କଣ୍ଟାପଡ଼ା: କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଠିକରେ ଉନ୍ନୟନ କାମ ହେଉ ନାହିଁ। ଏହାକୁ ନେଇ ବିଜେପି ଓ ବିଜେଡି ସମର୍ଥିତ ଲୋକପ୍ରତିନିଧିମାନେ ଏକାଠି ହୋଇ ପ୍ରତିବାଦର ସ୍ବର ଉଠାଇଛନ୍ତି। ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଢ଼ ବର୍ଷ ଧରି ପଡ଼ିରହିଥିବାରୁ ଏହାକୁ ବିରୋଧ କରିବା ସହିତ ବନ୍ଦ ପଡ଼ିଥିବା କାମଗୁଡ଼ିକୁ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି। ଏହି ଉପଲକ୍ଷେ ଆଜି ବ୍ଲକ୍‌ର ବିଜେଡି ଓ ବିଜେପିର ଜନପ୍ରତିନିଧିମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

Advertisment

ସକାଳେ ପ୍ରତିନିଧିମାନେ ବ୍ଲକ୍‌ କାର୍ଯ୍ୟାଳୟକୁ ଆସିବା ବେଳେ ଗେଟ୍‌କୁ ତାଲା ପକାଇ ଦିଆଯାଇଥିଲା। ତେବେ ପରେ ଏସ୍‌ଡିପିଓଙ୍କ ହସ୍ତକ୍ଷେପ ପରେ ଜନପ୍ରତିନିଧିମାନେ କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଛନ୍ତି। ଏଥିପୂର୍ବରୁ ଗତ ୧୧ ତାରିଖରେ ୨୮ରୁ ୨୨ଜଣ ପଞ୍ଚାୟତ ପ୍ରତିନିଧି ପ୍ରଶାସନ ମନମୁଖୀ କାର୍ଯ୍ୟ ବିରୋଧରେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ୭ଦିନ ମଧ୍ୟରେ କାମ ଆରମ୍ଭ ନହେଲେ ଧାରଣା ଦିଆଯିବାକୁ ଚେତାବନୀ ଦିଆଯାଇଥିଲା।