛନ୍ତି। ସହରର ଡ୍ରେନ ସମସ୍ୟାକୁ ନେଇ ରାଜନେତା ନିର୍ବାଚନ ଜିତୁଛନ୍ତି। ହେଲେ ଏବେ ସହରବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ମାଣ ଚାଲିଥିବା ବକ୍ସ ଡ୍ରେନକୁ ନେଇ ହାତ ଟେକି ଦେଇଛନ୍ତି। ଏଥିରେ କେବଳ ସହରର ସାଧାରଣ ଜନତା ମଶା, ଡ୍ରେନ ଦୁର୍ଗନ୍ଧ ଓ ଜଳବନ୍ଦୀ ପରି ସମସ୍ୟା ମଧ୍ୟରେ ଆଉଟୁ ପାଉଟୁ ହେଉଛନ୍ତି।

ସମ୍ବନ୍ଧିତ ଖବର