ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଦାଖଲ ହୋଇ ପାରିଲାନି ତଦନ୍ତର ଷ୍ଟାଟସ୍ ରିପୋର୍ଟ

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଆଜି ଦାଖଲ ହୋଇ ନ ଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆସନ୍ତା ୧୧ ତାରିଖ ସୁଦ୍ଧା ତଦନ୍ତର ଅଗ୍ରଗତି ନେଇ ସାନି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କ୍ରାମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାଶ, ବାପା ନନ୍ଦିକିଶୋର ଦାଶ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ଆଦିତ୍ୟ ବୃଦ୍ଧାଶ୍ରମ କରିବା ସହିତ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ତା’ଛଡ଼ା ଆଦିତ୍ୟ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ନିଜ ସେବା ଓ ସାମାଜିକ କାର୍ଯ୍ୟ ପାଇଁ ଆଦିତ୍ୟ ରାଜ୍ୟ ତଥା ଦେଶବିଦେଶରେ ମଧ୍ୟ ଲୋକପ୍ରିୟ ହୋଇ ପାରିଥିଲେ। ଉଭୟ ପରିବାର ସହମତିରେ ବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟଙ୍କ ବାହାଘର ହୋଇଥିଲା। କିନ୍ତୁ ବିବାହର ୨୭ ଦିନ ପରେ ଆଦିତ୍ୟ ଘରେ ମିଳି ନଥିଲେ। ବହୁତ ଖୋଜା ଖୋଜି ପରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ତାଙ୍କ ମୃତଦେହ ମିଳିଥିଲା।

ଏହି ଘଟଣାକୁ ନେଇ ଜିଆରପି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ। ଆଦିତ୍ୟଙ୍କ ମୃତ୍ୟୁର କାରଣ ତଦନ୍ତକାରୀ ସଂସ୍ଥା ଜାଣି ପାରି ନାହିଁ। ଏହି ଘଟଣାରେ ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ଦାୟର ଆବେଦନରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ନଜିର ଦିଆଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ବାଧୀନ ଏଜେନ୍ସକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ, ଆଦିତ୍ୟଙ୍କର ମୃତଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା। ଜିଆରପି ଥାନାରେ ମାମଲା ରୁଜୁ କରି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟଣାର ତଦନ୍ତ ଜିଆରପି ଆରମ୍ଭ କରିଥିଲା। ଏହା ଅପମୃତ୍ୟୁ ନୁହେଁ, ହତ୍ୟା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଥିଲା। ଜିଅଆରପି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୁଲିସ ମହାନିର୍ଦେଶକ ଘଟଣାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଆଉ ଏକ ମାମଲା ଏବେ ହାଇକୋର୍ଟରେ ମଧ୍ୟ ବିଚାରାଧୀନ ରହିଛି।
ସମ୍ବନ୍ଧିତ ଖବର