ଚୌଦ୍ବାର କାରାଗାରରେ ନିଆରା ବିବାହ ; ବିବାହ ବନ୍ଧନରେ ବାନ୍ଧି ହେଲେ ନୃସିଂହ ଓ ପୂଜା

ଚୌଦ୍ବାର: ଚୌଦ୍ବାର ମଣ୍ତଳ କାରାଗାରରେ କେଇଦିନ ତଳେ ଏକ ନିଆରା ବିବାହ ହୋଇଥିବାବେଳେ ଦ୍ବିତୀୟ ଥର ଲାଗି ହିନ୍ଦୁ ରୀତିନୀତିରେ ଆଉ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ଆଧାରରେ କାରାଗାର ପରିସରରେ ଥିବା ଶିବମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ କାରାଗାରର ବରିଷ୍ଠ ଅଧୀକ୍ଷକ କୁଳମଣି ବେହେରା, ଜେଲର ଅବିନାଶ ବେହେରା, ଓ୍ବେଲଫେୟାର ଅଫିସର ରାମକୃଷ୍ଣ ଦାସ, ଉଦ୍ଧାର ଫାଉଣ୍ଡେସନ୍‌ର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ, ଗୋଲାପ ସିଂହ, ସ୍ବପ୍ନାରାଣୀ ନାୟକ, ଦିଲ୍ଲୀପ ସାହୁଙ୍କ ସମେତ ଜେଲ କର୍ମଚାରୀ ଏବଂ ଉଦ୍ଧାର ଫାଉଣ୍ଡେସନ୍‌ର ସମସ୍ତ କର୍ମକର୍ତ୍ତା ଏହି ବିବାହ କାର୍ଯ୍ୟରେ ଉପସ୍ଥିତ ଥିଲେ।

କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ଗ୍ରାମର ନରେଶ ଦାସଙ୍କ ପୁଅ ନୃସିଂହଙ୍କ ସହ ଗ୍ରାମର ରବି ଦାସଙ୍କ ଝିଅ ପୂଜାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମାତ୍ର ପରେ ପ୍ରେମିକ ନୃସିଂହ ବିବାହ ପାଇଁ ରାଜି ନ ହେବାରୁ ପୂଜାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୁଲିସ୍‌ ନୃସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

୨ବର୍ଷ ଜେଲରେ ରହିବା ପରେ ନୃସିଂହ ଏହି ବିବାହରେ ରାଜି ହେବାରୁ ଉଭୟ ପରିବାରଙ୍କ ସହ ଆଲୋଚନା କରିଥିଲେ। ପରେ ପୂଜାଙ୍କ ପରିବାର ଲୋକେ ଗାଁ ମୁରବୀଙ୍କ ସହ ଆଲୋଚନା କରିବା ସହ କୋର୍ଟର ଆଶ୍ରୟ ନେଇଥିଲେ। ଏହା ପରେ କୋର୍ଟ ଏହି ବିବାହ ପାଇଁ ଅନୁମତି ଦେବା ସହ ଚୌଦ୍ବାର ମଣ୍ତଳ କାରାଗାରରେ ଏହି ବିବାହ କାର୍ଯ୍ୟ କରିବା ପାଇଁ ସ୍ଥିର ହୋଇଥିଲା। କୋର୍ଟଙ୍କ ନି‌ର୍ଦ୍ଦେଶକ୍ରମେ ଉଦ୍ଧାର ଫାଉଣ୍ଡେସନ୍‌ର ବରିଷ୍ଠ ଉପଦେଷ୍ଟା ପ୍ରମିଳା ଓଝା ଓ ସଭାପତି ନରୋତ୍ତମ ଦାସଙ୍କ ନେତୃତ୍ବରେ ଉଭୟ ପରିବାରର ଉପସ୍ଥିତିରେ ବୁଧବାର ମଣ୍ତଳ କାରାଗାର ପରିସରରେ ବିବାହ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର