୧୮ ବର୍ଷ ପରେ ପଦକ୍ଷେପ ନେଲେ ଡିଜି : ପଦୋନ୍ନତି ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି

ଏଏସଆଇଙ୍କ ପଦୋନ୍ନତି ପରୀକ୍ଷା ୬ରୁ; ବଇରି, ନୟାଗଡ଼ରେ ଆରମ୍ଭ ହେଲା ଡିଆଇସି ତାଲିମ୍

କଟକ: ୧୮ ବର୍ଷ ହେଲା ବନ୍ଦ ପଡିଥିଲା ପୁଲିସ ବିଭାଗରେ ଅଣସଂରକ୍ଷିତ ବର୍ଗଙ୍କ କନଷ୍ଟେବଳରୁ ଏଏସଆଇକୁ ପଦୋନ୍ନତି ପରୀକ୍ଷା। ଅନୁସୂଚିତ ଜନଜାତି(ଏସଟି)ଙ୍କ ପାଇଁ ବି ୭ ବର୍ଷ ହେଲା ପଦୋନ୍ନତି ପରୀକ୍ଷା ବନ୍ଦ ଥିଲା। ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ ପଦୋନ୍ନତି ପରୀକ୍ଷା ଆରମ୍ଭ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ତାରିଖରୁ ଏହି ପରୀକ୍ଷା କରାଯିବାକୁ ପୁଲିସ ବିଭାଗ ନିଷ୍ପତ୍ତି ନେଇଛି। ଏହା ସହିତ ପୁଲିସ ବିଭାଗ ଲାନ୍ସ ନାୟକ ଏବଂ ଏପିଆର ହାବିଲଦାର ପଦବିକୁ ପଦୋନ୍ନତି ପାଇଁ ୬ ବର୍ଷ ହେବ ବନ୍ଦ ପଡ଼ିଥିବା ଡିଆଇସି(ଡ୍ରିଲ୍ ଇନସ୍ପେକ୍ଟର କୋର୍ସ) ତାଲିମ ଆଜିଠାରୁ ନୟାଗଡ଼ ଓ ଯାଜପୁର ବଇରି ସେଣ୍ଟରରେ ଆରମ୍ଭ ହୋଇଛି। କନଷ୍ଟେବଳ ପଦୋନ୍ନତି ଏବଂ ଡିଆଇସି ତାଲିମ ସମ୍ପର୍କିତ ତଥ୍ୟ ଭିତ୍ତିକ ଖବର ‘ସମ୍ବାଦ’ରେ ଗଲା ଅଗଷ୍ଟ ୨୬ ତାରିଖରେ ପ୍ରକାଶ ପାଇବା ପରେ ପୁଲିସ ବିଭାଗ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି।ମୋଟ ୫ ହଜାର ୧୦୭ ପ୍ରାର୍ଥୀ ଏଥିରେ ଉପକୃତ ହେବାକୁ ଯାଉଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସରେ ଏଏସଆଇଙ୍କ ମଞ୍ଜୁରୀ ପଦବି ୬ ହଜାର ଥିବା ବେଳେ ସେଥିରୁ ୧୨ ଶହ ପଦବି ଖାଲି ପଡ଼ିଛି। ଉଭୟ କନଷ୍ଟେବଳ ଓ ହାବିଲଦାରଙ୍କ ମଞ୍ଜୁରୀ ପଦବି ୫୩ ହଜାର ଥିବା ବେଳେ ଏବେ ପାଖାପାଖି ୬ ହଜାର ପଦବି ଖାଲି ପଡ଼ିଛି। ଏହି ୫୩ ହଜାର ମଞ୍ଜୁରୀ ପଦବିରେ ଲାନ୍ସ ନାୟକ ୧ ହଜାର ମଞ୍ଜୁରୀ ପଦବିରୁ ୫୦୦ ଏବଂ ଏପିଆର୍ ହାବିଲଦାର୍ ୨୬ଶହ ମଞ୍ଜୁରୀ ପଦବିରୁ ୬୦୦ ଖାଲି ପଡ଼ିଛି। ପୁଲିସ ବିଭାଗ କନଷ୍ଟେବଳରୁ ଏଏସ୍ଆଇ ପଦୋନ୍ନତି ପରୀକ୍ଷା ସଂରକ୍ଷିତ ବର୍ଗଙ୍କ ପାଇଁ ୨୦୧୩ରେ ଶେଷ ଥର ପାଇଁ କରିଥିଲା। ସେହିପରି ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୨୦୦୨ରେ ଶେଷ ଥର ପାଇଁ ପରୀକ୍ଷା ହୋଇଥିଲା। ପରୀକ୍ଷା ନହେବା ଫଳରେ ୧୨ ଶହ ଏଏସଆଇ ପଦବି ପୂରଣ ହୋଇପାରୁନଥିଲା। ଗଲା ଅଗଷ୍ଟ ୨୬ ତାରିଖରେ ‘ସମ୍ବାଦ’ରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଲା ପରେ ପୁଲିସ ଡିଜି ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ।

ଗଲା ୨୮ ତାରିଖରେ ପୁଲିସ ବିଭାଗ ପକ୍ଷରୁ ଜାରି ଚିଠି(୩୮୧୧୧/ବୋର୍ଡ)ରେ ଦର୍ଶାଯାଇଛି ଯେ ଏଏସଆଇ ପଦବିକୁ ପଦୋନ୍ନତି ପଇଁ ଡିସେମ୍ବର ୬ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। କଟକ ସମେତ ଭୁବନେଶ୍ବର, ଅନୁଗୁଳ, ସମ୍ବଲପୁର, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟ ସେଣ୍ଟରରେ ପରୀକ୍ଷା କରାଯିବ। ଦୁଇଟି ପେପର ପାଇଁ ପରୀକ୍ଷା କରାଯିବ। ଏହି ପଦୋନ୍ନତି ପରୀକ୍ଷା ପାଇଁ ମୋଟ ୪ ହଜାର ୫୯୧ ଜଣ ପ୍ରାର୍ଥୀ ଆବେଦନ କରିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଆସନ୍ତା ୯ ତାରିଖରେ ପରୀକ୍ଷାଫଳ ପ୍ରକାଶ ସହିତ ୩୧ ତାରିଖ ସୁଦ୍ଧା ପଦୋନ୍ନତି ବୋର୍ଡ ବସି ନବ ନିଯୁକ୍ତ ଏଏସଆଇଙ୍କୁ ତାଲିମ ପାଇଁ ପଠାଯିବ। ପଦୋନ୍ନତି ଶେଷ ପରେ ଏପିଆର ହାବିଲଦାର, କନଷ୍ଟେବଳ, ଲାନ୍ସ ନାୟକ, ସିଆଇଇ ହାବିଲଦାର ଉପକୃତ ହେବେ।

ସେହିପରି କନଷ୍ଟେବଳରୁ ଲାନ୍ସ ନାୟକ ଏବଂ ପରେ ଲାନ୍ସ ନାୟକ ପଦବିରୁ ଏପିଆର୍ ହାବିଲଦାର ପଦବିକୁ ପଦୋନ୍ନତି ପାଇଁ ଡିଆଇସି(ଡ୍ରିଲ୍ ଇନଷ୍ଟ୍ରକ୍ଟର କୋର୍ସ) ୨୦୧୪ରେ ଶେଷଥର ପାଇଁ ନୟାଗଡ଼ ପିଟିସିରେ କରାଯାଇଥିଲା। ସେବେଠାରୁ ଆଦୌ କରାଯାଇନଥିବାରୁ ଉଭୟ ଲାନ୍ସ ନାୟକ ଓ ଏପିଆର ହାବିଲଦାର ୧୧ ଶହ ପଦବି ଖାଲି ପଡ଼ିଛି। ଆଜିଠାରୁ ଏହି କୋର୍ସ ଆରମ୍ଭ ହୋଇଛି। ନୟାଗଡ଼ସ୍ଥିତ ପୁଲିସ ଟ୍ରେନିଂ ସ୍କୁଲ ଏବଂ ବଇରିସ୍ଥିତି ପୁଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ତାଲିମ ଦିଆଯାଉଛି। ବଇରିରେ ୩୧୧ ଲାନ୍ସ ନାୟକ ଏବଂ ନୟାଗଡ଼ରେ ୨୦୫ ହାବିଲଦାରଙ୍କୁ ଆଜିଠାରୁ ଆସନ୍ତା ୬୦ଟି କାର୍ଯ୍ୟଦିବସ ପର୍ଯ୍ୟନ୍ତ ତାଲିମ ଦିଆଯିବ। ତାଲିମ ଶେଷ ହେବା ପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବ। ପୁଲିସ ବିଭାଗରେ ଏବେ ଲାନ୍ସ ନାୟକ ପଦବିରେ କାର୍ଯ୍ୟ କରୁଥିବା କର୍ମଚାରୀ ଡିଆଇସି ଟ୍ରେନିଂ ପରେ ହାବିଲଦାର୍ ହେବେ ଏବଂ ବିନା ଡିଆଇସି ଟ୍ରେନିଂରେ କାମ କରୁଥିଲେ ହାବିଲଦାର ଡିଆଇସି କଲା ପରେ ସ୍ଥାୟୀ ହାବିଲଦାର ଭାବେ ନିଯୁକ୍ତି ପାଇବା ସହିତ ହାବିଲଦାର୍ ମେଜର୍ ପାଇଁ ଯୋଗ୍ୟ ବିବେଚିତ ହେବେ।

ସମ୍ବନ୍ଧିତ ଖବର