ଅଭଜିତ ମଜୁମଦାରଙ୍କ ‘ଲଭ୍ ଲେଦୁ’: ଏବେ ଚର୍ଚ୍ଚାରେ ଜୁନିୟର୍‌ ଅଭିଜିତ୍‌ ଓ ଅଭିଜିତ୍‌ ଫ୍ୟାନ୍‌ କ୍ଲବ୍‌

କଟକ: ନିଆରା ଢଙ୍ଗରେ ଲୋକପ୍ରିୟ ଆଉ ହିଟ୍ ଗୀତ ଭେଟି ଦେବାରେ ପ୍ରସିଦ୍ଧ ପ୍ରଖ୍ୟାତ ସଂଗୀତକାର ଅଭିଜିତ୍ ମଜୁମଦାର ଏବେ ‘ଲଭ୍ ଲେଦୁ…’କୁ ନେଇ ଚର୍ଚ୍ଚାରେ। ଅଭିନେତା ଅଙ୍କିତ କୁମାରଙ୍କ କଣ୍ଠରେ ସେ ଏହି ଗୀତ ରେକର୍ଡ କରିଥିବା ବେଳେ ଏହା ଖୁବ୍ ଶୀଘ୍ର ୱେବ୍ ଓ ୟୁଟ୍ୟୁବ୍ ଚାନେଲରେ ମୁକ୍ତିଲାଭ କରିବାକୁ ଯାଉଛି। କୋଭିଡ୍ ସମୟରେ ପ୍ରେମିକ-ପ୍ରେମିକାଙ୍କ ବ୍ରେକ୍ ଅପ୍‌କୁ ନେଇ ଏହି ହିଟ୍ ଗୀତ ପ୍ରସ୍ତୁତ ହୋଇଛି। ମିଷ୍ଟର ଗୁଲୁଆଙ୍କୁ ନେଇ ‘ଭାତଟେ ‌ହବ ଡାଲିଟେ ହବ..’, ତ୍ରୈଲୋକ୍ୟଙ୍କୁ ନେଇ ‘ମୁଁ ପ୍ରଥମ ଶ୍ରେଣୀରେ ପଢୁଚି….’ ଭଳି ହିଟ୍ ଗୀତ ଭେଟି ଦେଇଥିବା ଅଭିଜିତ୍ ଦାଦା ଏବେ ‘ଲଭ୍ ଲେଦୁ..’ର ସଫଳତାକୁ ନେଇ ବେଶ୍ ଆଶାବାଦୀ। ଲଭ ଷ୍ଟେସନ, ସକାଳର ପହିଲି ଗାଡ଼ିରେ, ବୁଦୁ ମାରିଆ ମମରା ବେଟା ଯାତରା ଦେଖାଇ ନେଲା, ଚୁମ୍‌କି ମାଇ ଡ଼ାର୍ଲିଂ, ଇଏ ବି ଗୋଟେ ଲଭ ‌ଷ୍ଟୋରୀ ଭଳି ଅନେକ ଲୋକପ୍ରିୟ ହିଟ୍ ଗୀତ ଦେଇ ଆସିଥିବା ଅଭିଜିତ୍ ଦାଦା ବି ନିଜର ଫ୍ୟାନ୍ ମାନଙ୍କୁ ନେଇ ବେଶ୍ ପ୍ରସିଦ୍ଧ।
ଜୁନିଅର୍ ଅଭିଜିତ୍ ମଜୁମଦାର ଭାବେ ଏବେ ଲୋକପ୍ରିୟତା ହାସଲ କରିଥିବା ଚିତ୍ତରଂଜନ ନାୟକ ଦେଖିବାକୁ ଅଭିଜିତଙ୍କ ଭଳି ହୋଇଥିବା ବେଳେ ସେ ସେହି ଢଙ୍ଗରେ ଗୀତ ଗାଉଛନ୍ତି।

କିନ୍ତୁ ସେ ଅଭିଜିତ୍ ଦାଦାଙ୍କର ସବୁଠୁ ବଡ଼ ଫ୍ୟାନ୍ ବୋଲି ନିଜକୁ ଘୋଷଣା କରୁଛନ୍ତି। ସେହିଭଳି ଚିକୁ ନାୟକଙ୍କ ଭଳି ଫ୍ୟାନ ହାତରେ ଅଭିଜିତଙ୍କ ନାଁ ଟାଟୁ କରିବା ସହିତ ବାଇକର କଭରରେ ବି ଅଭିଜିତଙ୍କ ନାଁ ଲେଖି ବୁଲୁଛନ୍ତି। ତାଙ୍କ ପୁଅଙ୍କ ନାମ ବି ଅଭିଜିତ୍ ରଖିଛନ୍ତି। ଆମେରିକାରେ ରହୁଥିବା ସମ୍ବଲପୁରର ମୂଳ ବାସିନ୍ଦା ଅଶୋକ ପଟେଲ ବିଶ୍ବ ଦରବାରରେ ଅଭିଜିତଙ୍କ ଗୀତର ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି। ଏଭଳି ଫ୍ୟାନ୍‌ ମାନଙ୍କୁ ନେଇ ଉତ୍ସାହିତ ଅଭିଜିତ୍ କହନ୍ତି ଯେ ପ୍ରଶଂସକଙ୍କ ପାଇଁ ନୂଆ ନୂଆ ମନଛୁଆଁ ଗୀତ ପ୍ରସ୍ତୁତ କରିବା ହିଁ ତାଙ୍କ ଜୀବନର ମୂଳ ଲକ୍ଷ୍ୟ। ଯେତେ ଯାହା ବ୍ୟସ୍ତତା ଥାଉ ପଛେ ସେ ଫ୍ୟାନ୍ ମାନଙ୍କ ସହିତ ଫୋନରେ କଥା ହେବା, ସେଲଫି ନେବା, ସୋସିଆଲ୍ ମିଡିଆରେ ଭାବ ଆଦାନପ୍ରଦାନ କରିବାକୁ ଆଦୌ ଭୁଲନ୍ତି ନାହିଁ। ପ୍ରଶଂସକଙ୍କ ଅଜସ୍ର ଭଲ ପାଇବା ହିଁ ତାଙ୍କର ସବୁଠୁ ବଡ଼ ପୁଞ୍ଜି ବୋଲି ଅଭିଜିତ୍ କୁହନ୍ତି।

ସମ୍ବନ୍ଧିତ ଖବର