ଅଣ୍ଟୁନି ଆହାର; ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ଅନୁରୋଧ

ଏସ୍‌ସିବିରେ ଆହାର ସଂଖ୍ୟା ବଢ଼ୁ, ରବିବାର କେନ୍ଦ୍ର ଖୋଲୁ

କଟକ: ଡାକ୍ତରଖାନାରେ ଅଣ୍ଟୁନି ‘ଆହାର’। ଭୋକିଲା ଫେରୁଛନ୍ତି ରୋଗୀ ସଂପର୍କୀୟ। ଏମିତି ବି ହେଉଛି ଗୋଟିଏ ଆହାରକୁ ଏକାଧିକ ଲୋକ ବାଣ୍ଟି ଖାଉଛନ୍ତି। ପ୍ରତିଦିନ ବଡ଼ ଡାକ୍ତରଖାନା, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏଭଳି ଘଟଣା ସାମ୍ନାକୁ ଆସୁଛି। ଯେତିକି ‘ଆହାର’ ଆସୁଛି ତାହା ଅଘଟ ପଡ଼ୁଥିବାରୁ ପ୍ରତିଦିନ ଅନେକଙ୍କୁ ନିରାଶ ହେବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଲା, ରବିବାର ତଥା ସରକାରୀ ଛୁଟି ଦିନରେ ଆହାର କେନ୍ଦ୍ର ବନ୍ଦ ରହୁଛି। ସେଦିନ ରୋଗୀ ସଂପର୍କୀୟମାନେ ଦହଗଞ୍ଜ ହେଉଥିବାରୁ କଟକର କିଛି ସାମାଜିକ ସଂଗଠନ ସେମାନଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ସ୍ବେଚ୍ଛାସେବୀ। ଡାକ୍ତରଖାନା କ’ଣ ଶିଳ୍ପାନୁଷ୍ଠାନ ନା ସରକାରୀ ଅଫିସ୍‌? ରବିବାର କ’ଣ ରୋଗୀଙ୍କୁ ରୋଗ ହେବନି, ସେମାନେ କ’ଣ ସେଦିନ ଡାକ୍ତରଙ୍କ ପାଖକୁ ଆସିବେନି? କ’ଣ ପାଇଁ କଟକର ଏହି ତିନି ପ୍ରମୁଖ ଚିକିତ୍ସାଳୟରେ ଆହାର କେନ୍ଦ୍ର ବନ୍ଦ ରହୁଛି ବୋଲି ଅନେକ ସ୍ବେଚ୍ଛ‌ାସେବୀ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିଛନ୍ତି। ଦିନରେ କଟକ ବଡ଼ ଡାକ୍ତରଖାନାରେ ଅଧିକ ୩ଶହ ଓ ରାତିରେ ଅଧିକ ୨ଶହ ଆହାର ସଂଖ୍ୟା ବଢ଼ାଇବା ପାଇଁ ଅମ୍ବିକା ପ୍ରସାଦ କାନ୍‌ନ୍‌ଗୋ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ପହିଲାରୁ ଏସ୍‌ସିବି ସମେତ କଟକର ୪ଟି ଡାକ୍ତରଖାନାରେ ‘ଆହାର’ ସଂଖ୍ୟା ବୃଦ୍ଧି କରାଯାଇଛି। ବଡ଼ ଡାକ୍ତରଖାନାରେ ପ୍ରତିଦିନ ସର୍ବାଧିକ ୨୧୦୦ (ଦିନରେ ୧୩ଶହ ଓ ରାତିରେ ୮ଶହ) ମିଲ୍‌ ଦିଆଯାଉଥିବା ବେଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦିନରେ ୯୦୦ ଓ ରାତିରେ ୪୫୦, ଶିଶୁଭବନରେ ଦିନରେ ୭୦୦ ଓ ରାତିରେ ୪୦୦, ସିଟି ହସ୍ପିଟାଲରେ ଦିନରେ ୪୦୦ ଓ ରାତିରେ ୨୦୦ ମିଲ୍‌ ଦିଆଯାଉଛି। ତଥାପି ରୋଗୀ ସମ୍ପର୍କୀୟଙ୍କୁ ଖାଦ୍ୟ ପାଉନି। ଏସ୍‌ସିବି ପରିସରରେ ଉଚ୍ଛେଦ ପ୍ରକ୍ରିୟା ପରେ ସଂପର୍କୀୟଙ୍କର ଏକମାତ୍ର ଭରସା ରହିଛି ଆହାର କେନ୍ଦ୍ର। ହେଲେ, ୫ଟଙ୍କିଆ ଆହାର ଅଘଟ ପଡ଼ୁଥିବାରୁ ସେମାନେ ହୋଟେଲ ଉପରେ ନିର୍ଭର କରୁଛନ୍ତି। ତା’ଛଡ଼ା, ରବିବାର ‘ଆହାର କେନ୍ଦ୍ର’ ବନ୍ଦ ରହୁଥିବାରୁ ସେଦିନ ରୋଗୀ ସଂପର୍କୀୟଙ୍କ ଏକମାତ୍ର ଭରସା ରହୁଛି ସ୍ବେଚ୍ଛାସେବୀ ସଂଗଠନ। ଏ ସମ୍ପର୍କରେ ସିଏମ୍‌ସି ଅଧିକାରୀ କହନ୍ତି ଯେ, ଏସ୍‌ସିବି ‘ଆହାର କେନ୍ଦ୍ର’ର ବର୍ତ୍ତମାନର ଭିତ୍ତିଭୂମିରେ ଆଉ ଅଧିକ ମିଲ୍‌ ଦିଆଯାଇପାରିବ ନାହିଁ। ଆହାର ସଂଖ୍ୟା ବୃଦ୍ଧି କରାଗଲେ ଅନ୍ୟ ଏକ କେନ୍ଦ୍ର ଖୋଲିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର