ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶଯ୍ୟା ଅଭାବ, ରାସ୍ତା କଡ଼ରେ ରୋଗୀ

ସଂପ୍ରସାରଣ ଯୋଜନା ପ୍ରସଂଗରେ ହାଇକୋର୍ଟଙ୍କ ଜବାବ ତଲବ, ଜୁନ୍‌ରେ କାର୍ଯ୍ୟକ୍ଷମ ହେବ ପେଟ୍ ସିଟି ସ୍କାନ୍

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସାଧୀନ ଶତାଧିକ ରୋଗୀ ଖୋଲାରେ ଅନୁଷ୍ଠାନ ପରିସରରେ ଓ ରାସ୍ତାକଡ଼ରେ ପଡି ରହିଛନ୍ତି ବୋଲି ଅଭିଯୋଗ ହୋଇଛି। ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବାରୁ ରୋଗୀ କର୍କଟ କେନ୍ଦ୍ର ବାରଣ୍ଡା, ରାସ୍ତାକଡ଼, ଫୁଟପାଥରେ ରହିଛନ୍ତି। ହାଇକୋର୍ଟରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସଂପ୍ରସାରଣ ପ୍ରସଂଗରେ ଜବାବ ତଲବ କରିଛନ୍ତି। କର୍କଟ କେନ୍ଦ୍ରର ସଂପ୍ରସାରଣ ପାଇଁ କଣ ଯୋଜନା ରହିଛି ଓ ଏବେ କଣ ସ୍ଥିତି ରହିଛି ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବଗତ କରିବାକୁ ହାଇକୋର୍ଟ ରାଜ୍ୟ ସରକାର ଓ କର୍କଟ କେନ୍ଦ୍ର ନିର୍ଦ୍ଦେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ କାର୍ଯ୍ୟକ୍ଷମର ସ୍ଥିତି ପ୍ରସଂଗରେ ମଧ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର ଓ ଝାରସୁଗୁଡାରେ ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା ପ୍ରସଂଗରେ କଣ ସ୍ଥିତି ରହିଛି ଓ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ତରଫରୁ ଦର୍ଶାଯାଇଥିଲା ଯେ ପେଟ୍ ସିଟି ସ୍କାନ୍ ଜୁନ୍ ୨୯ରୁ କାର୍ଯ୍ୟକ୍ଷମ ହେବ। ଏ ନେଇ ଯୋଜନା ରହିଛି। ଇତିମଧ୍ୟରେ ଏଥି ପାଇଁ ମେସିନ୍ ଓ ସରଞ୍ଜାମ ଏପ୍ରିଲ ୬ରେ କର୍କଟ କେନ୍ଦ୍ରରେ ପହଞ୍ଚିଛି। ଆଣିବକ ଶକ୍ତି ବିଭାଗ ସହିତ ଅନ୍ୟାନ୍ୟ ଆବଶ୍ୟକ ଅନୁମତି ଆସିବା ପରେ ପେଟ୍ ସିଟି ସ୍କାନ କାର୍ଯ୍ୟକ୍ଷମ ହେବ ବୋଲି କର୍କଟ କେନ୍ଦ୍ର ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଂଗରେ ବିଳମ୍ବ ହେଉଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଲେଟର ପିଟିସନର ମୈତ୍ରୀ ସଂସଦ ତରଫରୁ ଦର୍ଶାଯାଇଥିଲା ଯେ କର୍କଟକେନ୍ଦ୍ର ପରିସ‌ରରେ ରୋଗୀମାନେ ପଡି ରହିଛନ୍ତି। ରାସ୍ତାରେ ଓ ଫୁଟପାଥରେ ମଧ୍ୟ ରୋଗୀ ରହିଛନ୍ତି। ରୋଗୀ ସଂଖ୍ୟା ଅନୁସାରେ ଶଯ୍ୟା ନାହିଁ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ, ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, ମୈତ୍ରୀ ସଂସଦ ସଭାପତି ଆଇନଜୀବୀ ଅଜୟ ମହାନ୍ତି ଓ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ ଯେ କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତି ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥା ପ୍ରସଂଗକୁ ନେଇ ଅନିତା ବୁଦ୍ଧିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କର୍କଟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ପ୍ରସଂଗ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ପ୍ରସଂଗରେ ହାଇକୋର୍ଟ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ନିକଟରୁ ଜବାବ ତଲବ କରିଥିଲେ।

ସମ୍ବନ୍ଧିତ ଖବର